ଶ୍ରୀନଗର: କ୍ରମାଗତ ଅଶାନ୍ତି ଓ ଆତଙ୍କବାଦକୁ ସାମ୍ନା କରୁଥିବା ଜମ୍ମୁ କାଶ୍ମୀରର ଜନସାଧାରଣ କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ସୀମା ପାର ପାକିସ୍ତାନ ବୁଲେଟର ଜବାବ ବାଲାଟରେ ଦେଇଛନ୍ତି ଜମ୍ମୁ କାଶ୍ମୀରବାସୀ ।
ରାତିପାହିଲେ ହେବ ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ(DDC) ନିର୍ବାଚନ ମତ ଗଣନା । ଏହି ନିର୍ବାଚନ ଏଥିପାଇଁ ସ୍ମରଣୀୟ ହୋଇ ରହିବ କାରଣ ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ହୋଇଛି ପ୍ରଥମ ଗଣତାନ୍ତ୍ରିକ ପ୍ରକ୍ରିୟା । ମୋଟ 280ଟି ଆସନ ପାଇଁ 8ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଡିଡିସି ନିର୍ବାଚନ ।
28 ନଭେମ୍ବରରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଶନିବାର ଶେଷ ହୋଇଥିଲା । 8ଟି ପର୍ଯ୍ୟାୟରେ ହାରାହାରି 51 ପ୍ରତିଶତ ହୋଇଛି ମତଦାନ । କେନ୍ଦ୍ର ଶାସିତ ଅଞ୍ଚଳରେ ସରକାରୀ ଶାସନର ଏକ ନୂଆ ଅଧ୍ୟାୟ ସୃଷ୍ଟି କ୍ଷେତ୍ରରେ ହଲକା ପଞ୍ଚାୟତ ଓ ବ୍ଲକ ଡେଭଲପମେଣ୍ଟ କାଉନସିଲର ସାକ୍ଷୀ ରହିବ ଡିଡିସି । ଜିଲ୍ଲା ଯୋଜନା ଏବଂ ପୁଞ୍ଜି ବ୍ୟୟ ପ୍ରସ୍ତୁତି ଏବଂ ଅନୁମୋଦନ କରିବାକୁ ଡିଡିସିଗୁଡିକ ଏହି ଅଞ୍ଚଳର ସମସ୍ତ ଜିଲ୍ଲାର ଯୋଜନା ଏବଂ ବିକାଶ ବୋର୍ଡରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।
ପ୍ରତ୍ୟେକ ଡିଡିସିରେ 14 ଜଣ ସିଧାସଳଖ ନିର୍ବାଚିତ ସଦସ୍ୟ ରହିବେ ଏବଂ ଅର୍ଥ, ବିକାଶ, ପବ୍ଲିକ ୱାର୍କ, ସ୍ବାସ୍ଥ୍ୟ ଏବଂ ଶିକ୍ଷା ଓ କଲ୍ୟାଣ ପାଇଁ ପାଞ୍ଚଟି ସ୍ଥାୟୀ କମିଟି ଗଠନ କରାଯିବ।
ପିଡିପି, ନ୍ୟାସନାଲ କନଫରେନ୍ସ ଏବଂ ପିପୁଲ୍ସ କନଫରେନ୍ସ ସମେତ ପ୍ରମୁଖ ରାଜନୈତିକ ଦଳଗୁଡିକ ଏହି ଅଞ୍ଚଳରେ ବିଜେପି ଏବଂ ଏହାର ସହଯୋଗୀମାନଙ୍କ ବିରୋଧରେ ମିଳିତ ମେଣ୍ଟ ଭାବରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଜମ୍ମୁ କାଶ୍ମୀରରେ ଅଗଷ୍ଟ-ପୂର୍ବ ସ୍ଥିତିର ପୁନରୁଦ୍ଧାର ପାଇଁ ଦାବି ଉଠୁଥିବା ବେଳେ ଏହି ଅଞ୍ଚଳରେ ବିଜେପିକୁ ପ୍ରରାସ୍ତ କରିବା ପାଇଁ ସମସ୍ତ ଦଳ ଗୁପକାର ଘୋଷଣାନାମା ନେଇ ପିପୁଲ୍ସ ଆଲାଇନ୍ସ ଗଠନ କରିଥିଲେ ।
ସେପଟେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଡିଡିସି ନିର୍ବାଚନରେ ଜାତୀୟସ୍ତରୀୟ ପ୍ରଚାର ଅଭିଯାନ ଚଳାଇଥିଲା ବିଜେପି । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏହା ପ୍ରଥମ ମତଦାନ ହୋଇଥିବାରୁ ଏହା ବିଜେପି ପାଇଁ ଏକ ଏସିଡ ପରୀକ୍ଷା କୁହାଯାଇପାରେ ।