ନୂଆଦିଲ୍ଲୀ: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଲଗାତାର ଚେଷ୍ଟା ଜାରି ରଖିଛି । ଶନିବାର ଦିଲ୍ଲୀ ଦମକଳବାହିନୀଙ୍କୁ ସହରର ବିଭିନ୍ନ ସ୍ଥାନରେ ପାଣି ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ପ୍ରାୟ 20 ଦମକଳ ଗାଡି ସହରରେ ବିଭିନ୍ନ ସ୍ଥାନରେ ପାଣି ପକାଇଥିଲେ ।
ଶୀତ ଆରମ୍ଭରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିଥାଏ । ଗତ କିଛି ଦିନ ହେବ ସଂସଦରେ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ବିଷୟରେ ଚର୍ଚ୍ଚା ଜୋର ଧରିଛି । ଏପରିକି ସାଂସଦ ମାନେ କୃଷକଙ୍କୁ ସମସ୍ତ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କରେ ଫସଲ ଜାଳିବା କାରଣରୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି । ପ୍ରଦୂଷଣର ମାତ୍ରା ବଢିବାରୁ ସ୍କୁଲ-କଲେଜକୁ ବନ୍ଦ ରଖିବାକୁ ସରକାର ବାଧ୍ୟ ହେଉଛନ୍ତି ।
ଶୀତ ଅଧିବେଶନରେ କଂଗ୍ରେସ ନେତା ଶଶି ଥରୁର କହିଥିଲେ କି, ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ(NCAP) କୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ ତେଣୁ ଏହାକୁ ପରିଚାଳିତ କରିବା ପାଇଁ ଆଇନଗତ ବ୍ୟବସ୍ଥା କରିବା ଜରୁରୀ ।