ନୂଆଦିଲ୍ଲୀ: ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଯାଇଛି । ଲାଗୁ ହେବାର ପ୍ରଥମ ଦିନରେ କେତେକ ଏହି ନିୟମ ପାଳନ କରିଛନ୍ତି । ତ କେତେକ ଏହି ନିୟମ ଉଲ୍ଲଙ୍ଘନ କରିଥିବାର ଦେଖିବାକୁ ମିଳିଛି । ତେବେ ଦିଲ୍ଲୀ ପୋଲିସ ଅନୁସାରେ, ପ୍ରଥମ ଦିନରେ ହିଁ 233 ଜଣଙ୍କ ଚାଲାଣ କଟାଯାଇଛି । ସେପଟେ, ଦିଲ୍ଲୀବାସୀ ଏହି ନିୟମ ପାଳନ କରିଥିବା କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ।
ନିୟମ ଲାଗୁର ପ୍ରଥମ ଦିନକୁ ସିସୋଦିଆ ସଫଳ କହିବା ସହ ପାଖାପାଖି 192 ଜଣଙ୍କ ଚାଲାଣ କଟିଥିବାର କହିଛନ୍ତି । ଗତ ସୋମବାର ଠାରୁ ଲାଗୁ ହୋଇଥିବା ଏହି ନିୟମ ନଭେମ୍ବର 15 ଯାଏ ବଳବତ୍ତର ରହିବ । ଦିଲ୍ଲୀରେ ପ୍ରଦୂଷଣ କମ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 2016ରେ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ କରିଥିଲେ ।
ତେବେ ତିନି ବର୍ଷ ପରେ ଜାତୀୟ ରାଜଧାନୀକୁ ପୁଣି ଥରେ ଏହି ନିୟମ ଫେରିଛି । ନିୟମକୁ ବିଜେପି ସାଂସଦ ଗୋଏଲ ଭଙ୍ଗ କରିବା ସହ ଏହାକୁ ଦିଲ୍ଲୀ ସରକାରଙ୍କ ଏକ ନାଟକ ବୋଲି କହିଛନ୍ତି । ସେପଟେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପୂର୍ବଥର ଭଳି ଏଥର ମଧ୍ୟ ନିୟମ ପାଳନ କରିବାକୁ ଯାଇ ସାଇକେଲ ଯୋଗେ କାର୍ଯ୍ୟାଳୟ ଯାଇଥିଲେ ।