ନୂଆଦିଲ୍ଲୀ: ସଡକରୁ ସଂସଦ ଯାଏଁ କୃଷି ବିଲ 2020କୁ ଜୋରଦାର ବିରୋଧ କରାଯାଉଛି । ଆଜି ରାଜ୍ୟସଭାରେ କୃଷି ବିଲ ଆଗତ ହୋଇଛି କୃଷି ବିଲ। କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- 2020, ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-2020 ଉପସ୍ଥାପନା କରିଛନ୍ତି କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମୋର ।
ଏହି ବିଲ ଆଗତ ସମୟରେ ମନ୍ତ୍ରୀ କହିଥିଲେ, କୃଷି ସଂକ୍ରାନ୍ତୀୟ ଅଣାଯାଇଥିବା ଦୁଇଟି ବିଲ ଐତିହାସିକ ଏବଂ ଏହା କୃଷକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିବାରେ ସହାୟକ ହେବ । ଏଥିସହ ସେମାନେ ନିଜର ଉତ୍ପାଦକୁ ଦେଶର ଯେକୌଣସି ସ୍ଥାନରେ ମୁକ୍ତ ଭାବରେ ବିକ୍ରି କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । କୃଷକଙ୍କୁ ନିଶ୍ଚିତ କରି ମନ୍ତ୍ରୀ କହିଥିଲେ ଏହି ବିଲ୍ ସର୍ବନିମ୍ନ ସହାୟତା ମୂଲ୍ୟ ସହିତ ଜଡିତ ନୁହେଁ ।
ସେପଟେ, ଏହି ବିଲକୁ ଦୃଢ ବିରୋଧ କରିଛି କଂଗ୍ରେସ । ଏହାକୁ ଅପ୍ରାକୃତିକ ଓ ଅଯଥା ବିଲ ବୋଲି ଦଳ କହିଛି । ଏହି ବିଲ ପାରିତ ହେଲେ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ତେଣୁ ଏହାକୁ ଡେଥ ୱାରେଣ୍ଟ କହିବା ସହ ଏଥିରେ ଦସ୍ତଖତ କରିବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି କଂଗ୍ରେସ ରାଜ୍ୟସଭାର ସାଂସଦ ପ୍ରତାପ ସିଂ ବାଜୱା ।
ସୂଚନାଯୋଗ୍ୟ, କୃଷି ବିଲ 2020କୁ ଲୋକସଭାରେ ପାରିତ ହୋଇଛି । ଏନଡିଏ ସହଯୋଗୀ ଶିରୋମଣୀ ଅକାଳି ଦଳ ଏହାକୁ ବିରୋଧ କରିବା ସହ କେନ୍ଦ୍ରମନ୍ତ୍ରୀ ହରସିମତର କୌର ବାଦଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟପଟେ ବିଜେଡି ଗୃହରେ ନିଜ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ବିପ ଜାରି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ