ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦ୍ବିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ମୋଦିଙ୍କ ଟିମ୍ ବି ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଭବନରେ ବର୍ଣ୍ଣାଢ୍ୟ ଆୟୋଜନ । ଆସିବାକୁ ଲାଗିଲେଣି ବିଦେଶୀ ଅତିଥି । ଏପଟେ ଶପଥ ଗ୍ରହଣ ପୂର୍ବରୁ ମୋଦି-ଶାହଙ୍କ ଭିତରେ ଚାଲିଛି ଶେଷ ବୈଠକ ।
ସୂଚନା ମୁତାବକ, 7 ଲୋକ କଲ୍ୟାଣ ମାର୍ଗରେ ଉଭୟ ନେତାଙ୍କ ବୈଠକ ଚାଲିଛି । ମୋଦି କ୍ୟାବିନେଟରେ କାହାକୁ ଇନ୍ ଏବଂ କାହାକୁ ଆଉଟ କରାଯିବ, ସେନେଇ ଚର୍ଚ୍ଚା ଚାଲିଥିବା ଅନୁମାନ କରାଯାଉଛି । ସହଯୋଗୀ ଦଳଗୁଡିକୁ କେତୋଟି ମନ୍ତ୍ରୀ ପଦ ମିଳିବ, ସେନେଇ ବି ସ୍ପଷ୍ଟ ହୋଇନାହିଁ । ଏପଟେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ କହିବା ଅନୁସାରେ ଏନଡିଏର ସମସ୍ତ ସହଯୋଗୀ ଦଳଙ୍କୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିବ ବୋଲି ନିଷ୍ପତ୍ତି ହୋଇଛି ।
ମୋଦି-ଶାହ ବୈଠକ ପରେ ଚିତ୍ର ସ୍ପଷ୍ଟ ହୋଇପାରେ । ଏଥର ମୋଦି କ୍ୟାବିନେଟରେ ଓଡିଶାରୁ କେତୋଟି ଏବଂ କାହା କାହାକୁ ମନ୍ତ୍ରୀ ପଦ ମିଳୁଛି, ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଜୁଏଲ ଏବଂ ଧର୍ମେନ୍ଦ୍ରଙ୍କୁ ରିପିଟ କରିପାରନ୍ତି ମୋଦି । ସୁରେଶ ପୂଜାରୀ, ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ ଏବଂ ବସନ୍ତ ପଣ୍ଡାଙ୍କ ନାଁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।