ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସକୁ ଅଧିକ ମଜବୁତ କରିବା ତଥା ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କଂଗ୍ରେସ ଅଭିଯାନ ଆରମ୍ଭ କରିଛି । ଏଥିପାଇଁ 7ଟି ଭିନ୍ନ ଭିନ୍ନ କମିଟି ଗଠନ କରିଛି ଦଳ । ଇସ୍ତାହାର କମିଟି, ଆଉଟରିଚ୍ କମିଟି, ମେମ୍ବରସିପ୍ କିମିଟି, କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି, ଟ୍ରେନିଂ କମିଟି, ପଞ୍ଚାୟତ ଇଲେକ୍ସନ କମିଟି ଓ ମିଡିଆ କମିଟି ଗଠନ କରିଛି ଦଳ ।
ସବୁଠୁ ବଡ କଥା ହେଉଛି ଏହି 7ଟି କମିଟିରେ ବରିଷ୍ଠ ନେତା ଜିତିନ ପ୍ରସାଦ ଓ ରାଜ ବବରଙ୍କ ନାମ ନାହିଁ । ଯାହାକୁ ନେଇ ଚର୍ଚ୍ଚା ଦେଖାଦେଇଛି । କିଛି ଦିନ ତଳେ ଦଳରେ ସ୍ଥାୟୀ ଅଧ୍ୟକ୍ଷ ତଥା ସଂଗଠନରେ ନିର୍ବାଚନ କରିବାକୁ ନେଇ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିବା 23 ଜଣ ନେତାଙ୍କ ମଧ୍ୟରେ ଦୁହେଁ ଥିବାରୁ କମିଟିରେ ତାଙ୍କ ନାମ ନଥିବା ଚର୍ଚ୍ଚା ହେଉଛି । ତେବେ ଗୁଲମନବୀ ଆଜାଦଙ୍କ ନାମ ଏହି କମିଟିରେ ରହିଥିବାରୁ ଏମାନଙ୍କ ନାମ କାହିଁକି ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି ।
ମିଳିଥିବା ସୂଚନା ଅନୁସାରେ ଜିତିନ ପ୍ରସାଦଙ୍କୁ ବିଧାନସଭା ପାଇଁ ଗଠିତ ହେବାକୁ ଥିବା କମିଟିରେ ସ୍ଥାନ ମିଳିବ ବୋଲି ଜଣାପଡିଛି । ସେପଟେ ଗଠିତ ହୋଇଥିବା 7ଟି କମିଟି ଲୋକଙ୍କ ମତାମତ ସଂଗ୍ରହ କରିବା ସହ ଦଳକୁ ଉତ୍ତରପ୍ରଦେଶରେ ଶକ୍ତିଶାଳୀ କରିବା ଦିଗରେ କାମ କରିବ ବୋଲି କୁହାଯାଉଛି ।
ଏହାସହ ଦଳ ଲୋକଙ୍କ ମତକୁ ହିଁ ନିଜ ଇସ୍ତାହାରରେ ପ୍ରକାଶ କରିବ ବୋଲି ଜଣାପଡିଛି । ତେବେ 2022 ମସିହାରେ ଉତ୍ତରପ୍ରଦେଶର ନିର୍ବାଚନ ହେବାକୁ ଥିବାବେଳେ ଦଳ ଏବେଠୁ ନିଜର ଅଭିଯାନ ଆରମ୍ଭ କରିଦେଇଥିବାରୁ ଦଳ ନିର୍ବାଚନକୁ ନେଇ ତତ୍ପର ରହିଥିବା କୁହାଯାଉଛି ।