ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ଯୋଗୁଁ ବିପୁଳ କ୍ଷତି ଘଟିଛି । ଏପର୍ଯ୍ୟନ୍ତ 10 ହଜାର ଉପରେ ଆକ୍ରାନ୍ତ ବାହାରିଛନ୍ତି । ଦିନକୁ ଦିନ ଏହି ସ୍ଥିତି ବଢିଚାଲିଥିବାବେଳେ ଏବେ ଏହି ମହାମାରୀ ସହ ଚଳିବାକୁ ପଡିବ ବୋଲି ଦିଲ୍ଲୀ ସରକାର କହିଛନ୍ତି । ତେବେ ଏହାକୁ ମୁକାବିଲା ପାଇଁ ଘୋଷଣା ହୋଇଥିଲା ଲକଡାଉନ । 24 ଘଣ୍ଟା ଦୌଡୁଥିବା ଦିଲ୍ଲୀବାସୀଙ୍କୁ ଏହି ସମୟରେ ଅଟକାଇବା କାଠିକର ପାଠ ଥିଲା ।
ଯାହା ନିକଟରେ ଏକ ରିପୋର୍ଟରୁ ଜଣାପଡିଛି । ପ୍ରଥମ ପର୍ଯ୍ୟାୟରୁ ତୃତୀୟ ପର୍ଯ୍ୟାୟ ଲକଡାଉନ ଭିତରେ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ନୋଟିସ ଜାରି କରିଛି ଦିଲ୍ଲୀ ଟ୍ରାଫିକ ପୋଲିସ । ଏନେଇ ମଙ୍ଗଳବାର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ନିୟମ ଭାଙ୍ଗିବା ସହ କଟକଣା ନମାନିବାରୁ ଏହି ନୋଟିସ ଜାରି ହୋଇଛି । ଏସଏମଏସ ଓ ସ୍ପିଡ ପୋଷ୍ଟ ଦ୍ବାରା ଲକ୍ଷାଧିକ ନୋଟିସ ପଠାଇଛି ପୋଲିସ ।
ସୂଚନାନୁସାରେ ମାର୍ଚ୍ଚ 25ରୁ ମେ 17 ଯାଏଁ 1 ଲକ୍ଷ 436 ଏସଏମଏସ ପଠାଇଛି ଟ୍ରାଫିକ ପୋଲିସ । ସେହିପରି ସ୍ପିଡପୋଷ୍ଟରେ 80ଟି ନୋଟିସ ଯାଇଛି । ପାର୍କିଂ ନିୟମ ଭାଙ୍ଗିଥିବାରୁ ଉଲ୍ଲଙ୍ଘନକାରୀଙ୍କୁ 7998ଟି ନୋଟିସ ପଠାଯାଇଛି । ଏହିସବୁ ନିୟମ ଭଙ୍ଗର ଦୃଶ୍ୟ ପୋଲିସ କ୍ୟାମେରା ଦ୍ବାରା କ୍ୟାପଚର କରିଥିଲା । ବର୍ତ୍ତମାନ ପରିସ୍ଥିତି ଦେଖି ଟ୍ରାଫିକ ପୋଲିସ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା ଅଧିକ ଆପଣାଯାଇଥିଲା । ଫଳରେ ଟ୍ରାଫିକ ପୋଲିସଙ୍କୁ ବି ଅଧିକ ସମୟ ବାହାରେ କଟାଇବାକୁ ପଡିନଥିଲା । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି ।
ତେବେ ଲକଡାଉନର ଚତୁର୍ଥ ପର୍ଯ୍ୟାରେ କଟକଣା ସାମାନ୍ୟ କୋହଳ ହେବା ପରେ ପୁଣିଥରେ ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ବିପୁଳ ମାତ୍ରାରେ ଲୋକେ ବାହାରକୁ ବାହାରିବା ସହ ବିଭିନ୍ନ ଅଫିସ, ଦୋକାନବଜାର ଖୋଲିବାରୁ ଏ ସମସ୍ୟା ଦେଖାଦେଇଛି । ଦିଲ୍ଲୀର ବିଭିନ୍ନ ପ୍ରମୁଖ ସ୍ଥାନରେ ଟ୍ରାଫିକ ଭିଡ ଲାଗି ରହିଛି । ବହୁତ ସମୟ ଯାଏଁ ଗାଡିମୋଟରଙ୍କ ଲମ୍ବା ଲାଇନ ଲାଗି ରହିଥିବା ଦେଖିବାକୁ ମିଳିଛି ।