ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିଲା ବେଳେ ଭିନ୍ନ ଉଦ୍ଦେଶ୍ୟ ରଖି ଏକ ପରୀକ୍ଷଣ ପ୍ରକ୍ରିୟା ବିକାଶ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ବର୍ତ୍ତମାନର ସଂକ୍ରମଣର ସମୀକ୍ଷା କରିବା ନୁହେଁ , ବରଂ ସିଭିୟର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ୍ କୋଭିଡ-୧୯ର ପ୍ରତିରୋଧକ ବାହାର ପାଇଁ ପ୍ରସ୍ତାବିତ ନୂଆ ପରୀକ୍ଷଣ ପ୍ରକ୍ରିୟାର ଉଦ୍ଦେଶ୍ୟ । ମିଳିଥିବା ଖବର ଅନୁସାରେ, ବିଶ୍ୱର ରୋଗ ନିଦାନ କମ୍ପାନୀମାନେ ଆଣ୍ଟିବଡି ପରୀକ୍ଷଣ ପଦ୍ଧତି ପାଇଁ ଜୋରସୋର୍ ଉଦ୍ୟମ କରୁଥିଲା ବେଳେ ବିଭିନ୍ନ ଦେଶରେ ସରକାର ମଧ୍ୟ ଏଭଳି ପରୀକ୍ଷଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ୟୁରୋପର ୟୁରୋଇମ୍ୟୁନ ନାମକ ଏକ ଜର୍ମାନ୍ କଂପାନି ଆଂଟିବଡି ଟେଷ୍ଟ୍ ପାଇଁ ଅନୁମତି ପାଇଥିବା ଦାବି କରିଛି ।
କମ୍ପାନୀର ଆଣ୍ଟିବଡି ଟେଷ୍ଟ୍ ସିଷ୍ଟମ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡିକରେ ବିକ୍ରି ହୋଇପାରିବ । ଆଣ୍ଟିବଡି ଟେଷ୍ଟ ପାଇଁ ଏବେ ସମସ୍ତେ ବ୍ୟସ୍ତବିବ୍ରତ । ବିଶେଷ କରି ମେଡିକାଲ କର୍ମଚାରୀଙ୍କ ପାଇଁ ଆଣ୍ଟିବଡି ଟେଷ୍ଟ ଜରୁରୀ । ସେମାନଙ୍କ ଶରୀରରେ ଭୂତାଣୁ ପ୍ରବେଶ କରିଛି କି ନାହିଁ, ତାହା ସେମାନେ ଜାଣିବାକୁ ବ୍ୟଗ୍ର ବୋଲି ୟୁରୋଇମ୍ୟୁନୋ ଆଣ୍ଟିବଡି ଟେଷ୍ଟ ପ୍ରଡକ୍ଟ ମ୍ୟାନେଜର କନଷ୍ଟାଂଜ୍ ସ୍ଟିବା କହନ୍ତି । କୋରୋନା ପାଇଁ ଆଗରୁ ହିଁ ସଂକଟରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବେ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବରୁ ଆହୁରିଚାପଗ୍ରସ୍ତ ହେବ । ଟେଷ୍ଟିଂ ପରେ ଯଦି ଜଣାପଡେ ଯେ ଜଣେ ସ୍ୱାସ୍ଥ୍ୟକର୍ମୀ ଆଗରୁ କୋଭିଡ-୧୯ ଦ୍ୱାରା ସଂକ୍ରମିତ ଓ ଏବେ ଆଉ ସଂକ୍ରମଣର ଆଶଙ୍କା ନାହିଁ, ତାହାହଲେ ସେ ବିନା ଭୟରେ କାର୍ଯ୍ୟ କ୍ଷେତ୍ରକୁ ଫେରିପାରିବେ ବୋଲି ୟୁରୋଇମ୍ୟୁନୋ ମ୍ୟାନେଜର କହିଛନ୍ତି । ଆଣ୍ଟିବଡି ଟେଷ୍ଟ ଦ୍ୱାରା ଅନେକ କିଛି ଜଣାପଡିବ । କ୍ଲିନିକାଲ୍ ଟ୍ରାଏଲ ବେଳେ ଟୀକା ଆଶାନୁରୂପକ ଭାବେ କାମ କରୁଛି କି ନାହିଁ , ତାହା ଆଂଟିବଡି ଟେଷ୍ଟ ଫଳରେ ଅନୁଧ୍ୟାନ କରିହେବ । ଏପରି ଆହୁରି ଅନେକ ତଥ୍ୟ ଆଂଟିବଡି ଟେଷ୍ଟରୁ ଆସିପାରିବ । ଭାଇରାଲ ଆରଏନଏ ଠାବ କରିପାରୁଥବା ପିସିଆର୍ ଟେଷ୍ଟ ଦ୍ୱାରା କୋଭିଡ-୧୯ ସଂକ୍ରମଣର ନିଦାନ କରିହୁଏ । ସଂପର୍କ ସଂକ୍ରମଣ ଅନ୍ୱେଷଣ ଓ ଟେଷ୍ଟିଂ ପାଇଁ ଏହା ଗୁରୁତ୍ୱପୂର୍ଣ । ପିସିଆର ପ୍ରାଇମର୍ସ ପାଇଁ ଚାହିଦା ବଢୁଥିଲା ବେଳେ ସେ ତୁଳନାରେ ଯୋଗାଣ ସମସ୍ୟା ସୃଷ୍ଟି ହୋଇଛି ।