ବିଶାଖାପାଟନମ: ଗ୍ୟାସ ଲିକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି ବୋଲି ଗୁରୁବାର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ(ଏନଡିଆରଏଫ) ମହାନିର୍ଦ୍ଦେଶକ ଏସଏନ ପ୍ରଧାନ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ତଥା ଏମ୍ସ ନିର୍ଦ୍ଦେଶକଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏନଡିଆରଏଫ ମହାନିର୍ଦ୍ଦେଶକ ଏହା କହିଛନ୍ତି ।
ଏସଏନ ପ୍ରଧାନ କହିଛନ୍ତି, ‘ରାତି 2.30ରେ ଏହି ଘଟଣା ଘଟିଛି । ଆରମ୍ଭରୁ ଗଳା ପୋଡିବା, ଚର୍ମ ପୋଡାଜଳା ଓ ବିଷାକ୍ତ ଗ୍ୟାସର ଗନ୍ଧ ଯୋଗୁଁ ଲୋକମାନେ ପ୍ରଭାବିତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ସହିତ ଯୋଗାଯୋଗ କରିବାପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ’
ସେ କହିଛନ୍ତି, ‘ସକାଳ ପ୍ରାୟ 5.30ରେ ବିଶାଖାପାଟନମରେ ଅବସ୍ଥାପିତ ସ୍ଥାନୀୟ ଏନଡିଆରଏଫ ୟୁନିଟକୁ ସୂଚନା ଦିଆଯାଇଥିଲା । ସେମାନେ 30 ମିନିଟରେ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେମାନେ ଦୁଇଟି କାର୍ଯ୍ୟ କରିଥିଲେ, ଗୋଟିଏରେ କାରଖାନା ଭିତରେ ଥିବା ଗ୍ୟାସର ଲିକେଜକୁ ବନ୍ଦ କରିବା ଓ କାରଖାନା ନିକଟରେ ରହିଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବା ।’
ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନହେବା ପର୍ଯ୍ୟନ୍ତ ଏନଡିଆରଏଫ ୟୁନିଟ୍ ସେହି ଅଞ୍ଚଳରେ ରହିବ ବୋଲି ପ୍ରଧାନ କହିଛନ୍ତି । ଗ୍ୟାସ ଲିକ ପାଇଁ ପ୍ରାୟ 200ରୁ 250ପରିବାର ଉକ୍ତ ସ୍ଥାନରୁ ସ୍ଥାନାନ୍ତରିତ ହୋଇଛନ୍ତି । ଏନଡିଆରଏଫ ଦ୍ବାର ଦ୍ବାର ବୁଲି ଲୋକମାନଙ୍କୁ ଖୋଜାଖୋଜି କରିବା ସହ ଉଦ୍ଧାର କରିଥିଲା । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ଏନଡିଆରଏଫ ୟୁନିଟ୍ ସେଠାରେ ରହିବ ବୋଲି ସେ କହିଛନ୍ତି ।
ଏନଡିଆରଏଫ ୟୁନିଟ ରାସାୟନିକ ବିପର୍ଯ୍ୟୟର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ସେ ପ୍ରକାଶ କରିଛନ୍ତି । ପ୍ରଧାନ ସୂଚନା ଦେଇଛନ୍ତି, ରାସାୟନିକ,ଜୈବିକ, ରେଡିଓଲୋଜିକାଲ ବିପର୍ଯ୍ୟୟରେ ଦକ୍ଷତା ରଖିଥିବା ଏନଡିଆରଏଫ ଦଳ ପୁନେର ପଞ୍ଚମ ବାଟାଲିୟନରେ ରହିଛନ୍ତି । ଘଟଣାସ୍ଥଳରେ ପହଞ୍ଚିବା ପାଇଁ ପୁନେରୁ ସେମାନଙ୍କୁ ବିମାନରେ ଅଣାଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଏହା ଏକ ରାସାୟନିକ ବିପର୍ଯ୍ୟୟ ହୋଇଥିବା ବେଳେ ପରିସ୍ଥିତିର ଆକଳନ ପାଇଁ କମାଣ୍ଡାଣ୍ଟ ଅନୁପମ ଶ୍ରୀବାସ୍ତବଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ୍ ପଠାଯିବ। ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ ସୂଚନା ଦେଇଛନ୍ତି ।
ସେହିପରି ଗୋପାଳପାଟନମର ଏଲଜି ପଲିମେର୍ସରେ ଗ୍ୟାସ ଲିକେଜ୍ ହୋଇଥିବା ନେଇ ଗ୍ରେଟର ବିଶାଖାପାଟନମ ମ୍ୟୁନିସିପାଲ କର୍ପୋରେସନ କମିଶନର ସୂଚନା ଦେଇଛନ୍ତି । ଜିଭିଏମସି କମିଶନର ଶ୍ରୀଜାନା ଗୁମ୍ମଲା କହିଛନ୍ତି, ‘ଶହ ଶହ ଲୋକ ଏହି ଗ୍ୟାସକୁ ଗ୍ରହଣ କରିବା ଫଳରେ ଚେତାଶୂନ୍ୟ ହୋଇପଡିଛନ୍ତି ।’
ଅନେକ ଲୋକ ସେମାନଙ୍କ ଆଖି ପୋଡିବା, ଶ୍ବାସକ୍ରିୟାରେ ଅସୁବିଧା ଭଳି ସମସ୍ୟା ଭୋଗୁଥିବା କଥା ପଶ୍ଚିମ ଜୋନ ଏସପି ସ୍ବରୂପା ରୋପା ରାନୀ ସୂଚନା ଦେଇଛନ୍ତି । ସେହିପରି ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ସେ ପ୍ରକାଶ କରିଛନ୍ତି । ଏଲଜି ପଲିମେର୍ସରୁ ରାସାୟନିକ ଗ୍ୟାସ ଲିକ ହୋଇ ତିନି କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ପଶ୍ଚିମ ଜୋନ ଏସପି ସ୍ବରୂପା ରାନୀ କହିଛନ୍ତି ।
ଅନ୍ୟପକ୍ଷରେ ଶିଳ୍ପସଂସ୍ଥାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଜିଭିଏମସି ପରାମର୍ଶ ଦେଇଛି । ଜିଭିଏମସି ପକ୍ଷରୁ ଏକ ଟ୍ବିଟରରେ କୁହାଯାଇଛି, ‘ସତର୍କତାମୂଳକ ପଦକ୍ଷେପ ଭାବରେ ଶିଳ୍ପସଂସ୍ଥାର କଲୋନୀ ଓ ନିକଟରେ ଥିବା ନିରାପଦ ସ୍ଥାନକୁ ଯାଇପାରନ୍ତି ।’ ଏହା ସହ ନାକ ଓ ମୁଖକୁ ଘୋଡାଇବା ପାଇଁ ଓଦା ପୋଷାକ ବ୍ୟବହାର କରିବାକୁ ମଧ୍ୟ ଜିଭିଏମସି ପରାମର୍ଶ ଦେଇଥିଲା । ଗୁମ୍ମଲା ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ବ୍ଲୋଭର ମାଧ୍ୟମରେ ଜଳ ପ୍ରବାହିତ କରି GVMC ଏହାର ପ୍ରଭାବକୁ ହ୍ରାସ କରିବାକୁ ଚେଷ୍ଟା କରୁଛି।
ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଡାକ୍ତରଖାନା ପରିଦର୍ଶନ କରିବା ସହ ପୀଡିତମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଭାବିତ ଲୋକଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ କରିବାକୁ ବିଶାଖାପାଟନମ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
(ANI ଓ PTI ଇନପୁଟ ସହିତ)