ଭାରତରେ ‘ବ୍ୟାଙ୍କ’ କହିଲେ ଲୋକଙ୍କ ମନରେ ନିର୍ବିବାଦୀୟ ଆସ୍ଥା କଥା ଆସିଥାଏ । ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କଗୁଡିକୁ ଛାଡିଦେଲେ କୋ-ଅପରେଟିଭ ବା ସମବାୟ ବ୍ୟାଙ୍କ ଉପରେ ବି ଲୋକଙ୍କ ଆସ୍ଥା ରହିଆସିଛି । ନିକଟତା, ବ୍ୟବସାୟିକ ବ୍ୟାଙ୍କଗୁଡିକ ଅପେକ୍ଷା ୧ରୁ ୨ ପ୍ରତିଶତ ଅଧିକ ସୁଧହାର ଭଳି କାରଣ ଲକ୍ଷ ଲକ୍ଷ ଲୋକଙ୍କୁ ସମବାୟ ବ୍ୟାଙ୍କଗୁଡିକ ପ୍ରତି ଆକର୍ଷିତ କରିଥାଏ । କିନ୍ତୁ ଏ ସବୁ ବ୍ୟାଙ୍କରେ ହେଉଥିବା ଦୁର୍ନୀତି ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଗତବର୍ଷର ପଞ୍ଜାବ ଆଣ୍ଡ୍ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ-ପିଏମସି ଦୁର୍ନୀତି ଏହାର ଏକ ଉଦାହରଣ । ୭ଟି ରାଜ୍ୟରୁ ୯ ଲକ୍ଷ ଜମାକାରୀଙ୍କ ମୋଟ ୧୧ ହଜାର ୬୧୭ କୋଟି ଜମାଟଙ୍କା ସହ ସମୃଦ୍ଧ ଥିଲା ପିଏମସି । କିନ୍ତୁ ଅତି ଦାୟିତ୍ୱହୀନ ଭାବେ ଏହି ବ୍ୟାଙ୍କ୍ ନିଜର ୭୦ ପ୍ରତିଶତ ଡିପୋଜିଟ୍ ( ୬ ହଜାର ୫ ଶହ କୋଟି ) କେବଳ ଗୋଟିଏ କ୍ଲାଏଣ୍ଟ ଏଚଡିଆଇଏଲକୁ ପ୍ରଦାନ କରିଥିଲା । ଏହାଛଡା ଦୁର୍ନୀତି ଲୁଚାଇବା ପାଇଁ ବ୍ୟାଙ୍କ ୨୧ ହଜାର ଜାଲ୍ ଆକାଉଣ୍ଟ୍ ସୃଷ୍ଟି କରିଥିଲା । ସମବାୟ ବ୍ୟାଙ୍କିଂ ବ୍ୟବସ୍ଥା ଆଢୁଆଳରେ ବ୍ୟାପକ ଦୁର୍ନୀତି ହେଉଥିବାରୁ ଏହାକୁ ରୋକିବାକୁ ଚେତିଛନ୍ତି ସରକାର ।
ଦେଶରେ ବର୍ତମାନ ୧ ହଜାର ୫୪୦ ସହରାଞ୍ଚଳ ସମବାୟ ବ୍ୟାଙ୍କ୍ ରହିଛି । ଆଉ ଏ ସବୁ ବ୍ୟାଙ୍କରେ ୮ କୋଟି ୬୦ ଲକ୍ଷ ଡିପୋଜିଟରଙ୍କ ୫ ଲକ୍ଷ କୋଟି ଟଙ୍କା ଜମା ରହିଛି । କେନ୍ଦ୍ର ସରକାର ସମବାୟ ବ୍ୟାଙ୍କ ଦୁର୍ନୀତି ରୋକିବା ପାଇଁ ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ପ୍ରଣୟନ କରିବାକୁ ଯାଉଛନ୍ତି । ସମବାୟ ବ୍ୟାଙ୍କଗୁଡିକର ପରିଚାଳନାରେ ସ୍ୱଚ୍ଛତା ଆଣିବାକୁ ସଂସଦର ବଜେଟ୍ ଅଧିବେଶନରେ ବିଲ୍ ଆଗତ କରିଛନ୍ତି ସରକାର । ଏଣିକି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ ସବୁ ସମବାୟ ବ୍ୟାଙ୍କ୍ । ସମବାୟ ରେଜିଷ୍ଟ୍ରାରମାନେ ଅତୀତରେ ବ୍ୟାଙ୍କଗୁଡିକର କାର୍ଯ୍ୟାବଳୀ ସମୀକ୍ଷା କରିବେ । କିନ୍ତୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗାଇଡଲାଇନ ଅନୁସାରେ ହିଁ ସମବାୟ ବ୍ୟାଙ୍କଗୁଡିକ ନିୟନ୍ତ୍ରିତ ହେବେ ।
ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ସମ୍ପର୍କିତ ବିଲ୍ ସଂସଦର ଗତ ଅଧିବେଶନରେ ଗୃହୀତ । ତେବେ, ଏସବୁ ବ୍ୟାଙ୍କରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ସଂକଟ ସୃଷ୍ଟି ହୋଇଛି । ଲୋକେ ଆସ୍ଥା ହରାଇ ବସିଲେଣି । ଆନ୍ଧ୍ର ପ୍ରଦେଶରେ ଭାଗ୍ୟନଗର ବ୍ୟାଙ୍କ, କୃଷି ବ୍ୟାଙ୍କ୍, ବାସଭୀ ବ୍ୟାଙ୍କ, ଚାରମିନାର ବ୍ୟାଙ୍କ୍, ମେଗାସିଟି ବ୍ୟାଙ୍କ୍ ବନ୍ଦ ହୋଇଯାଇଛି । ଏସବୁ ବ୍ୟାଙ୍କ ବନ୍ଦ ହେବା ପଛରେ ଥିବା ମୂଳ କାରଣ ଯାଞ୍ଚ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନରସିଂହମୂର୍ତି କମିଟି ସୁପାରିଶ କରିଛନ୍ତି । କିଛି ବର୍ଷ ତଳେ ଗୁଜରାଟର ମାଧେପୁରା ମର୍କାଇଣ୍ଟାଲ କୋ-ଅପରେଟିଭ ବ୍ୟାଙ୍କ୍ ସମର୍ଥିତ କେତନ ପାରିଖ ପ୍ରତିଭୂତି ସ୍କାମ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ସ୍କାମ ପରେ ଆରବିଆଇ ଅଧିକ ସଂଖ୍ୟକ ସହରାଞ୍ଚଳ ସମବାୟ ବ୍ୟାଙ୍କ ଥିବା ରାଜ୍ୟଗୁଡିକ ପାଇଁ ଟାସ୍କ ଫୋର୍ସ ଗ୍ରୁପ୍ ଗଠନ ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ କିଛି ହୋଇ ନଥିଲା ।
କୋ-ଅପରେଟିଭ ରେଜିଷ୍ଟ୍ରାରରେ ରାଜ୍ୟ ସରକାର ଓ ଆରବିଆଇର ମିଳିତ ନିୟନ୍ତ୍ରଣ ହିଁ ଅବ୍ୟବସ୍ଥାର ମୂଳ କାରଣ ବୋଲି କେନ୍ଦ୍ର ସରକାର ୨୦୦୩ରେ ସ୍ୱୀକାର କରିଥିଲେ । କିନ୍ତୁ ଏ ଦିଗରେ କୌଣସି ସମାଧାନ ହୋଇପାରିନାହିଁ । ମହାରାଷ୍ଟ୍ର କୋଅପରେଟିଭ ସୋସାଇଟିଜ୍ ଆକ୍ଟ ୧୯୬୦ ଓ ଆନ୍ଧ୍ର ପ୍ରଦେଶ ବ୍ୟାଙ୍କିଂ ଆକ୍ଟ ୧୯୬୪ ଅନୁସାରେ ବ୍ୟାଙ୍କିଂ ବ୍ୟବସାୟରେ ସଂପୃକ୍ତ ଥିବା କମ୍ପାନୀଗୁଡିକ ୧୯୪୯ର ବ୍ୟାଙ୍କିଂ ରେଗୁଲେସନ ଆକ୍ଟ ପରିସରକୁ ଆସିବେ ନାହିଁ ବୋଲି ସୁପ୍ରିମକୋର୍ଟ ପୁର୍ବରୁ କହିଥିଲେ । କିନ୍ତୁ ୭ ସପ୍ତାହ ପୂର୍ବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପୂର୍ବ ରାୟରେ ପରିବର୍ତନ କରିଥିଲେ ।
ସାମ୍ବିଧାନିକ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ଯଦି ବ୍ୟାଙ୍କିଂ ରେଗୁଲେସନ ଆକ୍ଟ କିଛି କମ୍ପାନୀ ପାଇଁ ଲାଗୁ ହେବ ନାହିଁ, ତାହା ହେଲେ ସେମାନଙ୍କୁ ବ୍ୟାଙ୍କିଂ ବିଜିନେଓ ପାଇଁ ଲାଇସେନ୍ସ ଦିଆଯିବ ନାହିଁ । ଏ ପୃଷ୍ଠଭୂମିରେ ସମବାୟ ବ୍ୟାଙ୍କଗୁଡିକୁ ନିୟନ୍ତ୍ରିତ କରିବା ସହ ଲକ୍ଷ ଲକ୍ଷ ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆରବିଆଇ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ।