ମୁମ୍ବାଇ: ଚଳିତ ମାସ ଦେଶରେ କୋଭିଡ 19ର ପ୍ରକୋପ ବୃଦ୍ଧି ହେବାର ସମ୍ଭାବନା ରହିଛି । ଜୁନ, ଜୁଲାଇ ଯାଏଁ ମଧ୍ୟ ଏହି ଭୂତାଣୁର ପ୍ରକୋପ ଜାରି ରହିପାରେ । ତେଣୁ ସମୟ ଆସିଛି କଡା ପଦକ୍ଷେପ ନେବା ଉଚିତ । ସୋମବାର ଏପରି ମନ୍ତବ୍ୟ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
ସେ କହିଛନ୍ତି ଯେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ଆଗାମୀ 3 ମାସ ଯାଏଁ କୋରୋନାର ପ୍ରକୋପ ଜାରି ରହିପାରେ । ଉହାନରେ ଏପରି ସ୍ଥିତି ଦେଖାଯାଇଛି ଯେ ଲକଡାଉନ ଖୋଲିଲା ପରେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ସଂକ୍ରମଣ ଦେଖାଦେଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଏନେଇ ସତର୍କ କରିଛି । ତେଣୁ ଏବେ ଲକଡାଉନକୁ ମାନିବା ସହ କୌଣସି କଡା ଆକ୍ସନ ନେବାର ସମୟ ଆସିଛି ବୋଲି ଉଦ୍ଧବ ଠାକରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାଳରେ ସେ ଏପରି କହିଛନ୍ତି । ଏହାସହ ସେ କହିଛନ୍ତି ଯେ ପରିସ୍ଥିତି ଯଦି ସାଙ୍ଘାତିକ ହୁଏ ତେବେ କେନ୍ଦ୍ର ସରକାର ରାଜ୍ୟକୁ କେନ୍ଦ୍ରୀୟ ଫୋର୍ସ ପଠାଇବା ପାଇଁ ପ୍ରସ୍ତୁତ ରହନ୍ତୁ । କାରଣ ରାଜ୍ୟରେ ଅଧିକ ପୋଲିସ କୋରୋନା ଆକ୍ରାନ୍ତ ହେବା ସହ ସେମାନଙ୍କ ଉପରେ ଚାପ ବଢିବାରେ ଲାଗିଛି । ଏହାସହ ଜରୁରୀ ସେବା ଯୋଗାଉଥିବା ଲୋକଙ୍କ ପାଇଁ ଲୋକାଲ ଟ୍ରେନ ସେବା ଆରମ୍ଭ କରିବାକୁ ଉଦ୍ଧବ ପ୍ରସ୍ତାବ ଦେଇଛନ୍ତି ।