ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ସହ ଦୀର୍ଘ 30 ଘଣ୍ଟାରୁ ଊର୍ଦ୍ଧ୍ବ ଲୁଚକାଳି ପରେ ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ । ଗତ କିଛିଦିନ ଧରି ଲାଗି ରହିଥିବା ହାଇଭୋଲଟେଜ ଡ୍ରାମାରେ ପୂର୍ଣ୍ଣଛେଦ ପଡିଛି । ବୁଧବାର ରାତିରେ ଚିଦାମ୍ବରଙ୍କୁ ସିବିଆଇ ଗିରଫ କରିଛି । ଗୁରୁବାର ଦିନ 2ଟାରୁ 4ଟା ଭିତରେ ଚିଦାମ୍ବରମଙ୍କୁ ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ।
ସୂଚନା ଅନୁସାରେ ସିବିଆଇ ଚିଦାମ୍ବରଙ୍କୁ ପୁଣି ଥରେ ପଚରାଉଚୁରା କରୁଛି । ସେପଟେ କଂଗ୍ରେସ ଏହି ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏନେଇ କଂଗ୍ରେସ ପକ୍ଷରୁ ସକାଳ 10ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲା । ଦଳୀୟ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି, ଗତ ଦୁଇଦିନ ଧରି ଗଣତନ୍ତ୍ରର ହତ୍ୟା ହେଉଥିବା ଦେଶ ଦେଖୁଛି । ବିନା ପ୍ରମାଣରେ ଚିଦାମ୍ବରମଙ୍କୁ ଗିରଫ କରାଯାଇଛି । ମୋଦି ସରକାର କଂଗ୍ରେସ ବିରୋଧରେ ବ୍ୟକ୍ତିଗତ ଭାବେ ପ୍ରତିଶୋଧ ନେବାକୁ ଇଡି ଏବଂ ସିବିଆଇ ଭଳି ତଦନ୍ତ ଏଜେନ୍ସିକୁ ବ୍ୟବହାର କରିଛି । ଫଳରେ ପୂର୍ବତନ ଅର୍ଥ ମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରାଯାଇଛି ।
ସେପେଟେ ଚିଦାମ୍ବରଙ୍କ ପୁତ୍ର କାର୍ତ୍ତୀ ଚିଦାମ୍ବରମଙ୍କ କହିବା କଥା ହେଲା ସେ କେବେ ବି ପିଟର ମୁଖାର୍ଜୀ ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସହ ସାକ୍ଷାତ କରି ନାହାଁନ୍ତି । ସିବିଆଇ ଯେତେବେଳେ ପଚରାଉଚୁରା କଲା, ସେହି ସମୟରେ ସେମାନଙ୍କୁ ପ୍ରଥମଥର ପାଇଁ ସାମନା କରିଥିଲେ । କାର୍ତ୍ତୀ ପୁଣି କହିଛନ୍ତି, ସେ କେବେ ବି ମୁଖାର୍ଜୀଙ୍କ କମ୍ପାନୀ ସହ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ସମ୍ପର୍କ ରଖିନାହାଁନ୍ତି କିମ୍ବା କୌଣସି ପ୍ରକାର କଥାବାର୍ତ୍ତା ମଧ୍ୟ ହୋଇ ନାହାଁନ୍ତି ।
ସୂଚନା ଅନୁସାରେ ଆଇଏନଏକ୍ସ ବିରୋଧରେ ଚାଲିଥିବା ଟିକସ ତଦନ୍ତ ମାମଲାକୁ କ୍ଷମତାବଳରେ ଅଦଳବଦଳ କରିଥିବାନେଇ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତୀ ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡର ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ଆଇଏନଏକ୍ସ ମିଡିଆ ମରିସସରୁ 300କୋଟି ଟଙ୍କାର ବିଦେଶୀ ପୁଞ୍ଜି ହାତେଇବାର ଅନିୟମିତତା ଅଭିଯୋଗ ହୋଇଥିଲା। ଏଥିରେ ଆଇଏନଏକ୍ସ ମିଡିଆ ତାଙ୍କୁ 10 ଲକ୍ଷ ଟଙ୍କା ଲାଞ୍ଚ ଦେଇଥିବା ବେଳେ ସେହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ପି.ଚିଦାମ୍ବରମ । ତେବେ ବାପା-ପୁଅ କ୍ଷମତାର ଫାଇଦା ଉଠାଉଥିବାର ଅଭିଯୋଗ ସଙ୍ଗେ କାମ କରାଇ ଦେବାକୁ କାର୍ତ୍ତୀଙ୍କ 10 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାର ଭାଉଚର ସିବିଆଇ ପାଇଥିଲା । ଶେଷରେ ସମସ୍ତ ପ୍ରମାଣ ପାଇ ଆଇଏନଏକ୍ସ ମିଡିଆ ଦୁର୍ନୀତି ଅଭିଯୋଗରେ ବାପା-ପୁଅକୁ ଗିରଫ କଲା ସିବିଆଇ ।