ହାଇଦ୍ରାବାଦ: ଏବେ ବନ୍ଧୁ, ପରିଜନ ତଥା ଅନ୍ୟ କାହାକୁ ଫୋନ କଲା କ୍ଷଣି ମୋବାଇଲରେ ଶୁଣିବାକୁ ମିଳୁଛି କୋରୋନା ଭାଇରସ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅନୁରୋଧ ପରେ ଟେଲିକମ କମ୍ପାନୀଗୁଡିକ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କୋଭିଡ-19 ଭାଇରସ ନେଇ ସତର୍କ ରହିବା ପାଇଁ ଲୋକଙ୍କ ନିକଟରେ ମୋବାଇଲ ଫୋନ କଲର ଟ୍ୟୁନ ମାଧ୍ୟମରେ ସଚେତନାତା ବାର୍ତ୍ତା ପହଞ୍ଚାଇବା ଆରମ୍ଭ କରିଛନ୍ତି ସମସ୍ତ ଟେଲିକମ କମ୍ପାନୀ ।
ସାରା ବିଶ୍ବରେ ଆତଙ୍କ ଖେଳାଇବାରେ ଲାଗିଛି ମହାମାରୀ କୋରୋନା ଭାଇରସ । ଭାରତରେ ବି 40 ଜଣ ଏହି ଭାଇରସ ଦ୍ବାରା ଆକ୍ରାନ୍ତ ହୋଇସାରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସର କୌଣସି ଭ୍ୟାକ୍ସିନ ବାହାରି ନଥିବା ବେଳେ କେବଳ ସଚେତନତା ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ସତର୍କ କରାଯାଉଛି । ଲୋକଙ୍କ ନିକଟରେ ସଚେତନାତା ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ମୋବାଇଲ ଅପରେଟରଙ୍କ ଦ୍ବାରା କୋଭିଡ-19 ମୋବାଇଲ ଫୋନ କଲର ଟ୍ୟୁନ୍ ଲଞ୍ଚ କରାଯାଇଛି । ଯେତେବେଳେ କଲର ଡାଏଲ କରିବେ ସେହି ସମୟରେ ଭାଇରସ ସଂକ୍ରମଣ ନେଇ ସଚେତନତା ବାର୍ତ୍ତା ଦିଆଯାଉଛି । ଦେଶରେ 117.2 କୋଟି ମୋବାଇଲ ଗ୍ରାହକଙ୍କୁ ଧୀରେ ଧୀରେ SMS ମାଧ୍ୟମରେ ମଧ୍ୟ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ପ୍ରୟାସ କରାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ରବିବାର ଦେଶରେ କୋରୋନା ଭାଇରସର 6ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 5ଟି କେରଳର ଥିବାବେଳେ ଗୋଟିଏ ତାମିଲନାଡୁର ରହିଛି । ଏଥି ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 40କୁ ପହଞ୍ଚିଛି ।