ଆମେ ଏମିତି ଏକ ଦେଶରେ ରହୁଛୁ, ଯେଉଁଠି ପ୍ରାୟ ଅର୍ଦ୍ଧେକ ନଦୀର ପାଣି ପିଇବା ଉପଯୋଗୀ ନୁହେଁ । କେବଳ ନଦୀ କାହିଁକି, ଅଂସଖ୍ୟ ପୋଖରୀ ଓ ଜଳାଶୟ, ଏମିତି କି ଭୂତଳ ଜଳ ମଧ୍ୟ ପ୍ରଦୂଷିତ ହେବାରେ ଲାଗିଛି । ହାଇଦ୍ରାବାଦ ମେଟ୍ରୋ ନଗରୀ ପରିସରରେ ଥିବା ମୋଟ ପ୍ରାୟ 185ଟି ଜଳାଶୟ ପାଇଁ, ଶିଳ୍ପ ସଂସ୍ଥାରୁ ନିର୍ଗତ ଏବଂ ରାସାୟନିକ ବର୍ଜ୍ୟବସ୍ତୁ ମୃତ୍ୟୁଦଣ୍ଡ ସଦୃଶ ହୋଇଛି । ଯଦିଓ ସଂପ୍ରତି ଲକ୍ଡାଉନ୍ କାରଣରୁ ଜଳ ଓ ବାୟୁର ଗୁଣମାନରେ କିଛିଟା ଉନ୍ନତି ଲକ୍ଷ୍ୟ କରାଯାଇଥିଲା, ତଥାପି, ନିକଟରେ ହୋଇଥିବା ବର୍ଷା କାରଣରୁ ପୁଣି ବିଭିନ୍ନ ଜଳାଶୟ ଭିତରକୁ ବର୍ଜ୍ୟବସ୍ତୁର ନିରବ ପ୍ରବାହ ପରିଲକ୍ଷିତ ହୋଇଛି ଏବଂ ଆଖପାଖ ଅଞ୍ଚଳରୁ ଦୁର୍ଗନ୍ଧ ବାହାରୁଛି ।
ନିକଟରେ ସରକାର 400 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସଫା କରିଥିବା ହୁସେନ ସାଗର ସମେତ ସହରର ସମସ୍ତ ଜଳ ଉତ୍ସ ଭିତରକୁ ଟନ୍ ଟନ୍ ରାସାୟନିକ ବର୍ଜ୍ୟବସ୍ତୁ ଛଡ଼ାଯାଉଛି । ଜଳାଶୟ ସନ୍ନିକଟ ଜାଗାକୁ ବେଆଇନ ଜବରଦଖଲ କରି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସରକାରୀ କର୍ତ୍ତୃପକ୍ଷ ସୁପ୍ତ ଅବସ୍ଥାରେ ଅଛନ୍ତି ବୋଲି ଗତ ଜାନୁଆରୀ ମାସରେ ତେଲଙ୍ଗାନା ହାଇକୋର୍ଟ ମତପୋଷଣ କରିବା ସହିତ ସରକାର ‘ହାଇଦ୍ରାବାଦକୁ ଜୟସାଲମେର ସଦୃଶ’ ସହରରେ ପରିଣତ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ପରବର୍ତ୍ତୀ ମାସରେ ‘ମୁନ୍ନେରୁ ଭାଗୁ’ରେ ଶହ ଶହ ବତକଙ୍କ ମୃତ୍ୟୁ ଘଟଣା ବେଶ ହଇଚଇ ସୃଷ୍ଟି କରିଥିଲା ।
‘ଗନ୍ଦିଗୁଡ଼େମ’ ଏବଂ ‘ଗଡ୍ଡି ପୋଟାରାମ ପେଦ୍ଦା ଚେରୁଭୁ’ ନାମକ ଦୁଇଟି ହ୍ରଦରେ ବହୁସଂଖ୍ୟକ ମଲା ମାଛ ଜମା ହେବା ଘଟଣାରେ କ୍ଲୋରୋମିଥେନ୍ ଭଳି ରାସାୟନିକ ବର୍ଜ୍ୟବସ୍ତୁର ଭୂମିକାକୁ ନେଇ ଅତୀତରେ ବହୁ ସାରଗର୍ଭକ ଲେଖାମାନ ପ୍ରକାଶିତ ହୋଇଛି । ବାସ୍ତବ କ୍ଷେତ୍ରର ଅନୁଧ୍ୟାନରୁ ଜଣାଯାଏ ଯେ ଏବେ ବି ସେଠାକାର ସ୍ଥିତିରେ ଉନ୍ନତି ହୋଇନାହିଁ । ଏହା କେବଳ ଗୋଟିଏ ଅଞ୍ଚଳର ବା କେତେକ ରାଜ୍ୟର ସମସ୍ୟାରେ ସୀମିତ ହୋଇ ରହିନାହିଁ । ‘ୱାଟର ଏଡ୍’ ସଂଗଠନର ଅନୁଧ୍ୟାନରୁ ଜଣାଯାଇଛି ଯେ ଦେଶର 80 ପ୍ରତିଶତ ଭୂପୃଷ୍ଠ ଜଳାଶୟ ସଂକ୍ରମିତ ହୋଇଛି ଏବଂ ଏଥିରୁ ହିଁ ପରିସ୍ଥିତିର ଗୁରୂତ୍ବ ବୁଝିହୁଏ ।
ଷାଠିଏ ଦଶକରେ ବାଙ୍ଗାଲୋର ନଗରୀରେ ଭରି ରହିଥିଲା 260ରୁ ଅଧିକ ହ୍ରଦ... ଆଜି ସେଥିରୁ ମାତ୍ର ଦଶଟି ଯାହା ରହିଛି । ଦୁଇ ଦଶନ୍ଧି ତଳେ ଅହମ୍ମଦାବାଦ ସହରରେ 137ଟି ଜଳାଶୟ ରହିଥିଲା କିନ୍ତୁ ଜବରଦଖଲ ଏବଂ ନିର୍ମାଣ କାର୍ଯ୍ୟ ଯୋଗୁଁ 2012 ସୁଦ୍ଧା ତହିଁରୁ ଅଧା ଲୋପ ପାଇଯାଇଥିଲା । ଗତ 12 ବର୍ଷ ଭିତରେ ସହରର 3200 ହେକ୍ଟର ଅଞ୍ଚଳରୁ ଜଳ ଉତ୍ସ ଉଭାନ ହୋଇଯାଇଛି ବୋଲି ଆକଳନ କରାଯାଇଛି ।
ବିହାରର ପାଟନା ଜିଲ୍ଲାରେ ଗତ ଛଅ ଦଶନ୍ଧି ଭିତରେ ପ୍ରାୟ 800 ପୋଖରୀ ଏବଂ ହ୍ରଦ ଜବରଦଖଲ କରାଯାଇଛି । କେରଳରେ ‘ଜଳଶିରୀ’ ନାଁରେ ପରିଚିତ ଜଳସଂପଦର 73 ପ୍ରତିଶତ ଦୂଷିତ ହୋଇଛି ବୋଲି ପରିସଂଖ୍ୟାନରେ ଦର୍ଶାଯାଇଛି । କ୍ରମଶଃ ଜଳାଶୟଗୁଡ଼ିକର ସଂଖ୍ୟା ହ୍ରାସ ପାଉଥିବା ବେଳେ ଏ କ୍ଷେତ୍ରରେ ଥିବା ସମସ୍ତ ନୀତିନିୟମ ଉଲ୍ଲଂଘନ କରି ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ବାରା ଅବଶିଷ୍ଟ ଜଳାଶୟଗୁଡ଼ିକ ଭିତରକୁ ବିଷାକ୍ତ ରାସାୟନିକ ଦ୍ରବ୍ୟ ଏବଂ ହାନିକାରକ ବର୍ଜ୍ୟବସ୍ତୁ ଛଡ଼ା ଯାଉଥିବାରୁ ସେଗୁଡ଼ିକ ମଧ୍ୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ତୁରନ୍ତ ପ୍ରତିଷେଧାତ୍ମକ ପଦକ୍ଷେପ ନିଆ ନଗଲେ ବର୍ତ୍ତମାନ ଉପଲବ୍ଧ ସୀମିତ ସଂଖ୍ୟକ ଜଳାଶୟଗୁଡ଼ିକୁ ବି ଦେଶ ହରାଇ ବସିବ ବୋଲି ପ୍ରାଧ୍ୟାପକ ଡକ୍ଟର ରାମଚନ୍ଦ୍ର ପ୍ରଭୁପାଦ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ଅନ୍ୟ ବିଜ୍ଞାନୀମାନେ ଦେଇଥିବା ସତର୍କ ସୂଚନାକୁ ସରକାର ଆଉ ଅଧିକ ଅଣଦେଖା କରିବା ଉଚିତ ହେବନାହିଁ ।
ଦେଶର 60 କୋଟିରୁ ଅଧିକ ଲୋକ ଗୁରୁତର ଜଳାଭାବ ଜନିତ ସ୍ଥିତି ଅନୁଭବ କରୁଛନ୍ତି ବୋଲି ‘ନୀତି ଆୟୋଗ’ ଘୋଷଣା କରିଛି । ଦେଶର ତିନି ଚତୁର୍ଥାଂଶରୁ ଅଧିକ ଜଳ ଉତ୍ସ ଦୂଷିତ ହୋଇଥିବା କାରଣରୁ ପ୍ରତି ବର୍ଷ ଦୁଇ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ବିଜ୍ଞାନ ବହୁ ଚମତ୍କାରିତା ସୃଷ୍ଟି କରିପାରିବ, କିନ୍ତୁ ମଣିଷ ଜଳ ସୃଷ୍ଟି କରିପାରିବ ନାହିଁ । ପ୍ରକୃତିଦତ୍ତ ପ୍ରତିଟି ଜଳବିନ୍ଦୁର ସଦୁପଯୋଗ କରିବାର ଆବଶ୍ୟକତା ଥିବା ସମୟରେ ସୀମିତ ସଂଖ୍ୟକ ଜଳାଶୟକୁ ନଷ୍ଟ କରିବା ଆତ୍ମଘାତୀ ହେବା ଭଳି ମନେ ହେଉଛି । ଗୁରୁତ୍ବପୂର୍ଣ୍ଣ ଜଳ ଉତ୍ସଗୁଡ଼ିକୁ ଦୂଷିତ କରିବା ଏକ ଗୁରୁତର ଅପରାଧ ଏବଂ ଏଥିପାଇଁ ସର୍ବାଧିକ ଦଣ୍ଡବିଧାନ ରହିବା କଥା । ଆଇନରେ ସଂସ୍କାର ଆଣିବା ସହିତ ଉତ୍ତମ ଗୁଣମାନ ବଜାୟ ରଖିବା ପାଇଁ ଜଳ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାର୍ଯ୍ୟକ୍ରମ ହାତକୁ ନେଲେ ହିଁ ଲୋକଙ୍କ ଜୀବନଯାପନର ଅଧିକାର ସୁରକ୍ଷିତ ରହିବ ।