ଶ୍ରୀନଗର: କୋକୁଆ ଭୟ ଖେଳାଇଛି ମାରାତ୍ମକ କୋରୋନା ଭାଇରସ । ଏଭଳି ପରିସ୍ଥିତିରେ ଦେଶରେ 14 ଏପ୍ରିଲ ଯାଏଁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ବାହାର ରାଜ୍ୟରେ ଫସିରହିଥିବା ଲୋକ ନିଜ ଗାଁକୁ ଫେରିବା ପାଇଁ ଅଜବ ଧରଣର କାଣ୍ଡ କରୁଥିବା ଖବର ସାମ୍ନାକୁ ଆସୁଛି ।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଲକ ଡାଉନ ସମୟରେ ଜାମ୍ମୁ କାଶ୍ମୀରର ସୁରନକୋଟ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ଯାଉଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଆମ୍ବୁଲାନ୍ସକୁ ରୋକି ପଚରାଉଚରା କରିଥିଲେ । ଏହାପରେ ଆମ୍ବୁଲାନ୍ସକୁ ଯାଞ୍ଚ କରିବା ପରେ ଏକ ମିଥ୍ୟା ମୃତ୍ୟୁ ପ୍ରମାଣ ପତ୍ର ମିଳିବା ସହ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।
ପୋଲିସର ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ନିଜର ମୃତ୍ୟୁ ଘଟିଥିବା ଅଭିନୟ କରି ତିନି ଜଣ ସାଥୀଙ୍କ ସହ ଏକ ଆମ୍ବୁଲାନ୍ସ ଯୋଗେ ସୈଲା ଗାଁ ଯାଉଥିଲେ । ତେବେ ସେମାନେ ନିଜ ଗାଁରେ ପହଞ୍ଚିବା ପୂର୍ବରୁ ପୋଲିସ ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି ।
ତେବେ ଏହି ଘଟଣାରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଉକ୍ତ ଚାରି ଜଣଙ୍କୁ ଗିରଫ କରି କ୍ବାରେଣ୍ଟାଇନକୁ ପଠାଇଥିବା ଜଣାପଡିଛି ।