ଗୌହାଟି: ଚୀନ ପିପିଇ କିଟ୍ ବ୍ୟବହାର କରିବନି ଆସାମ । ଏହି ସପ୍ତାହରେ ଚୀନରୁ ଆମଦାନୀ ହୋଇଥିବା ପିପିଇ କିଟ୍ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଆମାମ ସରକାର। ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତର କିଟ୍ର ଗୁଣବତ୍ତାକୁ ନେଇ ସନ୍ଦେହ କରିବା ପରେ ଆସାମ ସରକାର ଏହି ନିଷ୍ପତ୍ତି ନେଇଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱା ଶର୍ମା କହିଛନ୍ତି।
ବର୍ତ୍ତମାନ ଆମ ପାଖରେ 2 ଲକ୍ଷ ପିପିଇ କିଟ୍ ଷ୍ଟକ୍ ଅଛି। ଆମେ ପ୍ରଥମେ 1.50 ଲକ୍ଷ ପିପିଇ କିଟ୍ ବ୍ୟବହାର କରିବୁ ଏବଂ 50 ହଜାର ଚାଇନିଜ୍ ପିପିଇ କିଟକୁ ଗୌହାଟିରେ ଯୋଗାଣକାରୀ ତାଙ୍କ ଗୋଡାଉନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଗୁଣାତ୍ମକ ପରୀକ୍ଷା ପାଇଁ ଆମେ ନମୁନା ପଠାଇବୁ ବୋଲି ହିମାନ୍ତ ବିଶ୍ୱା ଶର୍ମା କହିଛନ୍ତି।
ଆସାମ ଦେଶର ପ୍ରଥମ ରାଜ୍ୟ ଯିଏ ଗତ ବୁଧବାର ଦିନ କୋରୋନା ଭାଇରସକୁ ନେଇ ଆବଶ୍ୟକୀୟ ଉପକରଣ ପାଇଛି। ବୁଧବାର ବିମାନବନ୍ଦରରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚି ଏହି ସାମଗ୍ରୀ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି, ବର୍ତ୍ତମାନ ଆସାମରେ 34 କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।