ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଲକଡାଉନ 3.0 । ଏପରିସ୍ଥଳେ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ତାଲାବନ୍ଦ ଉପରେ ଦିଲ୍ଲୀବାସୀଙ୍କ ଠାରୁ ନିଜ ନିଜ ରାୟ ରଖିବା ପାଇଁ ଅପିଲ କରିଥିଲେ । ସିଏମଙ୍କ ଏହି ଆବେଦନ ଉପରେ ପ୍ରାୟ 3 ଲକ୍ଷ ହ୍ବାଟସ୍ ଆପ୍ ମେସେଜ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 7 ଘଣ୍ଟା ମଧ୍ୟରେ ଏପର୍ଯ୍ୟନ୍ତ ପ୍ରାୟ 5000 ଇମେଲ ଏବଂ ପ୍ରାୟ 25000 ରେକର୍ଡେଡ ମେସେଜ ଗ୍ରହଣ କରାଯାଇଛି ।
ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଲକଡାଉନ ସମୟରେ କି ପ୍ରକାର ବନ୍ଦୋବସ୍ତ କରାଯିବ ସେନେଇ ଦିଲ୍ଲୀବାସୀଙ୍କଠାରୁ ପରାମର୍ଶ ଲୋଡିଥିଲେ ।
ବୁଧବାର ଅପରାହ୍ନ 5 ଟା ସୁଦ୍ଧା ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କ ଠାରୁ ଲକଡାଉନକୁ କେତେ କୋହଳ କରାଯିବ ଓ କି ପ୍ରକାର ବ୍ୟବସ୍ଥା କରାଯିବା ଉଚିତ ଇତ୍ୟାଦି ପରାମର୍ଶ ଦେବା ପାଇଁ ଅପିଲ କରିଛନ୍ତି । ଏହା ପରେ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ସହ ଆଲୋଚନା ପରେ ଗୁରୁବାର ସମସ୍ତ ପରାମର୍ଶ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି ସିଏମ କେଜ୍ରିୱାଲ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 17 ମେ ପରେ ଲକଡାଉନ ପରେ କି ପ୍ରକାର ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଦିଲ୍ଲୀବାସୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି । ଦିଲ୍ଲୀର ଲୋକମାନେ ଫୋନ୍ ନମ୍ବର 1031 ରେ ସେମାନଙ୍କର ପରାମର୍ଶ ରେକର୍ଡ କରିପାରିବେ | ସେହପରି ହ୍ବାଟସ୍ ଆପ୍ ନମ୍ବର 8800007722 କୁ ମଧ୍ୟ ପରାମର୍ଶ ପଠାଇ ପାରିବେ |
@ IANS