ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗକୁ ମିନି ପାକିସ୍ତାନ କହିବା ପରେ ବିଜେପି ନେତା କପିଲ ମିଶ୍ରଙ୍କ ଚିନ୍ତା ବଢିଯାଇଛି । ଦିଲ୍ଲୀର ମଡେଲ ଟାଉନରୁ ବିଜେପି ପ୍ରାର୍ଥୀ କପିଲ ମିଶ୍ରଙ୍କ ବୟାନକୁ ନେଇ ନିର୍ବାଚନ ଆୟୋଗ ତାଙ୍କ ନିର୍ବାଚନ ପ୍ରଚାର ଉପରେ 48 ଘଣ୍ଟା ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । କପିଲ ଶାହୀନବାଗକୁ ମିନି ପାକିସ୍ତାନ ସହ ତୁଳନା କରିଥିଲେ । ଏହାସହ ସେ ଟ୍ବିଟ କରି 8 ଫେବୃଆରୀ ହିନ୍ଦୁସ୍ତାନ ବନାମ ପାକିସ୍ତାନ ଲଢେଇ ହେବ ବୋଲି କହିଥିଲେ ।
ଶୁକ୍ରବାର କପିଲ ମିଶ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ କପିଲଙ୍କ ଟ୍ବିଟକୁ ଡିଲିଟ୍ କରିବା ପାଇଁ ସିଧାସଳଖ ଟ୍ବିଟରକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା ।
ମଡେଲ ଟାଉନରୁ ବିଜେପି ପ୍ରାର୍ଥୀ କହିଥିଲେ ଯେ, "8 ଫେବୃଆରୀ ଦିଲ୍ଲୀର ରାସ୍ତାରେ ହିନ୍ଦୁସ୍ତାନ ବନାମ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ଦିଲ୍ଲୀର ଅନେକ ସ୍ଥାନରେ 'ମିନି ପାକିସ୍ତାନ' ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ବୋଲି କପିଲ ମତ ଦେଇଥିଲେ । ଏହାସହ ଯେବେ ଯେବେ ପାକିସ୍ତାନକୁ ଛିଡା କରିବାକୁ ଚେଷ୍ଟା କରାଯାଇଛି, ସେତେବେଳେ ତା' ସାମ୍ନାରେ ହିନ୍ଦୁସ୍ତାନ ଛିଡା ହୋଇଛି ବୋଲି" ପ୍ରତିକ୍ରିୟା ଦେଇଥିଲେ କପିଲ ।