ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାରର ପିତାଙ୍କ ଯାଚିକା ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କୋର୍ଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ତାଙ୍କ ଯାଚିକା ଉପରେ ଶୁଣାଣି ଶେଷ କରିଥିବାବେଳେ ରାୟକୁ ଆଜି(ସୋମବାର) ଅପରାହ୍ନ 4ଟାରେ ପ୍ରକାଶ କରିବେ ।
ଜାନୁଆରୀ 6 ତାରିଖରେ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ ଖାରଜ କରିଥିବା ଯାଚିକା ବିରୋଧରେ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ଯାଚିକାରେ ମିଡିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । ନିର୍ଭୟା ମାମଲାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତାଙ୍କ ପୁରୁଷ ବନ୍ଧୁ ଥିବାବେଳେ ତାଙ୍କରି ବୟାନକୁ ଆଧାର କରି କୋର୍ଟ ଏମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ କୋର୍ଟରେ ମିଛ କହିଥିବା ସେ ଯାଚିକାରେ ଦର୍ଶାଇଥିଲେ ।
ଏନେଇ ପୁରୁଷ ବନ୍ଧୁ ଜଣଙ୍କ ମିଡିଆକୁ ସାକ୍ଷାତକାର ଦେଇ ଅନେକ ଟଙ୍କା କମାଇଛନ୍ତି । ଏହାସହ ମିଡିଆରେ ଏଖବର ବହୁଳ ମାତ୍ରାରେ ପ୍ରସାର ଫଳରେ ମାମଲାର ମିଡିଆ ଟ୍ରାଏଲ ହୋଇଥିଲା । ଯାହା କୋର୍ଟର ଟ୍ରାଏଲ ଉପରେ ପ୍ରଭାବ ପକାଇଥିଲା । ସେଥିଲାଗି ଏହି ମାମଲାର ସ୍ବତନ୍ତ୍ର ଯାଞ୍ଚ କରିବାକୁ ପବନର ବାପା ଯାଚିକା ଦାୟର କରିଥିଲେ । ପ୍ରଥମେ ଏନେଇ ପବନର ବାପା ପୋଲିସ ପାଖରେ ଅଭିଯୋଗ କରିଥିଲେ ବି ପୋଲିସ ଏଫଆଇଆର ରଖିନଥିବାରୁ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।