ଲକ୍ଷ୍ନୌ: ସୋନଭଦ୍ର ହତ୍ୟାକାଣ୍ଡ ଘଟଣାରେ କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଯୋଗୀ କହିଛନ୍ତି । ୟୁପିର ଅମ୍ବା ଗାଁରେ ବୁଧବାର ଜମିବାଡି ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିଲା । ଏଥିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପରୋକ୍ଷ ଭାବରେ ବର୍ଷିଛନ୍ତି । ଏହାସହ କଂଗ୍ରେସ ସହ ସାମିଲ ଥିବା ନେଇ ସପାକୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ତେବେ ଏହି ପାପ ପାଇଁ କଂଗ୍ରେସ ସହ ସପା ମଧ୍ୟ ସମାନ ଭାବେ ଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ଯପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରାୟ 30 ଘଣ୍ଟା ଧରି ମିର୍ଜାପୁର ଗେଷ୍ଟହାଉସରେ ରହି ଶନିବାର ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।
ତେବେ ଏହି ଘଟଣାରେ ପୋଲିସ ଉକ୍ତ ଗାଁର ସରପଞ୍ଚଙ୍କ ସହ ତାଙ୍କର ସମସ୍ତ ଲୋକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏହି ଘଟଣାରେ 2ଟି କମିଟି ତିଆରି କରାଯାଇଛି । ଡ୍ୟୁଟିରେ ଅବହେଳା କରିଥିବା ପୋଲିସ କର୍ମୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଅଛି ଏହାସହ ଯାଞ୍ଚ ମଧ୍ୟ ଜାରି ରହିଛି । ଏଭଳି ଘଟଣା ଯେପରି ଭବିଷ୍ୟତରେ ନଘଟେ ସେନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଯୋଗୀ ସୂଚନା ଦେଇଛନ୍ତି।
ତେବେ ଜୁଲାଇ 17 ତାରିଖରେ ସୋନଭଦ୍ର ଜିଲ୍ଲାରେ ଜମି ବିବାଦକୁ ନେଇ ଗୁଳିବର୍ଷଣ ହୋଇଥିଲା । ଯେଉଁଥିରେ ୧୦ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏଥିରେ ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ ।