ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ହିଂସାରେ ପରିବର୍ତ୍ତିତ ହୋଇଯାଇଛି । ପ୍ରଦର୍ଶନକାରୀଙ୍କ ଉପରେ ଏବେ କଠୋର ଆଭିମୁଖ୍ୟ ଆପଣାଉଛି ପୋଲିସ । ଗୁରୁବାର ପୋଲିସ ଅନେକ ଚାଷୀଙ୍କ ହାତରେ ଧରାଇଦେଇଛି ନୋଟିସ । ଗଣତନ୍ତ୍ର ଦିବସରେ ହୋଇଥିବା ଟ୍ରାକ୍ଟର ପରେଡ ସମୟରେ ହିଂସା ଯୋଗୁଁ ଆହତ ପୋଲିସ କର୍ମୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆକ୍ସନମୋଡକୁ ଆସିଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଚାଷୀଙ୍କୁ ଧାରଣା ଶେଷ କରିବାକୁ ଚେତାବନୀ ଦିଆଯାଇଛି ।
ଗୋଟିଏ ପକ୍ଷେ ପ୍ରଶାସନ ଗାଜିପୁର ସୀମା ଖାଲି କରାଇବାକୁ ଲାଗିଥିବା ବେଳେ ଅନ୍ୟପକ୍ଷେ ଆନ୍ଦୋଳନରୁ ଓହିବାକୁ ନାରାଜ ଅଛନ୍ତି ଚାଷୀନେତା ରାକେଶ ଟିକାୟତ । ରାକେଶ ଟିକାୟତ ଓ ପ୍ରଶାସନ ସାମ୍ନାସାମ୍ନି ସ୍ଥିରେ ଥିବା ବେଳେ ସଂଘର୍ଷର ଆଶଙ୍କା ବୃଦ୍ଧି ପାଇଛି । ସେପଟେ କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟାର ଚେତବନୀ ଦେଇଛନ୍ତି ଟିକାୟତ ।
ସେପଟେ ପୋଲିସ ଆକ୍ସନ ମୋଡକୁ ଆସିବା ପରେ ଚାଷୀ ଆନ୍ଦୋଳନ ଦୁର୍ବଳ ହେବାକୁ ଲାଗିଛି । ଛତ୍ରଭଙ୍ଗ ଦେଉଛନ୍ତି କୃଷି ସଂଗଠନ । ଆଗରୁ 2 ସଂଗଠନ ଆନ୍ଦୋଳନରୁ ଓହରିସାରିଥିବା ବେଳେ ଗୁରୁବାର ଆଉ 2ଟି ସଂଗଠନ ମଧ୍ୟ ଆନ୍ଦୋଳନରୁ ଓହରିଯାଇଛନ୍ତି ।
ଏବେ ଦେଶର ସମ୍ପୂର୍ଣ୍ଣ ନଜର ଗାଜିପୁର ସୀମା ଉପରେ ରହିଛି । ଏଠାରେ ଗତ 2 ମାସରୁ ଜାରି ଆନ୍ଦୋଳନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି ପ୍ରଶାସନ । ଗାଜିପୁର ସୀମାରେ ଧାରା 144 ଜାରି କରାଯାଇଛି । ପ୍ରଦର୍ଶନକାରୀଙ୍କୁ ଉଠାଇନେବାକୁ ଆସିଯାଇଛି ବସ । ଏହାସହ ବଜ୍ର ଯାନ ମଧ୍ୟ ମୁତୟନ ହୋଇଥିବା ସୂଚନା ମିଳିଛି । ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ତଥାପି ନିଜ ଦାବିରେ ଅଟଳ ରାକେଶ ଟିକାୟତ ଅନଶନରେ ବସିଛନ୍ତି ।
ଅନ୍ୟପକ୍ଷେ ହିଂସାରେ ସମ୍ପୃକ୍ତ 44 ଜଣଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ପୋଲିସ । ଟ୍ରାକ୍ଟର ରାଲି ସମୟରେ ହିଂସାରେ 394 ପୋଲିସକର୍ମୀ ଆହତ ହୋଇଥିବା ସହ ଜଣେ ପ୍ରଦର୍ଶନକାରୀର ମୃତ୍ୟୁ ମଧ୍ୟ ହୋଇଛି । ହିଂସାର ଗୋଟିଏ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ କହିଥଇଲେ ଯେ ହିଂସାରେ ସାମିଲ କୌଣସି ଦୋଷୀଙ୍କୁ ଛଡାଯିବନାହିଁ ।