ଘରେ ରହି କାମ କରୁଥିବା ଜଣେ ସଫ୍ଟୱେୟାର କର୍ମଚାରୀ ଗୋଟିଏ ଇ-ମେଲ୍ ଖୋଲିଲେ, ଯାହାର ସବ୍ଜେକ୍ଟରେ ଲେଖା ହୋଇଥିଲା କୋଭିଡ୍-19 (Kovid-19)। ହେଲେ, ଏହା କରିବା ଦ୍ବାରା ତାଙ୍କ ଲାପ୍ଟପ୍ରେ ମାଲୱେୟାର ଇନ୍ଷ୍ଟଲ୍ କରିବା ଲାଗି ଜଣେ ହ୍ୟାକର୍ଙ୍କୁ ସୁଯୋଗ ଦେଉଛନ୍ତି ବୋଲି ସେ ଜାଣି ନଥିଲେ । ତା’ପରଠାରୁ ସାଇବର ଅପରାଧୀମାନେ ସେ କାମ କରୁଥିବା ସଫ୍ଟୱେୟାର କମ୍ପାନୀର ସମସ୍ତ ଆଭ୍ୟନ୍ତରୀଣ ଆର୍ଥିକ କାରବାର ସଂପର୍କରେ ଜାଣିପାରିଲେ ଏବଂ ସଫ୍ଟୱେୟାର କମ୍ପାନୀକୁ ଠକି କ୍ଷତି ପହଞ୍ଚାଇବା ଆରମ୍ଭ କଲେ । ଅଷ୍ଟମ ଗ୍ରେଡ୍ର ଜଣେ ଛାତ୍ର ଅନ୍ଲାଇନ୍ କ୍ଲାସ୍ ପାଇଁ ତାଙ୍କ କମ୍ପ୍ୟୁଟର ଖୋଲିବା ମାତ୍ରେ କମ୍ପ୍ୟୁଟର ସ୍କ୍ରିନ୍ ଫ୍ରିଜ୍ ହୋଇଗଲା ବା ଯେମିତି ଥିଲା, ସେମିତି ରହିଗଲା । ସ୍କ୍ରିନ୍ ଉପରେ ଗୋଟିଏ ମେସେଜ୍ ଦେଖାଦେଲା-ଯେଉଁଥିରେ ଲେଖା ହୋଇଥିଲା କି ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପଇଠ ନକଲେ ତାଙ୍କ କମ୍ପ୍ୟୁଟର ସ୍ବାଭାବିକ ଅବସ୍ଥାକୁ ଫେରିବ ନାହିଁ । ଇଣ୍ଟରନେଟ୍ ବ୍ୟବହାରକାରୀମାନେ କେବଳ ଏତିକି ଜାଣନ୍ତି ଯେ, ସେମାନଙ୍କ କମ୍ପ୍ୟୁଟରରେ ଯେଉଁ ସମସ୍ୟାକୁ ପୂରାଇ ଦିଆଯାଇଛି, ତାହାକୁ କୁହାଯାଏ- ‘ରାନ୍ସମ୍ ୱେୟାର’ ।
ଈନାଡୁ, ହାଇଦ୍ରାବାଦ: ଲକ୍ଡାଉନ୍ ବା ତାଲାବନ୍ଦ ପରବର୍ତ୍ତୀ ସମୟରେ ବିଭନ୍ନ ଇଲେକ୍ଟ୍ରୋନିକ୍ ଉପକରଣର ବ୍ୟବହାର ବଢ଼ିଛି । ଏହି ପରିସ୍ଥିତିର ସୁଯୋଗ ନେଇ ସାଇବର ଅପରାଧୀମାନେ ସକ୍ରିୟ ହୋଇଉଠିଛନ୍ତି । ପୂରା ପରିବାରଏହି ଦୁର୍ବୃତ୍ତମାନଙ୍କର ଶିକାର ହେଉଛି । ସେମାନଙ୍କର ଯେ କେବଳ ଅର୍ଥ ଲୁଟି ନିଆଯାଉଛି ତାହା ନୁହେଁ, ବରଂ ଇଣ୍ଟର୍ନେଟ୍ ବ୍ୟବହାରକାରୀମାନଙ୍କର ବ୍ୟକ୍ତିଗତ ସଂପର୍କକୁ ବି ନଷ୍ଟ କରିଦିଆଯାଉଛି । ଇଣ୍ଟରନେଟ୍ରେ ଅବସର ବିନୋଦନ ବୋଲି ମନେ କରାଯାଉଥିବା ‘ଶାଢ଼ି ଚ୍ୟାଲେଞ୍ଜ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ମହିଳାମାନେ ଭଲ ଭଲ ଶାଢ଼ି ପିନ୍ଧି ଫଟୋ ଉଠାନ୍ତି । କିନ୍ତୁ, ସାଇବର ଅପରାଧୀମାନେ ଏହି ଫଟୋଗୁଡ଼ିକର ଅପବ୍ୟବହାର କରୁଛନ୍ତି ଏବଂ ସେଗୁଡ଼ିକୁ ବିବାହ ସଂପର୍କ ସ୍ଥାପନ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ୱେବ୍ସାଇଟ୍ରେ ବ୍ୟବହାର କରି ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବ । ସହିତ ଚାଟିଂ ଓ ବନ୍ଧୁତ୍ବ ସ୍ଥାପନ ଜରିଆରେ ଅନ୍ୟ ବ୍ୟବହାରକାରୀଙ୍କୁ ପ୍ରଲୋଭିତ କରୁଛନ୍ତି । ସାଇବର ବିଶେଷଜ୍ଞମାନେ କହନ୍ତି ଯେ, ଏଭଳି ଫଟୋଗୁଡ଼ିକୁ ବିଭିନ୍ନ ଅଶ୍ଳୀଳ ୱେବ୍ସାଇଟ୍ରେ ମଧ୍ୟ ଅପ୍ଲୋଡ୍ କରାଯାଉଛି ।
ସେମାନେ ଆହୁରି କହିଛନ୍ତି ଯେ, ଲକ୍ଡାଉନ୍ ଲାଗୁ ହେବା ପରଠାରୁ, ସୋସିଆଲ୍ ମିଡିଆରେ, ବିଶେଷତଃ ଫେସ୍ବୁକ୍ରେ, ମହିଳାମାନଙ୍କ ଆକାଉଣ୍ଟରୁ ବିଭିନ୍ନ ବ୍ୟବହାରକାରୀଙ୍କ ପାଖକୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ବା ବନ୍ଧୁତ୍ବ ପାଇଁ ଅନୁରୋଧ ଆସିବା ଆଖିଦୃଶିଆ ଭାବେ, ପ୍ରାୟ 12% ବୃଦ୍ଧି ପାଇଛି । ଏଥିରୁ ଅଧିକାଂଶ ନକଲି ବା ଫେକ୍ ଆକାଉଣ୍ଟରୁ ଆସିଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି । ଆଜିକାଲି, ‘ଶାଢି ଚ୍ୟାଲେଞ୍ଜ୍’ ଭଳି ‘ଦି ଫ୍ୟାମିଲି ଚ୍ୟାଲେଞ୍ଜ୍’ ବି ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ସ୍ବାମୀ ଓ ସ୍ତ୍ରୀ ଦୁହିଁଙ୍କର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଦରକାର ହୁଏ । ସାଇବର ଅପରାଧୀମାନେ ଏଭଳି ଫଟୋକୁ ଚୋରି କରି ନେବା ସହିତ ସେଥିରେ ସ୍ବାମୀଙ୍କ ମୁହଁ ବଦଳାଇ ବିଭିନ୍ନ ବେଆଇନ ସାଇଟ୍ରେ ଅପ୍ଲୋଡ୍ କରୁଛନ୍ତି । ଏହା କରିବା ପରେ ସେମାନେ ସେହି ମହିଳାମାନଙ୍କୁ ବ୍ଲାକ୍ମେଲ୍ କରିବା ଆରମ୍ଭ କରନ୍ତି । ସ୍ବାମୀଙ୍କ ବ୍ୟତୀତ ଅନ୍ୟମାନଙ୍କ ସହିତ ସଂପର୍କ ରଖିଥିବା କହି ସେମାନଙ୍କୁ ଚରିତ୍ରହୀନା ରୂପେ ଚିତ୍ରିତ କରିବାକୁ ଧମକ ଦିଅନ୍ତି ।
ଘରେ ରହି କାମ କରିବା ବେଳେ ସାବଧାନ ରହନ୍ତୁ
ଘରେ ରହି କାମ କରୁଥିବା ବ୍ୟକ୍ତିମାନେ ୱାଇଫାଇ ଉପରେ ନିର୍ଭର କରନ୍ତି । ଅଳ୍ପ କେତେକ କମ୍ପାନୀ ସୁରକ୍ଷିତ‘ଭର୍ଚୁଆଲ୍ ନେଟ୍ୱର୍କ ସିକ୍ୟୁରିଟି’(VNS) ଜରିଆରେ କାମ କରିବାକୁ ଦିଅନ୍ତି । ୱାଇଫାଇର ଦୁର୍ବଳ ଆକ୍ସେସ୍ ପଏଣ୍ଟ ଯୋଗୁଁ ସାଇବର ଅପରାଧୀମାନେ କମ୍ପାନୀ ନେଟ୍ୱର୍କକୁ ହ୍ୟାକ୍ କରିବାରେ ସକ୍ଷମ ହୁଅନ୍ତି । କମ୍ପାନୀର କାରବାର ଏବଂ ଗ୍ରାହକମାନଙ୍କ ସଂପର୍କିତ ନିର୍ଦ୍ଦିଷ୍ଟ ତଥ୍ୟକୁ ସେମାନେ କର୍ମଚାରୀଙ୍କ ଲ୍ୟାପ୍ଟପ୍ରୁ ମଧ୍ୟ ଚୋରେଇ ନେଉଥିବା ଖବର ମିଳିଛି । ପରେ ଏହି ଦୁର୍ବୃତ୍ତମାନେ ସେହି ତଥ୍ୟକୁ ସେମାନଙ୍କ ବ୍ୟକ୍ତିଗତ ଏବଂ ଆର୍ଥିକ ଫାଇଦା ପାଇଁ ବ୍ୟବହାର କରନ୍ତି । ତଥ୍ୟ ପ୍ରଦାନ ଆଳରେ ଠକେଇ ବର୍ତ୍ତମାନର ମହାମାରୀ ସମୟରେ ସାଇବର ଠକମାନେ ନିଜ ସ୍ବାର୍ଥସାଧନ ପାଇଁ ଏହି ପରିସ୍ଥିତିର ଦୁରୁପଯୋଗ କରୁଛନ୍ତି । ପ୍ରାୟତଃ ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଗୋଟିଏ ମେଲ୍ ପାଆନ୍ତି, ଯେଉଁଥିରେ ଲେଖାଯାଇଥାଏ କି ଏହାର ଆଟାଚ୍ମେଣ୍ଟରେ କରୋନା ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ଅଜାଣତରେ, ଯଦି ବ୍ୟବହାରକାରୀ ଜଣଙ୍କ ତାଙ୍କ କମ୍ପ୍ୟୁଟର, ଲାପ୍ଟପ୍ କିମ୍ବା ମୋବାଇଲ୍ରେ ସେହି ଆଟାଚ୍ମେଣ୍ଟକୁ ଖୋଲିବାକୁ ଯାଆନ୍ତି, ତେବେ ଆଟାଚ୍ମେଣ୍ଟରେ ଥିବା ଭାଇରସ୍ ତୁରନ୍ତ ତାଙ୍କ କମ୍ପ୍ୟୁଟର/ ମୋବାଇଲ ସଫ୍ଟୱେୟାର ସହିତ ସଂଯୁକ୍ତ ହୋଇଯାଏ
।
ଏହା ଫଳରେ ତାଙ୍କ କମ୍ପ୍ୟୁଟର ଭାଇରସ୍ ଦ୍ବାରା ପ୍ରଭାବିତ ହୋଇଯାଏ ଏବଂ ଏହାର ସ୍କ୍ରିନ୍ ଖାଲି ଏବଂ ସ୍ଥିର ହୋଇଯାଏ । ତା’ପରେ ସ୍କ୍ରିନ୍ ଉପରେ ମେସେଜ୍ଟିଏ ଦେଖାଦିଏ ଯେଉଁଥିରେ ଲେଖାହୋଇଥାଏ କି, ସ୍କ୍ରିନ୍କୁ କାର୍ଯ୍ୟକ୍ଷମ କରିବା ଲାଗି ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ପଡ଼ିବ । ଅନ୍ୟଥା, କମ୍ପ୍ୟୁଟରରେ ଥିବା ସମସ୍ତ ତଥ୍ୟ ଏବଂ ଏମିତିକି କମ୍ପ୍ୟୁଟରଟି କରପ୍ଟ ବା ଅକାମୀ ହୋଇଯିବ । ଏ ଧରଣର ଆଟାଚ୍ମେଣ୍ଟ ପଛରେ ଥିବା କୀ-ଲଗର୍ ସଫ୍ଟୱେୟାର କମ୍ପ୍ୟୁଟରରେ ରହିଯାଏ ଏବଂ ଏହା କୀବୋର୍ଡର ପ୍ରତିଟି କୀ ସଂଚାଳନକୁ କ୍ୟାପ୍ଚର କରିପାରେ । ଏହା ଫଳରେ, ପ୍ରତିଟି ପାସ୍ୱାର୍ଡ, ପିନ୍ ଏବଂ ବ୍ୟବହାରକାରୀଙ୍କ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ଅପରାଧୀ ହାତକୁ ଚାଲିଯାଏ ଏବଂ ସେ ଏହାକୁ ନିଜ ସ୍ବାର୍ଥସାଧନ ପାଇଁ ଠକେଇ ଉଦ୍ଦେଶ୍ୟରେ ବ୍ୟବହାର କରେ । ପ୍ରତିଷେଧକ ହିଁ ସର୍ବୋତ୍ତମ ସତର୍କତା ଅନୁଶୋଚନା ତୁଳନାରେ ନିରାପଦ ରହିବା ଭଲ ସାଂପ୍ରତିକ କୋଭିଡ୍-19 ଜନିତ ସ୍ଥିତିରେ ସେମାନଙ୍କ ଅନୈତିକ ଆବଶ୍ୟକତା ପାଇଁ ସାଇବର ଅପରାଧୀମାନେ ସୋସିଆଲ ମିଡିଆରେ ଉପଲବ୍ଧ ବ୍ୟବହାରକାରୀଙ୍କର ଫଟୋ ଓ ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର କରୁଛନ୍ତି । ତେଣୁ ଇଣ୍ଟରନେଟ୍ ବ୍ୟବହାରକାରୀମାନେ କୌଣସି ଗଣମାଧ୍ୟମରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ଉଚିତ ନୁହେଁ । ବିଶେଷତଃ ମହିଳାମାନେ ଅଧିକ ଯତ୍ନବାନ ହେବା ଉଚିତ । ଅଜ୍ଞାତ ସୂତ୍ରରୁ ଆସିଥିବା କୌଣସି ମେଲ୍ ଖୋଲିବା ବା ଡାଉନ୍ଲୋଡ୍ କରିବା ଉଚିତ ନୁହେଁ ।
କୌଣସି ପରିସ୍ଥିତିରେ ବି କୌଣସି ଅବିଶ୍ବସନୀୟ କମ୍ପାନୀ ସାଇଟ୍ରୁ ଭିଡିଓ ଗେମ୍ କିମ୍ବା ଆପ୍ ଡାଉନ୍ଲୋଡ୍ କରନ୍ତୁ ନାହିଁ । ପିଲାମାନେ ମଧ୍ୟ କୌଣସି ଅସମ୍ବନ୍ଧିତ ଏବଂ ଅଜଣା ଶିକ୍ଷାନୁଷ୍ଠାନରୁ ଆସିଥିବା ବିଷୟ ବା ଟେକ୍ସଟକୁ ଖୋଲିବା ଉଚିତ ନୁହେଁ । ଆମର ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣରେ ସଦ୍ୟତମ ଆଣ୍ଟି-ଭାଇରସ୍ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରାଇନେବା ଉଚିତ । ନିୟମିତ ଭାବେ ଅପରେଟିଂ ସିଷ୍ଟମ୍କୁ ଅପ୍ଡେଟ୍ କରାଇବା ନିହାତି ଦରକାର । କୌଣସି ପରିସ୍ଥିତିରେ କାହାରିକୁ ହେଲେ ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ବା ପିନ୍ କହନ୍ତୁ ନାହିଁ ।
ପେଣ୍ଡ୍ୟାଲା କ୍ରିଷ୍ଣା ଶାସ୍ତ୍ରୀ, ସାଇଣ୍ଟିଷ୍ଟ ଏବଂ ସାଇବର ଫୋରେନ୍ସିକ ବିଶେଷଜ୍ଞ