ଏବେ ଅଧିକାଂଶଙ୍କର ପସନ୍ଦ ଅନ୍ ଲାଇନ ସପିଂ । ଗମନା ଗମନର ସୁବିଧା ନଥିବା ଅଞ୍ଚଳର ଲୋକେ ମଧ୍ୟ, ଅନ୍ ଲାଇନ୍ ଜିନିଷପତ୍ର କିଣାକୁ ପସନ୍ଦ କରୁଛନ୍ତି । ଯେଉଁଥି ପାଇଁ ଭାରତରେ ଅନ୍ ଲାଇନ୍ ଖାଉଟି ମାର୍କେଟ୍ ଦ୍ରୁତ ଗତିରେ ବଢ଼ି ଚାଲିଛି । ଅନ୍ ବ୍ୟାବସାୟିକ ପ୍ରତିଷ୍ଠାନ ତରଫରୁ ଦିଆ ଯାଉଥିବା ଆକର୍ଷଣୀୟ ରିହାତି, ଅଫର୍ ଏବଂ କ୍ୟାସ୍ ବ୍ୟାକ୍ ଏହାର ମୁଖ୍ୟ କାରଣ । ଯଦିଓ ଦେଶର ଏକ ଚତୁର୍ଥାଂଶ ଲୋକ ଅନ୍ ଲାଇନରେ ଜିନିଷ ପତ୍ର କିଣାକିଣି କରୁଛନ୍ତି, କିନ୍ତୁ ସେମାନଙ୍କ କ୍ରୟ ସଂକ୍ରାନ୍ତ ବିବାଦର ସମାଧାନ ପାଇଁ ସେଭଳି କୌଣସି ଆଇନଗତ ବ୍ୟବସ୍ଥା ନଥିଲା । ନିକଟରେ କେନ୍ଦ୍ର ସରକାର, ଖାଉଟି ସୁରକ୍ଷା ଆଇନରେ ସଂଶୋଧନ ଆଣିଛନ୍ତି ।
ଯେଉଁଥିରେ ଇ-କମର୍ସ ସଂକ୍ରାନ୍ତ ଅନେକ ଆଇନ୍ ରହିଛି । ଇ-କମର୍ସ ନିୟମ ଏବେ, 2019 ଖାଉଟି ସୁରକ୍ଷା ଆଇନର ଅଂଶବିଶେଷ । ଗତବର୍ଷ ଅଗଷ୍ଟ 6 ତାରିଖରେ ପାର୍ଲାମେଣ୍ଟର ଅନୁମୋଦନ ପାଇଥିବା ଏହି ଆଇନ୍ 2020 ଜୁଲାଇ 27 ତାରିଖରୁ ସାରା ଦେଶରେ ଲାଗୁ କରାଯାଇଛି । ଯାହା ଇ-କମର୍ସ ଗ୍ରାହକଙ୍କ ପାଇଁ ଏକ ବଡ଼ଆଶ୍ୱସ୍ତି ।
ଅନ୍ ଲାଇନ ରିଟେଲ କମ୍ପାନୀ ଆମାଜନ୍, କେବଳ ଭାରତରେ ହଜାର ହଜାର କୋଟି ଟଙ୍କା ବ୍ୟବସାୟ କରୁଛି । ସେହିଭଳି ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ, ଫ୍ଲିପକାର୍ଟର 81 ପ୍ରତିଶତ ଅଂଶଧନ କିଣିଛି । ଦେଶ ଭିତରେ 19 ହଜାର ଇ-କମର୍ସ କମ୍ପାନି ଥିବା ବେଳେ ସେଥି ମଧ୍ୟରୁ ମାତ୍ର 70ଟି ପୂର୍ଣ୍ଣ ଭାବେ ଚାଲୁଛି, ଯେଉଁଗୁଡ଼ିକର ମଧ୍ୟ ମାର୍କେଟରେ ସିଂହଭାଗଅଂଶଧନ ରହିଛି । ଅନ୍ ଲାଇନ୍ ଦୋକାନରେ ଜୋତାରୁ ଆରମ୍ଭ କରି ପୋଷାକପତ୍ର, ଏପରିକି ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ଉପଲବ୍ଧ ହେଉଛି । 2018ରେ ଦେଶରେ ଇ-କମର୍ସ ଗ୍ରାହକଙ୍କ ସଂଖ୍ୟା 22 କୋଟି 40 ଲକ୍ଷ ଥିଲା । 2020 ଶେଷ ବେଳକୁ ଏହା 32 କୋଟି ଛୁଇଁବା ଆଶା କରାଯାଉଛି । ସେହିଭଳି 2017ରେ ଇ-କମର୍ସ ବ୍ୟବସାୟ 1.79 ଲକ୍ଷ କୋଟି ଥିବା ବେଳେ 2021 ସୁଦ୍ଧା 6.28 ଲକ୍ଷ କୋଟି ହେବ ବୋଲି ଆକଳନ କରାଯାଉଛି ।
କୋରୋନା ମହାମାରୀ ବେଳେ ଡିଜିଟାଲ୍ ବ୍ୟାବସାୟିକ କାରବାରରେ ବୃଦ୍ଧି ଘଟିଛି । ପୂର୍ବରୁ ଖାଉଟିଙ୍କ ସୁରକ୍ଷା ସଂକ୍ରାନ୍ତ ବଳିଷ୍ଠ ଆଇନ କାନୁନ ନଥିବାରୁ ଛତୁ ଫୁଟିଲା ଭଳି ଖୋଲିଥିଲା ଅନେକ ଇ-କମର୍ସ କମ୍ପାନି । ବେଳେବେଳେ ଟଙ୍କା ଦେଇ ଗ୍ରାହକଙ୍କୁ ଜିନିଷ ମିଳୁ ନଥିଲା ତ ଆଉ କେତେବେଳେ ଭଙ୍ଗାରୁଜା ଜିନିଷ ମିଳୁଥିଲା । ଏପରିକି ଆଇ-ଫୋନ୍ ବଦଳରେ କିଛି ଗ୍ରାହକ, ସାବୁନ୍ ଖୋଳ ଏବଂ ଇଟା ପାଇଥିବା ଅଭିଯୋଗ ନଜିର୍ ରହିଛି । ଏଭଳି ସ୍ଥିତିରେ ଗ୍ରାହକମାନେ, କମ୍ପାନୀକୁ କିଛି କହିପାରୁ ନଥିଲେ । ଜିନିଷ ଫେରସ୍ତ ଦେଲେ, ଟଙ୍କା ଫେରାଇବା ପାଇଁ ଇ-କମର୍ସ କମ୍ପାନିଗୁଡ଼ିକ ଦରକାର ଠାରୁ ବହୁ ସମୟ ନେଉଥିଲେ । କିନ୍ତୁ ଏବେ, ନୂଆ ଖାଉଟି ସୁରକ୍ଷା ଆଇନରେ ଥିବା ଇ-କମର୍ସ ନିୟମ ଗୁଡ଼ିକ, ଭାରତରେ ବ୍ୟବସାୟ କରୁଥିବା, ସବୁ ଡିଜିଟାଲ୍ ରିଟେଲ୍ ପ୍ରତିଷ୍ଠାନ ପାଇଁ ଲାଗୁ ହେବ । ନୂଆ ନିୟମ, ଗ୍ରାହକଙ୍କୁ ସଶକ୍ତ କରିଥିବା ବେଳେ ଠକେଇ କିମ୍ବା ନକଲି ଜିନିଷ ପାଇଁ ଇ-କମର୍ସ କମ୍ପାନୀଗୁଡ଼ିକ ଉତ୍ତରଦାୟୀ ରହିବେ । ଅନ୍ ଲାଇନ ରିଟେଲ କମ୍ପାନୀଗୁଡ଼ିକ ପ୍ୟାକେଟ୍ ଉପରେ ଜିନିଷ ଫେରସ୍ତ, ଟଙ୍କା ଫେରସ୍ତ, ବଦଳ, ୱାରେଣ୍ଟି, ଗ୍ୟାରେଣ୍ଟି, ଡେଲିଭରି, ସିପମେଣ୍ଟ୍, ଟଙ୍କା ନେବାର ପଦ୍ଧତି, ଅଭିଯୋଗ ଶୁଣାଣି ପଦ୍ଧତି ଏବଂ ଜିନିଷ କେଉଁ ଦେଶରେ ତିଆରି ହୋଇଛି ସବୁ ଉଲ୍ଲେଖ କରିବାକୁ ବାଧ୍ୟ । ଏହି ନିୟମ, ଦେଶ ମଧ୍ୟରେ ଚୀନ୍ ସାମଗ୍ରୀକୁ ନିଷିଦ୍ଧ କରିବାରେ ସହାୟକ ହେବ । ତେଣୁ ସମସ୍ତ ରାଜ୍ୟ ସରକାର, ଏହି ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ।
ଯଦି କୌଣସି ଇ-କମର୍ସ କମ୍ପାନୀ, ଏହି ଆଇନର ଉଲ୍ଲଘଂନ କରନ୍ତି, ତେବେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଥରିଟି(CCPA), ଆଇନ ଅନୁଯାୟୀ ପଦକ୍ଷେପ ନେବେ । CCPAର ନେତୃତ୍ୱ ନେବେ ଜଣେ ମୁଖ୍ୟ କମିଶନର୍, ଯିଏକି ଖାଉଟିଙ୍କ ଅଧିକାରର ସୁରକ୍ଷା ପାଇଁ କାମ କରିବେ । ନୂଆ ଆଇନକୁ ସ୍ନାପଡିଲ୍ ଇ-କମର୍ସ କମ୍ପାନୀସ୍ୱାଗତ କରିଛି । ତେବେ ଗୋଟିଏ ରିଟେଲ୍ଫାର୍ମ, ଏନେଇ କିଛିଟା ଅସନ୍ତୋଷ ବ୍ୟକ୍ତ କରିଛି । ସଂପୃକ୍ତ ଫାର୍ମର କାର୍ଯ୍ୟନିର୍ବାହୀଙ୍କ କହିବା କଥା, ପ୍ରତିଟି ଜିନିଷ ଉପରେ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବା କିଛିଟା କଷ୍ଟକର ହେବ ବୋଲି କହିଛନ୍ତି । ତେବେ, ଇ-କମର୍ସ ସଂକ୍ରାନ୍ତ ନୂଆ ଖାଉଟି ଆଇନ୍, ରିଟେଲରଙ୍କ ମନଇଚ୍ଛା କାରବାର ଏବଂ ବ୍ୟବହାର ଉପରେ କିଭଳି ରୋକ୍ ଲଗାଇବ, ଏବେ ତାହା ଉପରେ ନଜର ।