ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ବାହାରିଲା କଂଗ୍ରେସ । ଜାନୁଆରୀ 26 ତାରିଖରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ଗିରଫ ଚାଷୀ ଓ ସାମ୍ବାଦିକଙ୍କୁ ଆଇନଗତ ସୁବିଧା ଦେବ କଂଗ୍ରେସ । ଏନେଇ ମଙ୍ଗଳବାର ଦଳ ନିଷ୍ପତ୍ତି ନେଇଛି ।
ଚାଷୀଙ୍କୁ ଜେଲରୁ ମୁକାଳିବା ପାଇଁ ଯାହା ଆଇନଗତ ସହାୟତା ଦରକାର ତାହା ଦଳ ପକ୍ଷରୁ କୃଷକଙ୍କୁ ଯୋଗାଇ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ରାଜ୍ୟସଭା ସଦସ୍ୟ ବିବେକ ଟଙ୍ଖାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ଆଇନ ସାମୁଖ୍ୟର ବୈଠକରେ ଏପରି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ଆଇନ ସାମୁଖ୍ୟର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଆଇନ ବିଭାଗର ମୁଖ୍ୟଙ୍କ ଏକ ପ୍ରତିନିଧୀ ଦଳ ଦିଲ୍ଲୀର ସୀମାନ୍ତରେ ଥିବା ବିକ୍ଷୋଭ ସ୍ଥଳରେ କୃଷକ ନେତାମାନଙ୍କୁ ଭେଟିବେ । ଆଇନ ବିଭାଗ ଦ୍ବାରା ପୂର୍ବରୁ କରାଯାଇଥିବା ସେବା ବିଷୟରେ ଅବଗତ କରାଇବା ସହ କୃଷକ ଏବଂ ସାମ୍ବାଦିକମାନଙ୍କୁ ରିଲିଫ ସମ୍ପର୍କରେ ସାହାଯ୍ୟ କରିବେ ।
ସେମାନେ ଆହୁରି ମଧ୍ୟ ଏକ ସଂକଳ୍ପ ପାରିତ କରିଛନ୍ତି ଯେ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ଚାରିଟି ରାଜ୍ୟରେ ଆସନ୍ତା 48 ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ ଆଇନ ବିଭାଗର ଆଇନଜୀବୀ କମିଟି ଗଠନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ