ରାମନଗର: କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନରେ କୋହଳ କରାଯାଇ ଅନଲକ 0.1 ଆରମ୍ଭ ହୋଇଛି । ଏହି କ୍ରମରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ପର୍ଯ୍ୟଟକଙ୍କ ପାଇଁ ଜୁନ 14ରୁ କୋରବେଟ ବ୍ୟାଘ୍ର ସଂରକ୍ଷଣ ଖୋଲିବାକୁ ଆଦେଶ ଦେଇଛନ୍ତି । ହେଲେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଜାତୀୟ ଉଦ୍ୟାନରେ 10ବର୍ଷରୁ କମ ଏବଂ 60ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ଭ୍ରମଣରେ ପ୍ରତିବନ୍ଧକ ରହିଛି । ସେହିପରି ଶନିବାରଠୁ ଏହାର ଅନଲାଇନ ବୁକିଂ ଆରମ୍ଭ ହେବ ।
ନେଚର ଗାଇଡ ସଞ୍ଜୟ ଛିମ୍ବାଲ କହିଛନ୍ତି ଯେ, ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କୁ ନିଜ ସୁବିଧାରେ ରିସର୍ଟ୍ଟରେ 7 ଦିନ କ୍ବାରେନଣ୍ଟାଇନରେ ରହିବାକୁ ପଡିବ । ଏହା ପରେ କୋରବେଟ ବ୍ୟାଘ୍ର ସଂରକ୍ଷଣରେ ସେମାନଙ୍କୁ ଭ୍ରମଣ ଅନୁମତି ମିଳିବ । ଏମିତି ସ୍ଥିତିରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିବା ନେଇ ଆଶଙ୍କା ରହିଛି ।
ନିର୍ଦ୍ଦେଶକ ସିଟିଆର ରାହୁଲ କୁମାର କହିଛନ୍ତି ଯେ, ଏନଟିସିଏ ଦ୍ବାରା କୋରବେଟ ବ୍ୟାଘ୍ର ସଂରକ୍ଷଣ ଜୁନ 14ରୁ ଖୋଲିବା ନେଇ ଅନୁମତି ମିଳିସାରିଛି । ଏ ସମ୍ପର୍କରେ ଜିଲ୍ଲାଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଆଲୋଚନା ସମୟରେ ଅନେକ ପ୍ରମୁଖ କଥା ଗୁଡିକ ଉପରେ ଚର୍ଚ୍ଚା ହୋଇଥିଲା । ସେ କହିଛନ୍ତି ଯେ, ଏହି ସଂରକ୍ଷଣରେ 15 ଜୁନରୁ ବନ୍ଦ ହେଉଥିବା ଜୋନ ଗୁଡିକ ଖୋଲିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ