ଜୟପୁର: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ତେବେ ପ୍ରଥମେ ସକାଳ 10ଟାରେ ବୈଠକ ବସିବାକୁ ଥିବାବେଳେ ତାହାକୁ ଘୁଞ୍ଚାଇ ଦିଆଯାଇଛି । 10 ଟା ପରିବର୍ତ୍ତେ 11ଟାରେ ବୈଠକ ହେବ ବୋଲି କୁହାଯାଇଛି । ସକାଳ 10ଟାରେ ବୈଠକ ହେବା ନେଇ ସୋମବାର ରାତିରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ।
ଦଳର ବରିଷ୍ଠ ନେତା ଅବିନାଶ ପାଣ୍ଡେ ଓ ଅଜୟ ମାର୍କନଙ୍କ ସହିତ ସେ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ମଙ୍ଗଳବାର ସକାଳେ ପୁଣି ଥରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ସେ କହିଛନ୍ତି । ସେହିପରି ବୈଠକ ହୋଟେଲ ଫାୟାର ମାଉଣ୍ଟରେ ହେବ ବୋଲି ସେ କହିଛନ୍ତି ।
ଏହାସହ ଏହି ବୈଠକରେ ସାମିଲ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କୁ ମଧ୍ୟ ଡକରାଯାଇଥିବା ଜଣାପଡିଛି । ସେମାନଙ୍କୁ ଫୋନ ଓ ଲିଖିତ ମାଧ୍ୟମରେ ବୈଠକରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।
ସେପଟେ କଂଗ୍ରେସ ଓ ସମର୍ଥକ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାରରେ ସେମାନଙ୍କ ସମର୍ଥନ ଦେଇଥିବା ମଧ୍ୟ ସେ ଦର୍ଶାଇଛନ୍ତି । ଏହାସହ ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ଯେଉଁ ବିଧାୟକମାନେ ଯୋଗଦେଇନାହାଁନ୍ତି ସେମାନେ ମଙ୍ଗଳବାର ଦିନ 10ଟାରେ ହେବାକୁ ଥିବା ବୈଠକରେ ଯୋଗ ଦିଅନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।
ସେହିପରି ଦିଲ୍ଲୀରେ ଥିବା ବିଧାୟକମାନେ ମଧ୍ୟ ବୈଠକରେ ଯୋଗ ଦିଅନ୍ତୁ ବୋଲି ସେ ଦର୍ଶାଇବା ସହ ସଚିନ ପାଇଲଟଙ୍କ ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାର ସବୁବେଳେ ଖୋଲା ରହିଛି ବୋଲି ପରୋକ୍ଷରେ କହିଛନ୍ତି । ଏହାସହ ସରକାରରେ ବର୍ତ୍ତମାନ କୌଣସି ସଙ୍କଟ ନଥିବା ସୂର୍ଯେୱାଲା ଦର୍ଶାଇଛନ୍ତି ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଛି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ନିଜ ସମର୍ଥକ ବିଧାୟକଙ୍କ ସହ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ସେ ପ୍ରଥମେ କଂଗ୍ରେସ ନେତୃତ୍ବଙ୍କ ସହ ଆଲୋଚନା କରିଥିବାବେଳେ ଏବେ ବିଜେପି ନେତୃତ୍ବଙ୍କ ସହିତ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କର ବିଜେପି ଯିବାର କୌଣସି ଯୋଜନା ନଥିବା ସଚିନଙ୍କ ନିକଟତମ ବିଧାୟକ ସୂଚନା ଦେଇଛନ୍ତି ।
ସେପଟେ ସରକାରରେ ନିଜ ସମର୍ଥନ ଦେଖାଇବାକୁ ଅଶୋକ ଗେହଲଟ ମଧ୍ୟ ନିଜ ଚାଲ ଖେଳିଛନ୍ତି । ସୋମବାର ନିଜ ସମର୍ଥକ ବିଧାୟକଙ୍କୁ ବାସଭବନକୁ ଡାକି ସେଠାରେ ବୈଠକ କରିଛନ୍ତି । ବୈଠକରେ ନିଜ ସମର୍ଥନରେ ସବୁ ବିଧାୟକ ଥିବା ଦେଖାଇ ସମସ୍ତଙ୍କୁ ବସ୍ରେ ଏକ ହୋଟେଲକୁ ନେଇଛନ୍ତି । ଏହାସହ ନିଜ ସମର୍ଥନରେ 102 ବିଧାୟକ ଥିବା ଦର୍ଶାଇଛନ୍ତି ।
ହେଲେ ଏହାକୁ ସଚିନ ଖଣ୍ଡନ କରିବା ସହ ଅଶୋକ ଗେହଲଟଙ୍କ ଦାବି ସମ୍ପୂର୍ଣ୍ଣ ମିଥ୍ୟା । କାରଣ ମୋ ସହ ହିଁ ବର୍ତ୍ତମାନ 25 ଜଣ ବିଧାୟକ ଅଛନ୍ତି ବୋଲି ସଚିନ କହିଛନ୍ତି । ଏପରିକି ଦିଲ୍ଲୀରେ ତାଙ୍କ ସମର୍ଥକ ବିଧାୟକମାନଙ୍କ ସହିତ ସେ ଆଲୋଚନା କରୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ମିଳିଥିବା ସୂଚନା ଅନୁସାରେ, ସୋମବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ, ଅହମ୍ମଦ ପଟେଲ ଓ ପି. ଚିଦାମ୍ବରମଙ୍କ ଭଳି 5 ବଡ ନେତାଙ୍କୁ ସାକ୍ଷାତ କରିଛନ୍ତି ସଚିନ ପାଇଲଟ୍ । ସେମାନେ ସଚିନଙ୍କୁ ଜୟପୁର ଫେରିଯିବାକୁ କହିଥିବା କୁହାଯାଉଛି ।
ଅନ୍ୟପଟେ କଂଗ୍ରେସ ସରକାରର ଏପରି ସ୍ଥିତି ଦେଖି ହାଇକମାଣ୍ଡ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା, ଦଳର ବରିଷ୍ଠ ନେତା ଅବିନାଶ ପାଣ୍ଡେ ଓ ଅଜୟ ମାର୍କନଙ୍କୁ ସେଠାକାର ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜୟପୁର ପଠାଇଛନ୍ତି ।
ତେବେ ଏସବୁ ଭିତରେ ରାଜ୍ୟକାର୍ଯ୍ୟାଳୟରେ ଲାଗିଥିବା ସଚିନ ପାଇଲଟଙ୍କ ଫଟୋକୁ କାଢି ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।
ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି । ତେବେ ସରକାର କରିବାକୁ 101ଟି ବିଧାୟକଙ୍କ ସମର୍ଥନ ଦରକାର ଥିବାବେଳେ ଅଶୋକ ଗେହଲଟ୍ ସରକାର ନିଜ ସମର୍ଥନରେ ଏବେ ସୁଦ୍ଧା 109 ଜଣ ବିଧାୟକ ଥିବା ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ