ନୂଆଦିଲ୍ଲୀ: କଂଗ୍ରେସରେ ଏବେ ଜାରି ରହିଛି ଇସ୍ତଫା ଝଡ଼ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଜିଦ ପରେ ଦଳର ଅନେକ ବରିଷ୍ଠ ନେତା ରାହୁଲଙ୍କ ସମ୍ମାନରେ ଇସ୍ତଫା ଦେଉଛନ୍ତି । ତେବେ ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରତାପ ସିଂହ ବାଜୱା ଏଆଇସିସିର ବିଦେଶ ମାମଲା ସମ୍ବନ୍ଧୀୟ ସମିତିର ଉପ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ଦଳର ସମସ୍ତ ବରିଷ୍ଠ ନେତା ନିଜ ପଦବୀରୁ ଇସ୍ତଫା ଦେଇ ରାହୁଲ ଗାନ୍ଧୀଙ୍କୁ କାମ କରିବାର ସମ୍ପୂର୍ଣ୍ଣ ସ୍ବାଧୀନତା ଦେବା ଉଚିତ୍ ବୋଲି ପ୍ରତାପ ସିଂହ ବାଜୱା କହିଛନ୍ତି । ସେ କହିଛନ୍ତି, କଂଗ୍ରେସରେ ଏବେ ବଡ ସ୍ତରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଦଳକୁ ନୂଆ ଚେହେରାର ଆବଶ୍ୟକତା ରହିଛି । ରାହୁଲଙ୍କ ଏହି ନିଷ୍ପତ୍ତିର ସମ୍ମାନ କରିବା ଉଚିତ । ତାଙ୍କ ନେତୃତ୍ବକୁ ଭରଷା କରି ଦଳର ସମସ୍ତ ବରିଷ୍ଠ ନେତା, ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍ ଧରି ବସିଛନ୍ତି ।