ନୂଆଦିଲ୍ଲୀ: ବିରିୟାନୀ ବିକାଳୀଙ୍କୁ ମାଡ । ଗ୍ରେଟର ନଏଡାର ରବୁପୁରା- ଭାଇପୁର ରାସ୍ତାରେ ଥିବା ଯମୁନା ଏକ୍ସପ୍ରେସ ନିକଟରେ ଏକ ଦଳିତ ଯୁବକ ବିରିୟାନୀ ବିକୁଥିବାରୁ ତାଙ୍କୁ 3 ଜଣ ଯୁବକ ମାଡ ମାରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଦଳିତ ଯୁବକ ଜଣଙ୍କ ବିରିୟାନୀ ବିକୁଥିବା ବେଳେ 3ଜଣ ଯୁବକ ଜାତି ସୂଚକ ଶବ୍ଦ ବ୍ୟବହାର କରି ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରୁଛନ୍ତି ।
ସୂଚନା ଅନୁଯାୟୀ, ବିରିୟାନୀ ବିକ୍ରି କରୁଥିବା ଦଳିତ ଯୁବକ ଜଣଙ୍କ ମୌହଲା ଆମ୍ବେଦକରର ରବୁପୁରା ଅଞ୍ଚଳର ନିବାସୀ ଅଟନ୍ତି । ସେ ପ୍ରତିଦିନ ଯମୁନା ଏକ୍ସପ୍ରେସ ନିକଟରେ ଠେଲାରେ ବିରିୟାନୀ ବିକ୍ରି କରି ପେଟ ପୋଷନ୍ତି । ସବୁଦିନ ପରି ଗତ ଶୁକ୍ରବାର ମଧ୍ୟ ସେ ବିରିୟାନୀ ବିକ୍ରି କରୁଥିଲା । ସେହି ସମୟରେ ଏକ କାର ଯୋଗେ ତିନି ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ ବହୁତ ମାଡ ମାରିଥିଲେ ।
ଏହି ଘଟଣା ପରେ ଯୁବକ ଜଣଙ୍କ ଥାନାରେ ଏତଲା ଦେଇଥିଲେ । ଖବର ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଭିଡିଓ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ।