ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିରନ୍ତର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ବିଜେପି-ଜେଡିୟୁ ପରେ ବର୍ତ୍ତମାନ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ଏକ ଭର୍ଚୁଆଲ୍ ରାଲି କରିବାକୁ ନିଷ୍ପତ୍ତି ନେଇଛି। ଦଳ ସେପ୍ଟେମ୍ବର 1 ତାରିଖରୁ ରାଜ୍ୟରେ ଏକ ଭର୍ଚୁଆଲ୍ ରାଲି କରିବ। ଏହି ରାଲି ମାଧ୍ୟମରେ କଂଗ୍ରେସ ସାଧାରଣ ଲୋକଙ୍କ ମଧ୍ୟରେ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ।
ସୂଚନାନୁସାରେ, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟରେ ପ୍ରାୟ 100 ଟି ଭର୍ଚୁଆଲ୍ ରାଲି କରିବାକୁ ନିଷ୍ପତ୍ତି ନେଇଛି । ରାହୁଲ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଏହି ସମାବେଶକୁ ସମ୍ବୋଧିତ କରିବେ ବୋଲି ଆଶା କରାଯାଉଛି । ଏହି ସୂଚନା ଦଳ ପକ୍ଷରୁ ଦିଆଯାଇଛି। ଦଳ ଏହାର ନାମ ବିହାର ବିପ୍ଳବ ଭର୍ଚୁଆଲ୍ ମହାସମ୍ମେଳନ ରଖିଛି।
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 6 ପରେ ବିଜେପିର ବହୁ ବରିଷ୍ଠ ନେତା ବିହାର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ବିହାରର କଂଗ୍ରେସ ରାଜ୍ୟସଭା ସାଂସଦ ତଥା କଂଗ୍ରେସ ଅଭିଯାନ କମିଟି ମୁଖ୍ୟ ଅଖିଳେଶ ପ୍ରସାଦ ସିଂ କହିଥିଲେ, ମହାମେଣ୍ଟକୁ ନେଇ ଏବେସୁଦ୍ଧା କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇନାହିଁ । କିନ୍ତୁ ବାମପନ୍ଥୀ, ଆରଏଲଏସପି, ଏଚଏଏମ ଭଳି ସମସ୍ତ ଛୋଟ ସହଯୋଗୀଙ୍କ ସହ ହାତ ମିଳାଯିବ ବୋଲି ସେ କହିଛନ୍ତି।
ଆଗାମୀ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରକୁ ହରାଇବା ପାଇଁ ବାମପନ୍ଥୀ ଦଳ ବିଶେଷକରି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ସିପିଆଇ (ଏମ୍) ଏବଂ ସିପିଆଇ (ଏମ୍ଏଲ୍) ମହାମେଣ୍ଟରେ ମିଳିତ ହେବାକୁ ପ୍ରସ୍ତୁତ ଅଛନ୍ତି।
ଅଗଷ୍ଟ 27 ରେ, ବାମ ଦଳର ନେତାମାନେ ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କୁ ଭେଟି ବିହାର ମତଦାନ ପାଇଁ ବିରୋଧୀ ମହାମେଣ୍ଟ ଏବଂ ବାମପନ୍ଥୀ ଦଳ ମଧ୍ୟରେ ଏକତା ଉପରେ ଆଲୋଚନା କରିଥିଲେ।
ବିହାରରେ 243 ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି । ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29 ରେ ଶେଷ ହେବ । ତେବେ କୋରୋନା ଭାଇରସ୍ ମହାମାରୀ ହେତୁ ବିହାର ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାଁନ୍ତି। ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକ ଠାରୁ ଏନେଇ ପରାମର୍ଶ ଲୋଡିଛନ୍ତି ।