ସୁରଟ: ନାରୀ ଶକ୍ତିର ଉଦାହରଣ କାହାକୁ ବା ଅଛପା । ନିଜ ଇଚ୍ଛାଶକ୍ତି ବଳରେ ନାରୀ କ’ଣ ଯେ କରିପାରେ ତାହା ସାରା ବିଶ୍ବକୁ ଜଣା । ଘର ପରିବାର ସହ ସମାଜ ପ୍ରତି ନିଜ କର୍ତ୍ତବ୍ୟ ପାଳନ ପାଇଁ କେବେ କୁଣ୍ଠାବୋଧ କରିନାହିଁ ସେ । ହେଲେ ନାରୀର ନିଷ୍ଠାକୁ ଆଜି ଯାଏଁ କେତେ ଯେ ସମ୍ମାନ ମିଳିଛି ତାହା ଦୈନନ୍ଦିନ ଜୀବନରେ ଘଟୁଥିବା ଘଟଣା ବେଶ ଭଲ ଭାବେ ସ୍ପଷ୍ଟ କରେ । ଯେଉଁଥିପାଇଁ ଆଜି ନିଜ ପଦ ଛାଡି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସୁରଟର ମହିଳା ପୋଲିସ କର୍ମଚାରୀ ସୁନିତା ଯାଦବ ।
କୋରୋନା ମହାମାରୀ ପାଇଁ କଟକଣାର ପାଳନ କଡାକଡି ହେଉଛି କି ନାହିଁ ତାହା ପରଖିବା ପାଇଁ ନିଜ ଘର ପରିବାର ଓ ସୁଖ ସୁବିଧା ଭୁଲି କାର୍ଯ୍ୟ କରୁଛନ୍ତି ଲକ୍ଷ ଲକ୍ଷ ପୋଲିସ କର୍ମଚାରୀ । ଘରଠାରୁ ଦୂରରେ ରହି ପୋଲିସ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଚାଲିଥିବା ବେଳେ ଅପରପାର୍ଶ୍ବରେ କିଛି ବଡବଡିଆଙ୍କ ଗୁଣ୍ଡାଗିରି ବଢିବାରେ ଲାଗିଛି । ୟାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜୁରାଟର ସୁରଟରେ ।
ଘଟଣାକ୍ରମେ ଗତ ବୁଧବାର ଅର୍ଥାତ୍ ଜୁଲାଇ 8 ତାରିଖରେ ରାତ୍ରିକାଳୀନ କର୍ଫ୍ୟୁ ନିୟମ ଉଲଙ୍ଘନ କରି ଭର୍ଚ୍ଛା ରୋଡ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ କୁମାର କାନାନୀଙ୍କ ପୁଅ ଓ କିଛି ସାଙ୍ଗମାନେ ବୁଲୁଥିବା ଦେଖାଯାଇଥିଲା । ଏହାକୁ ବିରୋଧ କରିବାରୁ ମଙ୍ଗଧ ଚୌକରେ କାର୍ଯ୍ୟରତ ମହିଳା ପୋଲିସ କନେଷ୍ଟବଳ ସୁନିତା ଯାଦବଙ୍କୁ ଗାଳିଗୁଲଜ କରିଥିଲେ ମନ୍ତ୍ରୀଙ୍କ ପୁଅ ଓ ତାଙ୍କ ବନ୍ଧୁମାନେ । ହେଲେ ଜନୈକ ସହୃଦୟ ବ୍ୟକ୍ତିଙ୍କ ପାଇଁ ସେଠାରେ ବଞ୍ଚିଯାଇଥିଲେ ସୁନିତା । ଏହାର ଏକ ଅଡିଓ କ୍ଲିପ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ସେପଟେ ଏହି ଘଟଣା ପରେ ବାରମ୍ବାର ସୁନିତାଙ୍କ ଘର ପର୍ଯ୍ୟନ୍ତ କିଛି ଲୋକ ପହଞ୍ଚି ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ । ଏନେଇ ସୁନିତା ଫେସବୁକ ଲାଇଭରେ ସ୍ପଷ୍ଟ କରିବା ସହ ନିଜ ଚାକିରୀ ଛାଡୁଥିବା ପ୍ରକାଶ କରିଥିଲେ । ନିଜ ସହ ଘଟିଥିବା ଲଜ୍ଜାକର ଘଟଣା ପାଇଁ କ୍ଷୋଭ ପ୍ରକାଶ କରି ସେ କହିଥିଲେ କି ଯଦି ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ ଦୂତ ପରି ଆସି ସାହାଯ୍ୟ କରି ନଥାଆନ୍ତେ ତାହେଲେ ହୁଏତ ଆଜି ସେ ଆଉ ଜଣେ ନିର୍ଭୟା ପାଲଟିଯାଇଥାଆନ୍ତେ । ଲୋକେ ତାଙ୍କ ପାଇଁ କ୍ୟାଣ୍ଡେଲ ମାର୍ଚ୍ଚ କରିଥାଆନ୍ତେ ।
ଏମିତିରେ ନ୍ୟାୟ ପାଇଁ ଲଢେଇ ନକରି ବରଂ ଅଧିକ ପାଠ ପଢି ଜଣେ ଆଇଏଏସ ଅଫିସର ଭାବେ ପୁଣି କାର୍ଯ୍ୟକୁ ଫେରିପାକୁ ଚାହାନ୍ତି ବୋଲି ସୁନିତା ପ୍ରକାଶ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି ପ୍ରଚଳିତ ପ୍ରଥାକୁ ଭାଙ୍ଗିବା ସହ ଏକ ବଡ ପରିବର୍ତ୍ତନର ଆବଶ୍ୟକତା ଅଛି । କେବଳ ସେ ନୁହେଁ ତାଙ୍କ ପରି ଅନେକ ମହିଳା କର୍ମଚାରୀ ଉଚ୍ଚ ପଦାଧିକାରୀଙ୍କ ଚାପରୁ ମାନସିକ ଚିନ୍ତା ଦେଇ ଗତି କରୁଛନ୍ତି । ଫଳରେ ଭଲ କାମ କରିବାର ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯାଉଛି ।
ତେବେ ସେ ଯାହା ହେଉନା କାହିଁକି ନିଜକୁ ସୁରକ୍ଷିତ ରଖିବା ସହ ପରିବର୍ତ୍ତନର ସ୍ବର ମଜଭୂତ କରିବା ପାଇଁ ଚାକିରୀ ଛାଡିବା ପାଇଁ ସୁନିତା ଘୋଷଣା କରିଛନ୍ତି । ଯାହା ଦେଶର କୋଣ ଅନୁକୋଣର ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ଆଲୋଡନ ସୃଷ୍ଟି କରିଛି । ସେପଟେ ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କ ପୁଅ ଓ ତାଙ୍କ 2 ବନ୍ଧୁଙ୍କୁ ଗତ ଜୁଲାଇ 12 ତାରିଖରେ ରାତ୍ରିକାଳୀନ କର୍ଫ୍ୟୁ ନିୟମ ଉଲଙ୍ଘନ ଅଭିଯୋଗରେ ଗିରଫ କରାୟାଇଥିବା ସ୍ପେଶିଆଲ ବ୍ରାଞ୍ଚ ପୋଲିସ ସହକାରୀ କମିଶନର ପିଏଲ ଚୌଧୁରୀ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ