ନୂଆଦିଲ୍ଲୀ: ସିଏଏକୁ ନେଇ ଏବେ ଉତ୍ତୋର ପୂର୍ବାଞ୍ଚଳ ରାଜ୍ୟ ପରେ ଦିଲ୍ଲୀରେ ଭୟଙ୍କର ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ଏବେ ରାଜରାସ୍ତାରୁ ବିଶ୍ବ ବିଦ୍ୟାଳୟକୁ ବ୍ୟାପିଛି । ଜାମିଆ ମିଲିଆ ବିଶ୍ବ ବିଦ୍ୟାଳୟ, ଆଲିଗଡ ମୁସଲିମ ବିଶ୍ବ ବିଦ୍ୟାଳୟ ସମେତ ଦେଶର ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ଏହି ଆନ୍ଦୋଳନ ଚାଲିଛି । ଏହାସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପଡାଜଳା ଲାଗି ରହିଛି ।
ଏପରି ସ୍ଥଳେ ଶାନ୍ତି ବଜାୟ ରଖିବାକୁ ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କୌଣସି ପ୍ରକାର ହିସାଂରେ ସାମିଲ ନହୋଇ ଦିଲ୍ଲୀ ପୋଲିସକୁ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । କୌଣସି ଅପରାଧିକ ତତ୍ତ୍ବଙ୍କ ବିଷୟରେ ସୂଚନା ପାଇଲେ ତୁରନ୍ତ ପୋଲିସକୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ଯେଉଁ ହିସାଂ ଆରମ୍ଭ ହୋଇଛି ତାହା ବେଆଇନ ସମ୍ବିଧାନ ବିରୋଧୀ । ଲୋକତନ୍ତ୍ରରେ ହିସାଂର ସ୍ଥାନ ନାହିଁ , ଯେକୌଣସି ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି କହିଛନ୍ତି ଉପ-ରାଜ୍ୟପାଳ ।
ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ଦିଲ୍ଲୀବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ସଭ୍ୟ ସମାଜରେ ହିଂସା ଗ୍ରହଣୀୟ ନୁହେଁ। ଏହା ମାଧ୍ୟମରେ କୌଣସି କାର୍ଯ୍ୟ ହାସଲ ହୋଇପାରିବ ନାହିଁ। ଆମେ ସମସ୍ତେ ଶାନ୍ତି ପୂର୍ଣ୍ଣଭାବେ ଆମ ଦାବି ରଖିପାରିବା ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।