ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ସରକାର ଘରୋଇ ହସପିଟାଲ ଗୁଡିକରେ କୋରୋନା ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ ଖର୍ଚ୍ଚସୀମା ଧାର୍ଯ୍ୟ କରିଥିଲେ । କିନ୍ତୁ ଆଜି ମଧ୍ୟ ଅନେକ ହସପିଟାଲ୍ ରୋଗୀଙ୍କୁ ଭର୍ତି କରିବା ଆଗରୁ କୋରୋନା ଚିକିତ୍ସା ଦର ପ୍ରକାଶ କରୁନାହାନ୍ତି । ଏ ବାବଦରେ କିଛି ହସପିଟାଲ୍ ବିସ୍ତୃତ ତଥ୍ୟ ଦେବାକୁ ପ୍ରସ୍ତୁତ ନୁହନ୍ତି । ଏହି ହସପିଟାଲଗୁଡିକ ଖର୍ଚ୍ଚ ବାବଦରେ ଜାଣିବାକୁ ଚାହୁଁଥିବା କୋରୋନା ରୋଗୀଙ୍କ ଫୋନ୍ ଉଠାଉ ନାହାନ୍ତି । ପ୍ରଥମେ କିିଛି ଟଙ୍କା ଡିପୋଜିଟ୍ କରି ଭର୍ତି ହେବାକୁ ରୋଗୀଙ୍କୁ ବାଧ୍ୟ କରୁଛନ୍ତି ଏସବୁ ହସପିଟାଲ୍ । ଅବଶ୍ୟ, ବିଶେଷଜ୍ଞମାନଙ୍କର ମତ ଯେ, ରୋଗୀମାନେ ଏଥିରେ ଆତଙ୍କିତ ହେବା ଦରକାର ନାହିଁ । ଅଧିକାଂଶ ରୋଗୀ ହସପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ନାହିଁ । କାରଣ ହୋମ କ୍ୱାରେଂଟାଇନ ବେଳେ ସେମାନେ ଚିକିତ୍ସିତ ହୋଇପାରିବେ ।
ଗତ କିଛି ଦିନ, ଇଟିଭି ଭାରତ ପକ୍ଷରୁ ମାକ୍ସ, ସାର୍ ଗଙ୍ଗାରାମ, ବି.ଏଲ କପୁର ଓ ଭେଙ୍କଟେଶ୍ବର ଭଳି କିଛି ହସପିଟାଲକୁ ଯୋଗାଯୋଗ କରାଯାଇଥିଲା । ତେବେ ଏହି ହସପିଟାଲ ଗୁଡିକ ସହ ଫୋନରେ କଥାହେଲା ବେଳେ କଣ ଜଣାପଡିଲା, ତାହା ଅପେକ୍ଷା ଦିଲ୍ଲୀରେ ବର୍ତମାନ କୋରୋନାର ସ୍ଥିତି କଣ ଜାଣିବା ଅଧିକ ଗୁରୁତ୍ବପୂର୍ଣ୍ଣ ।
ଦିଲ୍ଲୀରେ କୋରୋନା ସ୍ଥିତି
ଦିଲ୍ଲୀ ସରକାରଙ୍କ ପରିସଂଖ୍ୟନ ଅନୁସାରେ ଜାତୀୟ ରାଜଧାନୀରେ କୋରୋନା ସ୍ଥିତିରେ ଉନ୍ନତି ହେଉଛି । ଦିଲ୍ଲୀରେ ଏ ଯାଏଁ ମୋଟ ୧ ଲକ୍ଷ ୨୨ ହଜାର ୭୯୩ କୋରୋନା ମାମଲା ରେକର୍ଡ କରାଯାଇଛି । ଏଥିମଧ୍ୟରୁ ୩ ହଜାର ୬୨୮ ଲୋକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ବର୍ତମାନ ୧୬ ହଜାର ୩୧ ଆକ୍ଟିଭ କେସ ରହିଛି । ଏଥିମଧ୍ୟରୁ ୮ ହଜାର ୮୧୦ ଜଣ ହୋମ କ୍ୱାରେଂଟିନରେ ରହିଚନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ସରରକାରୀ ହସପିଟାଲଗୁଡିକରେ କୋରୋନା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ୧୨ ହଜାର ଶଯ୍ୟା ଏବେ ଖାଲି ପଡିଛି ।
ଘରୋଇ ହସପିଟାଲ ପାଇଁ ଦିଲ୍ଲୀ ସରକାରଙ୍କ ‘କ୍ୟାପିଂ’
ଯେତେବେଳେ କୋରୋନା ଆତଙ୍କ ଶୀର୍ଷରେ ଥିଲା, ସେତେବେଳେ ଘରୋଇ ହସପିଟାଲଗୁଡିକ ରୋଗୀଙ୍କଠାରୁ ଅତ୍ୟଧିକ ଫି’ ନେଉଥିଲେ । ସେତେବେଳେ ହସପିଟାଲଗୁଡିକ କୋରୋନା ରୋଗୀଙ୍କୁ ଭର୍ତି କରିବା ପାଇଁ ବି ପ୍ରସ୍ତୁତ ନ ଥିଲେ । ଲକ୍ଷ ଲକ୍ଷ ଟଙ୍କା ରୋଗୀଙ୍କଠାରୁ ଫି’ ବାବଦରେ ନିଆଯାଉଥିଲା । ଏସବୁ ଦୃଷ୍ଟିରୁ ଦିଲ୍ଲୀ ସରକାର କୋରୋନା ରୋଗୀଙ୍କ ଚିକିତ୍ସାକୁ ବିଭିନ୍ନ ଶ୍ରେଣୀଭୁକ୍ତ କରି ନିର୍ଦ୍ଦିଷ୍ଟ ଫି’ ଧାର୍ଯ୍ୟ କଲେ । ଆଉ ସରକାରୀ ବିଜ୍ଞପ୍ତି ଅନୁସାରେ ହିଁ ଘରୋଇ ହସପିଟାଲଗୁଡିକୁ ଫି’ ନେବା ପାଇଁ ନିର୍ଦ୍ଦେଶ ଦିଆଗଲା । ହସପଟାଲଗୁଡିକ ପାଇଁ ଦୈନିକ ଫି’ ଧାର୍ଯ୍ୟ କରିଥିଲେ ଦିଲ୍ଲୀ ସରକାର ।
. ଆଇସୋଲେସନ ବେଡ୍ ପାଇଁ ୮ ହଜାରରୁ ୧୦ ହଜାର ଟଙ୍କା
. ବିନା ଭେଣ୍ଟିଲେଟର ଆଇସିୟୁ ପାଇଁ ୧୩ ହଜାରରୁ ୧୫ ହଜାର ଟଙ୍କା
. ଭେଣ୍ଟିଲେଟର ସହ ଆଇସିୟୁ ପାଇଁ ୧୫ ହଜାରରୁ ୧୮ ହଜାର ଟଙ୍କା
( ପିପିଇ କିଟ୍ ଦର ବି ଏଥିରେ ସାମିଲ )
ଇଟିଭି ଭାରତ ପକ୍ଷରୁ କୋରୋନା ରୋଗୀଙ୍କ ଭର୍ତି ବାବଦରେ ବିଭିନ୍ନ ହସପିଟାଲ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସାର୍ ଗଙ୍ଗାରାମ ହସପିଟାଲକୁ ଛାଡି ଅନ୍ୟ କୌଣସି ହସପିଟାଲ ସିଧାସଳଖ ଉତ୍ତର ଦେଇନଥିଲେ । ସାକେତ, ମାକ୍ସ ହସପିଟାଲକୁ ଭିନ୍ନ ଭିନ୍ନ ସମରେ ତିିନି ଚାରି ଥର ଫୋନ୍ କରାଯାଇ କୋରୋନା ରୋଗୀଙ୍କ ବାବଦରେ ପଚରାଯାଇଥିଲେ ମଧ୍ୟ ରିସିପସନ୍ ଅନ୍ୟ କାହାକୁ କଲ୍ ଟ୍ରାନ୍ସଫର କରିଦେଉଥିଲେ । ଆଉ ଫୋନ୍ କଟିଯାଉଥିଲା ।
ସାର୍ ଗଙ୍ଗାରାମ ହସପିଟାଲରୁ ସକାରାତ୍ମକ ଜବାବ
ସାର୍ ଗଙ୍ଗାରାମ ହସପିଟାଲରୁ ହିଁ କୋରୋନା ରୋଗୀଙ୍କ ଭର୍ତି ବାବଦରେ ସକାରାତ୍ମକ ଉତ୍ତର ମିଳିଥିଲା । ଫୋନ୍ ରିସିଭ କରିଥିବା ବ୍ୟକ୍ତିଜଣକ ଇଟିଭି ଭାରତକୁ କହିଥିଲେ ଯେ, ହସପିଟାଲରେ କୋରୋନା ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ ରହିଛି । ରୋଗୀଙ୍କୁ ତାଙ୍କର ବର୍ତମାନ ସ୍ଥିତି ଦେଖି ହିଁ ଆଡମିଟ୍ କରାଯାଉଛି ବୋଲି ସେ କହିଥିଲେ । ଦରକାର ପଡିଲେ ହିଁ ଭେଣ୍ଟିଲେସନ ବ୍ୟବସ୍ଥା କରାଯାଉଛି । ଆଉ ଏଥିପାଇଁ ଦେୟ ଦେବାକୁ ପଡିବ ବୋଲି ବ୍ୟକ୍ତି ଜଣକ କହିଥିଲେ । ବ୍ୟକ୍ତିଜଣକ ଚିକିତ୍ସା ରେଟ୍ ବାବଦରେ ବି ଆମକୁ କହିଥିଲେ ।
ବି.ଏଲ କପୁର ଓ ଭେଙ୍କଟେଶ୍ବର ହସପିଟାଲ୍
ବି.ଏଲ କପୁର ହସପିଟାଲକୁ ଫୋନ୍ କଲାପରେ ଆମକୁ କୁହାଯାଇଥିଲା ଯେ, ସେହି ହସପିଟାଲରେ ପ୍ରଥମେ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଏ ଓ ଚିକିତ୍ସା ଖର୍ଚ୍ଚ ପରେ ସେମାନଙ୍କୁ ଜଣାଯାଏ । ତେବେ, ଆନୁମାନିକ ଖର୍ଚ୍ଚ ବାବଦରେ ପଚରାଯିବାରୁ ଜବାବ ମିଳିଥିଲା ଯେ, ରୋଗୀଙ୍କୁ ଆଡମିଟ୍ ନ ହେଲା ଯାଏଁ ସେ ବାବଦରେ କିଛି କୁହାଯାଇ ପାରିବ ନାହିଁ । ଏପରିକି ଭେଂଟିଲେଟର ବ୍ୟବସ୍ଥା ସହ କୋରୋନା ରୋଗୀଙ୍କୁ ଚିକିତ୍ସା କଲେ କେତେ ଖର୍ଚ୍ଚ ହେବ, ସେ ବାବଦରେ ମଧ୍ୟ ସେହି ହସପିଟାଲ କିଛି କହି ନ ଥିଲା । ଭେଙ୍କଟେଶ୍ୱର ହସପିଟାଲକୁ ଫୋନ୍ କରାଯାଇଥିଲେ ମଧ୍ୟ ଆମର ଫୋନ କଲ୍ ଆଉ ଜଣେ ଲୋକଙ୍କୁ ଟ୍ରାନସଫର କରିଦିଆଯାଇଥିଲା । କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ ।
କଣ କହନ୍ତି ବିଶେଷଜ୍ଞ ?
କନଫେଡେରେସନ ଅଫ ମେଡିକାଲ ଆସୋସିଏସନ ଅଫ ଏସିଆ ଆଣ୍ଡ୍ ଓସେନିଆର ସଭାପତି ଡକ୍ଟର କେ.କେ ଅଗ୍ରୱାଲଙ୍କ ମତରେ ଦିଲ୍ଲୀ ଜନସଂଖ୍ୟାର ୧୫ରୁ ୨୦ ପ୍ରତିଶତ ଆଗରୁ ହିଁ କୋରୋନା ଭାଇରସ ଦ୍ବାରା ସଂକ୍ରମିତ । ଦିଲ୍ଲୀ ସରକାର ଚିକିତ୍ସା ଖର୍ଚ୍ଚ ଧାର୍ଯ୍ୟ କରିସାରିଛନ୍ତି । ଆଉ ହସପିଟାଲଗୁଡିକ ଏହା ମାନିବାକୁ ବାଧ୍ୟ । ଯଦି କାହାର ଆଉ ଲକ୍ଷଣ ଦେଖାଯାଏ ନାହିଁ ବା ସେ ଅକ୍ସିଜେନ ଦରକାର କରେ ନାହିଁ , ତାହା ହେଲେ ସେ ହସପିଟାଲରେ ଭର୍ତି ହେବା ଦରକାର ନାହିଁ । ଯଦି ବା କାହାକୁ ହସପିଟାଲ ଯିବା ଦରକାର, ସେ ହସପିଟାଲ ଯିବ । ତାଙ୍କୁ ହସପିଟାଲଗୁଡିକ ଧାର୍ଯ୍ୟ ଦରଠାରୁ ଅଧିକ ଚାର୍ଜ କରିପାରିବେ ନାହିଁ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ