ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ଜୋରଦାର ପ୍ରଚାରରେ ଲାଗିଛନ୍ତି ସମସ୍ତ ଦଳର ରାଜନେତା । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ବିହାରର ସୁପୌଲରେ ଏକ ନିର୍ବାଚନୀ ସଭାକୁ କରିଛନ୍ତି ସମ୍ବୋଧନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ସେ । ବିହାର ଯୁବବର୍ଗଙ୍କୁ ଚୌକିଦାର ବଦନାମ କରିଛନ୍ତି ବୋଲି କହିଛନ୍ତି ରାହୁଲ ।
ସମଗ୍ର ଦେଶରେ ବିହାରର ଯୁବକ ଯାଇ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟରେ ଚୌକିଦାର କାମ କରନ୍ତି । କିନ୍ତୁ ଯେଉମାନେ ଏଠାରୁ ଚୌକିଦାର ହୋଇଯାଆନ୍ତି ସେମାନେ ସଚ୍ଚୋଟ ହୋଇଥାନ୍ତି । ଯଦି କୌଣସି ବିହାରୀ ଚୌକିଦାର ବ୍ୟାଙ୍କ ସାମ୍ନାରେ ଛିଡା ହୁଅନ୍ତି ତେବେ ବ୍ୟାଙ୍କରୁ ଚୌରି ହେବାର ଭୟ ନଥାଏ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।
ପିଏମ ମୋଦି ହେଉଛନ୍ତି ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଚୌକିଦାର । ବର୍ତ୍ତମାନ ଚୌକିଦାରଙ୍କ ସତ୍ୟତା ସାମ୍ନାକୁ ଆସିବାକୁ ଲାଗିଛି । ତେଣୁ ସେ(ମୋଦି) ଭୟଭୀତ ହେଉଛନ୍ତି । ମୋଦି ଅନୀଲ ଅମ୍ବାନୀଙ୍କୁ ୩୦ ହଜାର କୋଟି ଟଙ୍କା ଦେଇଛନ୍ତି । ମୋଦି ଯଦି ଚୋରଙ୍କୁ ଟଙ୍କା ଦେଇ ପାରନ୍ତି ତେବେ ଗରିବଙ୍କୁ କଣ ପାଇଁ ନୁହଁ ? ରାଫେଲ ମାମଲାରେ ତଦନ୍ତ ହେବ ଓ ଅନୀଲ ଓ ମୋଦିଙ୍କୁ ଦଣ୍ଡ ମିଳିବ ବୋଲି ରାହୁଲ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଦେଶର ଜନତା ଚୌକିଦାରଙ୍କୁ(ମୋଦି) ଡ୍ୟୁଟିରୁ ହଟାଇବାକୁ ସ୍ଥିର କରି ନେଇଛନ୍ତି । କୋଟି କୋଟି ଯୁବକ ବେରୋଜଗାର ଅଛନ୍ତି । ଅନ୍ୟପକ୍ଷେ ମୋଦିଜୀ ଦେଶକୁ ଆଗକୁ ବଢାଇବା କଥା କହୁଛନ୍ତି । ବିହାରର ଜନତା ମୋଦିଙ୍କୁ ପୁଣିଥରେ ପିଏମ ହେବାକୁ ଦେବେ ନାହିଁ ।