ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଉଜୈନରୁ କାନପୁର ଏନକାଉଣ୍ଟରର ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେକୁ ଗିରଫ କରାଯାଇଛି। ଉଜୈନରୁ ବିକାଶ ଦୁବେକୁ ଗିରଫ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି। ସୂଚନାନୁସାରେ ମଧ୍ୟପ୍ରଦେଶ ପୋଲିସ ବିକାଶ ଦୁବେକୁ ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରିଛି
ସୂଚନାନୁସାରେ, ବିକାଶ ଦୁବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଏହା ପରେ ସ୍ଥାନୀୟ ପୋଲିସ ତାକୁ ଗିରଫ କରିଛି। ୟୁପି ପୋଲିସ ବିକାଶ ଦୁବେର ଗିରଫଦାରୀକୁ ସ୍ପଷ୍ଟ କରିଛି। ଗିରଫ ପୂର୍ବରୁ ବିକାଶ ଦୁବେ ମହାକାଳ ମନ୍ଦିର ସମ୍ମୁଖରେ ଠିଆ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ସେଠାରେ ପହଞ୍ଚିବା ମାତ୍ରେ ସେ ପାଟି କରି କହିଥିଲା ଯେ ମୁଁ କାନପୁରର ବିକାଶ ଦୁବେ। ଏହା ପରେ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାକୁ ତୁରନ୍ତ ଗିରଫ କରି ମହାକାଳ ପୋଲିସ ଷ୍ଟେସନକୁ ନିଆଯାଇଥିଲା।
ପ୍ରକାଶଥାଉକି, ବିକାଶ ଦୁବେ ବୁଧବାର ମଧ୍ୟପ୍ରଦେଶ ସୀମାରେ ପ୍ରବେଶ କରିଥିଲା କାରଣ ହରିୟାଣା ଦେଇ ଉଜୈନରେ ପହଞ୍ଚିବାକୁ ଅତି କମରେ 12 ଘଣ୍ଟା ସମୟ ଲାଗିଥାଏ। ଏହାପୂର୍ବରୁ ବୁଧବାର ହରିୟାଣାର ଫରିଦାବାଦ ଜିଲ୍ଲାର ଏକ ହୋଟେଲରେ ବିକାଶ ଦୁବେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ପଡୋଶୀ ରାଜ୍ୟ ହରିୟାଣାରେ ବିକାଶକୁ ଖୋଜା ଚାଲିଥିଲା । ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ବ୍ୟାରିକେଡ ଓ ଚେକପୋଷ୍ଟରେ ମଧ୍ୟ ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ ଦୌସା ଓ ଅଲୱରରେ ପୋଲିସ ଯାଞ୍ଚ ମଧ୍ୟ କରାଯାଇଥିଲା। କିନ୍ତୁ ବିକାଶର କୌଣସି ସନ୍ଧାନ ମିଳିପାରି ନଥିଲା ।
ଅନ୍ୟପକ୍ଷେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ ମହାକାଳ ମନ୍ଦିର ଭିତରୁ କିମ୍ବା ବାହାରେ ଗିରଫ ହୋଇଥିବା କହିବା ମଧ୍ୟ ଠିକ ନୁହେଁ। ସେ ଆରମ୍ଭରୁ ହିଁ କ୍ରୁରତାର ସୀମା ଅତିକ୍ରମ କରିଛି। ଏହି ଘଟଣା ସମ୍ପର୍କରେ ଆମେ ପୋଲିସକୁ ସତର୍କ କରିଥିଲୁ। ମଧ୍ୟପ୍ରଦେଶ ପୋଲିସର ଯବାନଙ୍କ ବାହାଦୁରୀ କାରଣରୁ ଆଜି ବିକାଶ ଦୁବେକୁ ଗିରଫ କରାଯାଇଛି।