ଜୟପୁର: ବାରମ୍ବାର ଅବଗତ କରାଯିବା ପରେ ବି ଅମାନିଆ ହେଉଛନ୍ତି ଆଇନ ଖିଲାପକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ନାଗୋରୋ ଜିଲ୍ଲାରେ । ଏକ ଯୁବକ ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଗ୍ରାମବାସୀ ଦେଖିବାରୁ ପଞ୍ଚାୟତ ସାମ୍ନାରେ ସେମାନଙ୍କୁ ଲଣ୍ଡା କରାଯିବା ସହ ପରିସ୍ରା ମଧ୍ୟ ପିଇବାକୁ ବାଧ୍ୟ କରାଯାଇଛି । ଯାହାକୁ ନେଇ ପୁରା ଜିଲ୍ଲାରେ ଏବେ ଚର୍ଚ୍ଚା ।
ତେବେ ଘଟଣାର ପୁରା କାହାଣୀ ଏମିତି । ଜିଲ୍ଲାର ନିମ୍ବି ଜୋଧା ଗାଁରେ ଏକ ନିର୍ଦ୍ଦିଷ୍ଟ ଜାତିର ଯୁବକ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା। ହେଲେ ଉଭୟଙ୍କୁ ଆପତ୍ତି ଜନକ ଅବସ୍ଥାରେ ଦେଖିବାରୁ ଗ୍ରାମବାସୀ ପଞ୍ଚାୟତ ବସାଇ ଆଇନକୁ ହାତକୁ ନେଇଥିଲେ । ଉଭୟଙ୍କୁ ଲଣ୍ଡା କରିବା ସହ ଯୁବକଙ୍କୁ ପରିସ୍ରା ପିଆଇବାକୁ ବାଧ୍ୟ ମଧ୍ୟ କରାଯାଇଛି । ଏସବୁ ଦୃଶ୍ୟ କେହି ମୋବାଇଲରେ କଏଦ କରି ଭିଡିଓ ଭାଇରାଲ କରିଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଲାଗି ରହିଛି ।
ଘଟଣା ସମ୍ପର୍କରେ ଥାନାଧିକାରୀଙ୍କ କହିବା କଥା, ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଛି । ଭାଇରାଲ ହୋଇଥିବା ଭିଡିଓରେ ଯେଉଁ ଲୋକ ଅଛନ୍ତି ସେମାନଙ୍କୁ ଥାନାକୁ ଡକାଯାଇ ଘଟଣା ବାବଦରେ ପଚରାଉଚରା କରାଯାଉଛି । ଏଭଳି ଏ ଅମାନବୀୟ ଘଟଣାକୁ ନେଇ ପୋଲିସ ଗୁରୁତର ସହ ତଦନ୍ତ ଆରମ୍ଭ କରିଛି ।