ନୂଆଦିଲ୍ଲୀ: ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଟ୍ରମ୍ପଙ୍କ ପ୍ରଥିମ ଭାରତ ଗସ୍ତ । ତେଣୁକରି ତାଙ୍କ ସ୍ବାଗତ ସମ୍ବର୍ଦ୍ଧନାରେ ଯେପରି କୌଣସି କମି ନ ରହିଯାଏ, ସେଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ତେବେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତରେ ହେଉଥିବା ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ଟ୍ରମ୍ପଙ୍କ ଭାରତ ଯାତ୍ରାରେ 100 କୋଟି ଟଙ୍କା ଖର୍ଚ୍ଚ ହେଉଥିବା କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏହି ଗସ୍ତର ଦାୟିତ୍ବ ନେଇଥିବା କମିଟିକୁ ସରକାର କେତେ ଟଙ୍କା ଦେଇଛନ୍ତି, ତାହା ଦେଶକୁ ଜଣାଇବା ଦରକାର ବୋଲି କହିଛନ୍ତି ପ୍ରିୟଙ୍କା ।
ପ୍ରିୟଙ୍କା ଟ୍ବିଟ କରି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତରେ 100 କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଏହି ଟଙ୍କା ଗୋଟିଏ ସମିତି ଜରିଆରେ ଖର୍ଚ୍ଚ ହେଉଛି । ସମିତିର ସଦସ୍ୟଙ୍କୁ ଜଣାନାହିଁ ସେମାନେ ଏହି ସମିତିର ସଦସ୍ୟ । କ’ଣ ଦେଶକୁ ଜାଣିବାର ହକ୍ ନାହିଁ କି ସରକାରଙ୍କ କେଉଁ ମନ୍ତ୍ରଣାଳୟ ସମିତିକୁ କେତେ ଟଙ୍କା ଦେଇଛି ? ସମିତି ବାହାନାରେ ସରକାର କ’ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ?
କଂଗ୍ରେସ ପକ୍ଷରୁ ଟ୍ରମ୍ପଙ୍କ ଗସ୍ତକୁ ନେଇ ଉଠାଯାଉଥିବା ପ୍ରଶ୍ନର ଜବାବ ରଖିଛି ବିଜେପି । ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ କଂଗ୍ରେସ ରାଜନୀତି ନକରୁ ବୋଲି ବିଜେପି କହିଛି ।
@ians