ଶ୍ରୀନଗର: ଭୂ-ସ୍ଖଳନ ଯୋଗୁଁ ମୃତ୍ୟୁ ମୁଖରେ ପଡିଥିବା ଜଣେ ଯୁବକଙ୍କୁ ଦେବଦୂତ ସାଜି ଉଦ୍ଧାର କଲେ ସିଆରପିଏଫ ଯବାନ । ଆଉ ଏଥିରେ ମୁଖ୍ୟ ଭୂମିକା ନିଭାଇଛି ସେମାନଙ୍କ ସାଥିରେ ଥିବା ଏକ ଡଗ୍ ସ୍କ୍ବାଡ । ଜମ୍ମୁ କାଶ୍ମୀରର ଜମ୍ମୁ ଶ୍ରୀନଗର (ଜାତୀୟ ରାଜପଥ-44) ନିକଟରେ ଜଣେ ବ୍ୟକ୍ତି ଭୂ-ସ୍ଖଳନ ଯୋଗୁଁ ମାଟି ତଳେ ଦବି ଯାଇଥିଲେ। ସିଆରପିଏଫ୍ ଯବାନ ଡଗ୍ ସ୍କ୍ବାଡ ସାହାଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇଛନ୍ତି । ବ୍ୟକ୍ତି ଜଣକ ଲୁଢବାଲ ଗ୍ରାମର ପ୍ରଦୀପ କୁମାର ବୋଲି ଜଣାପଡିଛି ।
ସୂଚନା ମୁତାବକ, ଜମ୍ମୁ କାଶ୍ମୀର ଜାତୀୟରାଜପଥର ମାଇଲଷ୍ଟୋନ 147 ନିକଟରେ ବୁଧବାର ସକାଳ 6 ଟା 30 ସମୟରେ ସିଆରପିଏଫର ବିଡିଡି ସ୍କ୍ବାର୍ଡ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ସେମାନଙ୍କ ସାଥିରେ ଥିବା ସ୍କ୍ବାଡ ଡଗ୍ ଆଜାକ୍ସି ଭୋକି ଭୋକି ଯବାନଙ୍କୁ ସିଗନାଲ ଦେଇଥିଲା । ଏହି ସିଗନାଲ ଆଧାରରେ ଯବାନମାନେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିଥିଲେ । ଏହି ସମୟରେ ସେମାନଙ୍କୁ ଭୂ-ସ୍ଖଳନରେ ଦବିଥିବା ବ୍ୟକ୍ତିଙ୍କୁ ଦେଖିଥିଲେ ଏବଂ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।