ଫେବୃଆରୀ ୮ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ)ପୁଣି ଥରେ ଅତି ସହଜରେ କ୍ଷମତାକୁ ଫେରିବ ବୋଲି ଦିଲ୍ଲୀର ମତଦାତାମାନଙ୍କ ମନୋଭାବରୁ ସ୍ପଷ୍ଟ ହେବାରେ ଲାଗିଛି। କ୍ଷମତାକୁ ଆସିବା ପାଇଁ ସଂଘର୍ଷ କରୁଥିବା ବିଜେପି ଶାସନ କ୍ଷମତାରେ ଥିବା ଆପ ସହିତ ସିଧାସଳଖ ଲଢ଼େଇ କରୁଥିଲେ ହେଁ କ୍ଷମତା ହାସଲଠାରୁ ଦୂରରେ ରହିଛି। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା କଂଗ୍ରେସ ପାର୍ଟି ୨୦୧୫ ନିର୍ବାଚନରେ ବହୁତ ଖରାପ ପ୍ରଦର୍ଶନ କରିଛି। ୨୦୧୫ ନିର୍ବାଚନରେ କଂଗ୍ରେସର ଭୋଟ ପ୍ରତିଶତ ସିଙ୍ଗଲ ଡିଜିଟରେ ସୀମିତ ହୋଇ କୌଣସି ଆସନରେ ବିଜୟୀ ହୋଇପାରିନାହିଁ। ଏଭଳି ଖରାପ ପ୍ରଦର୍ଶନରୁ କଂଗ୍ରେସ ପୁଣି ଥରେ ଲଢ଼େଇକୁ ଆସିବା ପ୍ରତୀୟମାନ ହେଉନାହିଁ।
ଚଳିତ ନିର୍ବାଚନର ବାସ୍ତବ ସ୍ଥିତି ଓ କେତେକ ଜନମତ ସର୍ଭେ ରିପୋର୍ଟ ଅନୁସାରେ ଆପ ସପକ୍ଷରେ ନିର୍ବାଚନୀ ବାତାବରଣ ସୃଷ୍ଟି ହୋଇସାରିଛି। ୨୦୧୯ ଲୋକସଭା ନିର୍ବାଚନରେ ବହୁତ ଖରାପ ପ୍ରଦର୍ଶନ ପରେ ଏଥିରୁ ଆପ ନିଜକୁ ମୁକୁଳାଇବା ସହିତ ଚଳିତ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୫୭ ପ୍ରତିଶତ ଭୋଟ ସହିତ ସମସ୍ତ ୭ଟି ଆସନରେ ବିଜୟୀ ହୋଇଥିଲା। ଏହିସବୁ ଆସନରେ ଆପର ପ୍ରାର୍ଥୀମାନେ ୨ୟ ସ୍ଥାନରେ ରହି ବିଜୟଠାରୁ କିଛି ଦୂରରେ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଯେଉଁ ମତଦାତାମାନେ ବିଜେପିକୁ ବହୁ ସଂଖ୍ୟାରେ ଭୋଟ ଦେଇଥିଲେ ସେମାନେ ଚଳିତ ବିଧାନସଭା ନିର୍ବାଚନରେ ଆପକୁ ଭୋଟ ଦେବା ପାଇଁ ମନ ସ୍ଥିର କରିନେଇଛନ୍ତି। ଏପରି କି ଅନେକ ମତଦାତା ରାଷ୍ଟ୍ରୀୟ ସରକାର ଓ ରାଜ୍ୟ ସରକାର ମଧ୍ୟରେ ଥିବା ପାର୍ଥକ୍ୟକୁ ବର୍ଣ୍ଣନା କରୁଛନ୍ତି।
ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଆପ ଆଗରେ ଥିବାର ଦୁଇଟି କାରଣ ରହିଛି। କେଜ୍ରିୱାଲ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାମକୁ ଲୋକମାନଙ୍କ ଦ୍ୱାରା ମଞ୍ଜୁରୀ ହୋଇଥିଲା। ଏହା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସରକାରଙ୍କ ଲୋକପ୍ରିୟତାକୁ ଅତ୍ୟଧିକ ବୃଦ୍ଧି କରିଛି। ଏହାଛଡ଼ା ବିଜେପି ଓ କଂଗ୍ରେସରେ ଲୋକପ୍ରିୟ ନେତାଙ୍କର ଅଭାବ ରହିଛି, ଯେଉଁମାନେ କି କେଜ୍ରୀୱାଲ ଲୋକପ୍ରିୟତାର ରେଟିଂ ସହିତ ସମକକ୍ଷ ହୋଇପାରିବେ।
କିନ୍ତୁ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଆପ ଭଲ ପ୍ରଦର୍ଶନ କରିନାହିଁ। କିନ୍ତୁ ଯେବେଠାରୁ ଆପ ଅସ୍ଥିତ୍ୱକୁ ଆସିଛି ସେବେଠାରୁ ଦିଲ୍ଲୀରେ ସରକାର ଚଳାଇବାର ଦିଲ୍ଲୀ ମତଦାତାମାନଙ୍କ ପାଇଁ ଲୋକପ୍ରିୟ ବିକଳ୍ପ ଭାବରେ ଉଭା ହୋଇଛି। କିନ୍ତୁ ୨୦୧୩ରେ ଆପ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ୨୯.୫ ପ୍ରତିଶତ ଭୋଟ ସହିତ ୨୮ଟି ଆସନରେ ବିଜୟୀ ହୋଇଥିଲେ ହେଁ ଅଧିକାଂଶ ଆସନରେ ବିଜୟୀ ହୋଇପାରିନଥିଲା। ପ୍ରାୟ ଏକ ବର୍ଷ ପରେ ୨୦୧୫ ବିଧାନସଭା ନିର୍ବାଚନରେ ଆପ ୫୪.୩ ପ୍ରତିଶତ ଭୋଟ ସହିତ ମୋଟ ୭୦ ଆସନରୁ ୬୭ ଆସନରେ ବିଜୟୀ ହୋଇଥିଲା।
ଋାଷ୍ଟ୍ରୀୟ ପ୍ରସଙ୍ଗକୁ ନେଇ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ବିଜେପି ତାର ସଫଳତା, ନାଗରିକ ସଂଶୋଧନ ଅଧିନିୟମ, ଅନୁଚ୍ଛେଦ-୩୭୦କୁ ରଦ୍ଦ କରିବା, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ତିନି ତଲାକକୁ ନେଇ ନିର୍ବାଚନକୁ ଓହ୍ଲାଇବ। କିନ୍ତୁ ଲୋକମାନେ ବିଧାନସଭା ନିର୍ବାଚନ ସମୟରେ ଅସଙ୍ଗତ ଭାବରେ ମତଦାନ କରିଛନ୍ତି। ବିଗତ ଦିନର ଭୋଟ ପ୍ରକ୍ରିୟାକୁ ଦେଖି ଯାହା ଜଣାପଡ଼ୁଛି ଦିଲ୍ଲୀର ମତଦାତାମାନେ ସ୍ଥାନୀୟ ପ୍ରସଙ୍ଗ ସମ୍ପର୍କରେ ଅଧିକ ଚିନ୍ତିତ ହୋଇପାରନ୍ତି ଓ ଏହି ସ୍ଥାନୀୟ ପ୍ରସଙ୍ଗକୁ ନେଇ ଭୋଟ ମଧ୍ୟ ଦେଇପାରନ୍ତି।
ଚଳିତ ନିର୍ବାଚନ ପାଇଁ ଆପ ପକ୍ଷରୁ ଉତ୍ତମ ରଣନୀତି ପ୍ରସ୍ତୁତ କରାଯାଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର ଦ୍ୱାରା କରାଯାଇଥିବା କାମକୁ ନେଇ ଆପ ନିର୍ବାଚନ ପ୍ରଚାର କରିବ। ଝାରଖଣ୍ଡ ଓ ହରିଆନାର ମତଦାତାମାନେ ରାଷ୍ଟ୍ରୀୟ ପ୍ରସଙ୍ଗ ଅପେକ୍ଷା ରାଜ୍ୟର ଓ ସ୍ଥାନୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ମତଦାନ କରିଛନ୍ତି। ଦିଲ୍ଲୀର ମତଦାତାମାନେ ରାଷ୍ଟ୍ରୀୟ ପ୍ରସଙ୍ଗ ପରିବର୍ତ୍ତେ ଦିଲ୍ଲୀର ସ୍ଥାନୀୟ ପ୍ରସଙ୍ଗକୁ ନଜରରେ ରଖି ମତଦାନ କରିବେ ବୋଲି ମୁଁ ଚିନ୍ତା କରୁଛି।
ମତଦାନ ସମୟରେ ରାଜ୍ୟର ପ୍ରସଙ୍ଗ ପାଇଁ ମତଦାତାମାନଙ୍କର ପ୍ରାଥମିକତା ଆପକୁ ତାର ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ମଜଭୂତ ଢଙ୍ଗରେ ବହୁତ ଆଗରେ ରଖିବ। କାରଣ ଦିଲ୍ଲୀରେ କେଜ୍ରୀୱାଲ ସରକାର ଦ୍ୱାରା କରାଯାଇଥିବା କାମକୁ ବହୁତ ସ୍ୱୀକୃତି ମିଳିଛି। ସର୍ଭେର ପରିସଂଖ୍ୟାନରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ସରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ମାଧ୍ୟମରେ ଦିଲ୍ଲୀବାସୀମାନଙ୍କୁ ବହୁତ ଲାଭ ମିଳିଛି। ଏହି ଲାଭ ହିଁ ସେମାନଙ୍କ ମତଦାନ ନିର୍ଣ୍ଣୟକୁ ସ୍ଥିର କରିବାରେ ସହାୟକ ହେବ। ମତଦାତାମାନେ ନିଜର ମତଦାନର ନିଷ୍ପତ୍ତି ରାଷ୍ଟ୍ରୀୟ ପ୍ରସଙ୍ଗ ପରିବର୍ତ୍ତେ ରାଜ୍ୟ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ନିକଟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି।
ସିଏସଡିଏସ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ମିଳିଥିବା ସଂକେତ ଅନୁସାରେ ଦିଲ୍ଲୀର ମତଦାନ କେନ୍ଦ୍ରରେ ମୋଦି ଦ୍ୱାରା କରାଯାଇଥିବା କାମକୁ ଦେଖିବା ପରିବର୍ତ୍ତେ ରାଜଧାନୀ ଦିଲ୍ଲୀରେ କେଜ୍ରୀୱାଲଙ୍କ ଦ୍ୱାରା କରାଯାଇଥିବା କାମକୁ ଗୁରୁତ୍ୱ ଦେବେ। ପ୍ରତି ଦୁଇ ଜଣରୁ ଜଣେ ବା ୫୫ ପ୍ରତିଶତରୁ ଅଧିକ ମତଦାତାଙ୍କ କହିବା ଅନୁସାରେ ଆପ ସରକାର ଦ୍ୱାରା କରାଯାଇଥିବା କାମକୁ ଦେଖି ମତଦାନ କରିବେ। କେବଳ ୧୫ ପ୍ରତିଶତ ଲୋକଙ୍କ କହିବା ଅନୁସାରେ ସେମାନେ କେନ୍ଦ୍ରରେ ମୋଦିଙ୍କ ସରକାରଙ୍କ ଦ୍ୱାରା କରାଯାଇଥିବା କାମ ଉପରେ ମତଦାନ କରିବେ।
ସିଏଡିଏସର ଦିଲ୍ଲୀ ଶାସନ ସର୍ଭେ ଅନୁସାରେ ଆପ ସରକାର ସହିତ ମତଦାତାଙ୍କ ମଧ୍ୟରେ ବହୁତ ଅିକ ସନ୍ତୁଷ୍ଟି ରହିଥିବାର ସଂକେତ ମିଳିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ସହିତ ମତଦାତାଙ୍କ ସନ୍ତୁଷ୍ଟି ସ୍ତର ଉଚ୍ଚତର ଭାବେ ରହିଛି, କିନ୍ତୁ ହରିଆନା ଓ ଝାରଖଣ୍ଡ ଭଳି ରାଜ୍ୟର ନିର୍ବାଚନରେ ତାହା ବିଜେପି ପାଇଁ ଭୋଟରେ ପରିଣତ ହୋଇପାରିଥିବା ଦେଖାଯାଇନାହିଁ। ତଥ୍ୟ ଅନୁସାରେ ଆପକୁ ମତଦାତାମାନଙ୍କର ସବୁଠାରୁ ଲୋକପ୍ରିୟ ପସନ୍ଦ ଭାବରେ ଦେଖାଯାଉଛି। ଏପରିକି ଯେଉଁ ଲୋକମାନେ ମୋଦି ସରକାରଙ୍କ ପ୍ରଦର୍ଶନରେ ପୁରାପୁରି ସନ୍ତୁଷ୍ଟ ଅଛନ୍ତି ସେମାନେ ମଧ୍ୟ ଆପକୁ ସମର୍ଥନ କରୁଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ ବିଜେପିର ଗତ ୬ମାସର କାମରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ବୋଲି ଦାବି କରୁଥିବା ଲୋକମାନଙ୍କ ମଧ୍ୟରୁ ଦୁଇରୁ ଅଧିକ ଆପ ଆଡ଼କୁ ଢଳିବାରେ ଲାଗିଛନ୍ତି।
ଆପ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବାର ଆଉ ଏକ କାରଣ ହେଉଛି, ଆପ ସରକାର ବିରୋଧରେ କ୍ଷମତା ବିରୋଧି ଲହର ନାହିଁ। ଲୋକମାନେ ପ୍ରାୟତଃ ଖୁସି ଥିବା ଲାଗୁଥିଲେ ଓ ସେମାନଙ୍କ ମଧ୍ୟରେ ଆପ ସରକାର ବିରୋଧରେ କ୍ଷମତା ବିରୋଧି ଲହର ଥିବାର କୌଣସି ସଂକେତ ନଥିଲା। ଯଦିଓ ବିଜେପି ରାଷ୍ଟ୍ରୀୟ ପ୍ରସଙ୍ଗକୁ ନେଇ ହରିଆନାରେ ବହୁତ ଲୋକପ୍ରିୟ ଥିବାରୁ ୨୦୧୯ ଲୋକସଭା ନିର୍ବାଚନରେ ୫୮ ପ୍ରତିଶତ ଭୋଟ ପାଇଥିଲା। କିନ୍ତୁ ଖଟ୍ଟର ସରକାର ବିରୋଧରେ ଶାସନ ବିରୋଧି ଲହର ଥିବାରୁ ବିଜେପି ସ୍ପଷ୍ଟ ବହୁମତ ପାଇବାରୁ ବଞ୍ଚିତ ହୋଇଥିଲା। ଏହିଭଳି ଝାରଖଣ୍ଡରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପ୍ରତି ବିଶେଷ କରି ଆଦିବାସୀମାନଙ୍କର ଲୋକପ୍ରିୟତାର ଅଭାବରୁ ଲୋକସଭା ନିର୍ବାଚନ ତୁଳନାରେ (ବିଜେପି-ଆଜସୁର ମିଳିତ ଭୋଟ ହାର ୫୫.୩ ପ୍ରତିଶତ ଥିଲା) ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ହାର ୨୨ ପ୍ରତିଶତ ହ୍ରାସ ପାଇଥିଲା। ଏହା ଭୁଲିବା ଉଚିତ ନୁହେଁ ଯେ ରାଜ୍ୟ ସରକାର ବିରୋଧରେ କ୍ଷମତା ବିରୋଧି ଲହର ଯୋଗୁଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନରେ ମୋଦିଙ୍କ ଲୋକପ୍ରିୟତା ପଛରେ ପଡ଼ିଯାଇଥିଲା। ଏହିଭଳି କ୍ଷେତ୍ରରେ ଆପ ସରକାର ବିରୋଧରେ କୌଣସି ସମସ୍ୟା ଦେଖିବାକୁ ମିଳୁନାହିଁ।
ଏହା ଧ୍ୟାନ ରଖିବା ଗୁରୁତ୍ୱପୂର୍ଣ୍ଣ କାରଣ ସେ ସମୟରେ ହୋଇଥିବା ନିର୍ବାଚନରେ ପାର୍ଟି ତୁଳନାରେ ବ୍ୟକ୍ତିଙ୍କ ଲୋକପ୍ରିୟତା ଅଧିକ ହୋଇଯାଇଥିଲା। ଏଥିପାଇଁ ଆପ ଦିଲ୍ଲୀରେ ବିଜେପି ବିରୋଧରେ ଅଧିକ ସଫଳତା ପାଇଥିଲା। କାରଣ ସେତେବେଳେ ଅତ୍ୟନ୍ତ ଲୋକପ୍ରିୟ ଆପ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲଙ୍କୁ ସମ୍ମୁଖୀନ ହେବା ପାଇଁ ବିଜେପିର କୌଣସି ନେତା ନଥିଲେ।
ଦିଲ୍ଲୀରେ ବିଜେପିର ଅନେକ ନେତା ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ହେଲେ ବି କେହି ଅରବିନ୍ଦ କେଜ୍ରୀୱାଲଙ୍କ ଲୋକପ୍ରିୟତାର ସମକକ୍ଷ ନାହାନ୍ତି। ତେଣୁ ବିଜେପି ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ଲଢ଼ିବ। ନରେନ୍ଦ୍ର ମୋଦି ଏବେବି ଦିଲ୍ଲୀର ମତଦାତାଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଛନ୍ତି। କିନ୍ତୁ ଦିଲ୍ଲୀ ଶାସନ ଅଧ୍ୟୟନ ନିଷ୍କର୍ସରୁ ଯାହା ଜଣାପଡ଼ୁଛି କେଜ୍ରୀୱାଲଙ୍କ ଲୋକପ୍ରିୟତା ମୋଦିଙ୍କ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି। ଏହିଭଳି ଭାବେ ଦିଲ୍ଲୀର ଚଳିତ ନିର୍ବାଚନ ମୋଦି ବନାମ କେଜ୍ରୀୱାଲ ହୋଇଥିଲେ ହେଁ କେଜ୍ରୀୱାଲ ନିଜ କ୍ଷେତ୍ରରେ ଅଧିକ ଦୃଢ଼ ଥିବା ଜଣାପଡ଼ୁଛି।
ଦିଲ୍ଲୀର ମତଦାତାମାନେ ୮ ଫେବୃଆରୀକୁ ମତଦାନ କରିବା ପୂର୍ବରୁ ଏକ ସପ୍ତାହରୁ ଅଧିକ ସମୟ ରହିଛି। ଆଗାମୀ ଦିନରେ କିଛି ମନଗଢ଼ା କାହାଣୀ ସାମାନାକୁ ଆସିପାରେ। ଏହାପରେ ବି ଆପ ଯଦି ସ୍ଥାନୀୟ ପ୍ରସଙ୍ଗରେ କଥା କହିବାରେ ସଫଳ ହୁଏ ତେବେ ତାକୁ ଆଉ ଥରେ ଦିଲ୍ଲୀରେ ବିଜୟର ଆଶ୍ୱାସନା ଦେବା ଉଚିତ।
-ସଞ୍ଜୟ କୁମାର ସେଣ୍ଟର ଫର ଦି ଷ୍ଟଡ଼ି ଅଫ ଡେଭଲପିଙ୍ଗ ସୋସାଇଟ (ସିଏସଡିଏସ)ର ଜଣେ ପ୍ରଫେସର। ଏହା ତାଙ୍କର ନିଜସ୍ୱ ମତ।