ନୂଆଦିଲ୍ଲୀ: କୋରୋନାକୁ ନାହିଁ ଖାତିର । ସାମାଜିକ ଦୂରତ୍ବକୁ ଫୁ । ମଦ ପାଇଁ ଆଜି ବି ଲମ୍ବା ଲାଇନ । ରାଷ୍ଟ୍ରୀୟ ରାଜଧାନୀରେ ବୋତଲ ପାଇଁ ଲୋକଙ୍କ ବ୍ୟାକୁଳତା ପୁଣି ଥରେ ଦେଖିବାକୁ ମିଳିଛି । ସେପଟେ ଆଜି ଠାରୁ ଦିଲ୍ଲୀରେ ମଦ ଉପରେ 70 ପ୍ରତିଶତ ଟିକସ ଦର ବୃଦ୍ଧି କରାଯାଇଥିଲେ ବି ମଦ୍ୟପଙ୍କୁ କିଛି ଫରକ ପଡୁନି । ସ୍ପେଶାଲ କୋରୋନା ଫି ନାମରେ ଦର ବୃଦ୍ଧି କରାଯାଇଛି ।
ପୂର୍ବ ଦିଲ୍ଲୀର ବିଶ୍ବାସ ନଗର ଅଞ୍ଚଳରେ ଆଜି ଭୋର 5ଟାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏମାନଙ୍କୁ ମଦ ନିଶା ଏପରି ଯେ, ଦରଦାମ ବୃଦ୍ଧି ମଧ୍ୟ ଦେଖାଯାଉନି । ଗତ ସୋମବାର ତୃତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଥିବାବେଳେ ଦିଲ୍ଲୀ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରର ଦୃଶ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଥିଲା ।
ଦୋକାନ ଖୋଲିବା ପୂର୍ବରୁ ଲୋକଙ୍କ ଲମ୍ବା ଲାଇନ । କିଏ ଏକା ସାଙ୍ଗରେ 3 ,4 ବୋତଲ ଉଠାଇ ନେଉଛି ତ କିଏ ପେଟି ପେଟି । ଆଉ କେତେକ ପରସ୍ପରକୁ ଧକ୍କା ଦେଇ ଆଗୁଆ ନେବାକୁ ଭିଡ ଜମାଇଥିଲେ । ସଂକ୍ରମଣକୁ ଭୁଲି ଆଗ ମଦ ପାଇଁ 1 କିଲୋ ମିଟର ଯାଏଁ ମଦୁଆଙ୍କ ଲମ୍ବା ଲାଇନ ଲାଗିଥିଲା । ମଦ୍ୟପଙ୍କ ଅସମ୍ଭାଳ ଭିଡକୁ ଦେଖି ଶେଷରେ ପୋଲିସ ଲାଠି ଚାର୍ଚ୍ଚ କରିବାକୁ ମଧ୍ୟ ପଛାଇନଥିଲା ।
କୋରୋନା ସଂକ୍ରମଣ ବଢୁଥିବା ଲୋକଙ୍କ ଏଭଳି ଆଚରଣ ପରିସ୍ଥିତିକୁ ଆହୁରୀ ଗମ୍ଭୀର କରିଦେଇଛି । ଯାହାକୁ ନଜରରେ ରଖି ସରକାର ମଦ ଉପରେ 70 ପ୍ରତିଶତ କୋରୋନା ଫି ବୃଦ୍ଧି କରିବାକୁ ଘୋଣଷା କରିଥିଲା । ଆଜି ଠାରୁ ଦାମ ଲାଗୁ କରାଯାଇଛି । ଯାହା ପୂର୍ବରୁ 500 ଟଙ୍କା ତାହା ଏବେ 850 ବୃଦ୍ଧି ହୋଇଛି, 1000 ଟଙ୍କା 1700 ଟଙ୍କା ବିକ୍ରି କରାଯାଇଛି ।
ସେପଟେ, ଦିଲ୍ଲୀ ଅବକାରୀ ବିଭାଗର କମିଶନର ସମସ୍ତ ଦୋକାନକୁ ଏକ ଚିଠି ଲେଖି ଜଣାଇ ଦେଇଛନ୍ତି ଯେ, ସମସ୍ତ ଦୋକାନ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବେ ।ସକାଳ 9 ଟାରୁ ରାତି 6:30 ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହି ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ନିବେଦନ କରିଛନ୍ତି । ଏହା ଦ୍ବାରା ଦିଲ୍ଲୀରେ ଧୀରେ ଧୀରେ ଶିଳ୍ପ ବ୍ୟବସାୟ ଖୋଲାଯାଇପାରିବ ।