ନୂଆଦିଲ୍ଲୀ: ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ । ଦୀର୍ଘ ଏକ ମାସ ପରେ ସେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି କୋରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇଛି ।
ଏଥିସହ ସେ କହିଛନ୍ତି, କୋରୋନା ସ୍ଥାନୀୟ ସଂକ୍ରମଣ ହୋଇଛି କି ଗୋଷ୍ଠା ସଂକ୍ରମଣ ବର୍ତ୍ତମାନ ଏହା କହିବା ବହୁତ ଟେକ୍ନିକାଲ ହେବ । ପରୀକ୍ଷା ପରେ ବହୁ କୋରୋନା ରୋଗୀଙ୍କ ରିପୋର୍ଟ ଭିନ୍ନ ରହିଛି । କୋରୋନା ଗୋଷ୍ଠୀ ସଂକ୍ରମଣର ନିଷ୍ପତ୍ତି କେନ୍ଦ୍ର ଉପରେ ଛାଡିଦେବା ଦରକାର ।
କୋରୋନା ସଂକ୍ରମଣ ହୋଇ ସୁସ୍ଥ ହେବା ପରେ ସୋମବାର ସତ୍ୟନ୍ଦ୍ର ଜୈନ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
ଦିଲ୍ଲୀରେ ବର୍ତ୍ତମାନ 1ଲକ୍ଷ 22 ହଜାର 793 କୋରୋନା ଆକ୍ରାନ୍ତ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 3628 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।