ଲକ୍ଷ୍ନୌ: ବିଚିତ୍ର ଦୁନିଆ। ଯେଉଁ ସ୍ଥାନକୁ ଯିବା ସେ ସ୍ଥାନରେ ବିଭିନ୍ନ ପ୍ରଥା ପରମ୍ପରା। ଯାହା ଅନେକ ସମୟରେ ଶୁଣିବାକୁ ଅଜବ ଲାଗେ ଆଉ ବିଶ୍ବାସ ବି କରି ହୁଏ ନାହିଁ। ହେଲେ ସେଠାରେ ସ୍ଥାୟୀ ବସବାସ କରୁଥିବା ଲୋକେ ଉକ୍ତ ନିୟମ ସହ ଖାପଖୁଆଇ ଜୀବନ ବିତାଇଥାନ୍ତି। ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ସମାଜ ଦ୍ବାରା ପ୍ରଚଳିତ ବିଭିନ୍ନ ନୀତି ନିୟମକୁ ସେ ମାନିଥାଏ। ନଚେତ୍ ବାସନ୍ଦ ଓ ବିଭିନ୍ନ ଶୋଷଣର ଶିକାର ହେବାକୁ ପଡେ।
ବର୍ତ୍ତମାନ ସମୟ ବଦଳିଯାଇଥିଲେ ମଧ୍ୟ ପ୍ରଚଳିତ ପ୍ରଥା ପରମ୍ପରା ଏବେ ପୂର୍ବ ପୁରୁଷଙ୍କ ପାଖରୁ ପିଢି ପରେ ପିଢି ଚାଲିଆସୁଛି। ଏସବୁ ରୀତିନୀତିକୁ ବିଭିନ୍ନ ସମୟରେ ପାଳନ କରିବାକୁ ଇଚ୍ଛା ନଥିଲେ ବି ଭୟ ଓ ଭ୍ରାନ୍ତିରେ କରିବାକୁ ପଡେ। ତେବେ ଆମେ ଦେଶର କୋଣ ଅନୁକୋଣରେ ଭିନ୍ନ ଭିନ୍ନ କଥା ଓ ପ୍ରଥା ଦେଖିଛେ। କେଉଁଠି ଛେପ ପକାଇ ଅତିଥିଙ୍କୁ ସ୍ବାଗତ କରାଯାଏ ତ ଆଉ କେଉଁଠି ମୃତ୍ୟୁ ଭୟରେ ଗୋଟିଏ ଦିନ ଘର ଛାଡି ବଣରେ ରହିବାକୁ ପଡେ। ସେମିତି ଏକ ଅଜବ ପରମ୍ପରା ଚାଲିଆସୁଛି ଉତ୍ତରପ୍ରଦେଶର ଭେଲୱାଡ଼ା ଜିଲ୍ଲାରେ ଯେଉଁଠି ସ୍ବାମୀର ଆସନ୍ନ ମୃତ୍ୟୁ ଭୟରେ ବିବାହିତ ମହିଳା ପ୍ରତ୍ୟେକ ବର୍ଷ ବିଧବା ଭାବେ 3 ମାସ ଜୀବନ ଜିଇଁ ଥାଏ।
ବିବାହ ସବୁ ପୁଅ ଓ ଝିଅଙ୍କ ଜୀବନର ଏକ ଅପୂର୍ବ ମୁହୁର୍ତ୍ତ। ଏହି ସ୍ମୃତିକୁ ସମସ୍ତେ ବଞ୍ଚିଥିବା ପର୍ଯ୍ୟନ୍ତ ସାଇତି ରଖିଥାନ୍ତି। ଆଉ ଦଶ ଦିଗପାଳ ଓ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିବା ପରେ ଗୋଟେ ଝିଅ ଯେବେ ମଥାରେ ସିନ୍ଦୂର ପିନ୍ଧେ ସେତେ ବେଳେ ତାର ସଙ୍ଖା, ସିନ୍ଦୁର ତାର ସମ୍ପତ୍ତି ପାଲଟିଯାଏ। ସ୍ବାମୀ ବଞ୍ଚିଥିବା ପର୍ଯ୍ୟନ୍ତ ସେ ତାର ସେଇତକ ସମ୍ପତ୍ତିକୁ ନେଇ ଗର୍ବ କରିଥାଏ। ହେଲେ ସମାଜରେ ଏମିତି କିଛି ରୀତିନୀତି ଅଛି ଯେଉଁଠି ସ୍ବାମୀ ବଞ୍ଚିଥାଉ ଥାଉ ଜଣେ ପତିବ୍ରତା ସ୍ବାମୀ ସୁହାଗୀନିକୁ ବିଧବା ଜୀବନ ଜିଇଁବାକୁ ପଡେ।ଉତ୍ତରପ୍ରଦେଶର ଭେଲୱାଡ଼ା ଜିଲ୍ଲାରେ ଥିବା ଏକ ଗ୍ରାମରେ ଏଭଳି ପରମ୍ପରା ବାସ୍ତବରେ ଆଶ୍ଚର୍ଯ୍ୟକର। ଏଠାରେ ପ୍ରତିବର୍ଷ ମହିଳାମାନେ ୩ମାସ ପାଇଁ ବିଧବାର ଜୀବନ ବିତାଇଥାନ୍ତି ।
ସାଧା ପୋଷାକ ପରିଧାନ କରିବା ସହ ସିନ୍ଦୂର ଓ ଚୁଡ଼ି ପିନ୍ଧନ୍ତି ନାହିଁ। ଗାଁରେ ଥିବା ଏକ ପୁରୁଣା ପରମ୍ପରା ପାଇଁ ମହିଳାମାନଙ୍କୁ ବାଧ୍ୟ ହୋଇ ଏପରି କରିବାକୁ ପଡ଼ିଥାଏ ।ଏପରି କରିବା ପଛରେ ଏକ ଅଜବ କାରଣ ରହିଛି। ଏହି ଗ୍ରାମରେ ଥିବା ପୁରୁଷମାନେ ସାଧାରଣତଃ ତାଡି ସଂଗ୍ରହ କରି ପେଟପାଟଣା କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ୩ମାସ ପାଇଁ ତାଡ଼ି ବାହାର କରିବାକୁ ବାହାରକୁ ଯାଇଥାନ୍ତି । ତେବେ ତାଳ ଗଛରୁ ତାଳ ବାହାର କରିବା ପାଇଁ କାମ କରିଥାନ୍ତି ।
ତାଳ ଗଛର ଉପର ଭାଗ ଖସଡ଼ା ଏବଂ ଉଚ୍ଚା ହୋଇଥିବାରୁ କିଛି ଲୋକ ଗଛରୁ ଖସି ମୃତ୍ୟୁବରଣ କରୁଥିବାରୁ ମହିଳାମାନେ ଏପରି କରୁଥିବା ଜଣାପଡ଼ିଛି ।ତେବେ ସ୍ବାମୀ ଘରୁ ଯିବା ପରେ ୩ମାସ ପର୍ଯ୍ୟନ୍ତ କିଛି ଅଘଟଣା ଭୟରେ ଏଠାକାର ମହିଳା ମାନେ ଏଭଳି ସିଧାସାଧା ଜୀବନ ବିତାଇବା ଆରମ୍ଭ କରିଥାନ୍ତି । ପରେ ସ୍ୱାମୀ ଠିକ ଭାବରେ ଘରକୁ ଫେରିବା ପରେ ସେମାନେ ଧଳା ଶାଢୀ ପରିବର୍ତ୍ତେ ରଙ୍ଗବେରଙ୍ଗର ପୋଷାକ ସହ ସିନ୍ଦୂର, ଶଙ୍ଖା ପିନ୍ଧି ସଧବା ବେଶରେ ରହିଥାନ୍ତି।