ନୂଆଦିଲ୍ଲୀ: ମହାମାରୀ କୋରୋନା କାଳ ବର୍ତ୍ତମାନ ଭାରତ ଓ ଚୀନ ସୀମା ବିବାଦ ଧିରେ ଧିରେ ବଢିବାରେ ଲାଗିଛି । ଏବେ ଚୀନ ଲଦାଖରେ ଥିବା ଏଲଏସି ନିକଟରେ ସୀମାନ୍ତ ସେନା ସାମରିକ ଘାଟିରେ ଗୁଳିଗୋଳା, ଯୁଦ୍ଧାସ୍ତ୍ର୍ ଠୁଳ କରିବାରେ ଲାଗିଛନ୍ତି । ଅନ୍ୟପଟେ ଏଲଏସି ଠାରୁ 100-150 କିଲୋମିଟର ଦୂରରେ ଥିବା ହଟାନ ଓ ଗାର୍ଗୁନ୍ସା ସେନା ବେସରେ ଚୀନ ଫାଇଟର ଜେଟ ମୂତୟନ କରିଛି । ଏହା ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ।
ଚୀନ ସେନା ବର୍ତ୍ତମାନ ସେଠାରେ ପ୍ରାୟ 10-12 ଯୁଦ୍ଧ ବିମାନର ଏକାଠି କରିଛି । ଏହାସହ ଏହି ଫାଇଟର ଜେଟ ମଧ୍ୟ ଭାରତୀୟ ଅଞ୍ଚଳ ନିକଟରେ ଉଡ଼ାଣ କାର୍ଯ୍ୟ କରୁଛନ୍ତି। ଏହି J-11 ଏବଂ J-7 ର ଗତିବିଧି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ ବୋଲି ଭାରତୀୟ ସେନା କହିଛି ।
ସେମାନଙ୍କର ଯୁଦ୍ଧ ବିମାନ ହଟାନ ଏବଂ ଗାର୍ଗୁନ୍ସର ଏୟାର ବେସରୁ ଲଦାଖ ଅଞ୍ଚଳରେ 30-35 କିଲୋମିଟର ଭିତରେ ଉଡ଼ାଣ କରୁଛି । ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ସେମାନେ ଭାରତୀୟ ଅଞ୍ଚଳଠାରୁ 10 କିଲୋମିଟର ଦୂରତାଠାରୁ ଉଡାଣ କରୁଛନ୍ତି । ଯାହା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କୁହାଯାଉଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଲଦାଖର ପୋଙ୍ଗଓଙ୍ଗ ସୋ ଓ ଗଲୱାନ ଉପତ୍ୟକା ଅଞ୍ଚଳରେ ବିବାଦ ଦେଖାଯାଇଛି । ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦୁଇଦେଶ ଉଦ୍ୟମ ଜାରି ରଖିଛନ୍ତି । ଏବେ ଏହି ବିବାଦ 26ଦିନରେ ପହଞ୍ଚିଛି । ଏହାପୂର୍ବରୁ ୨୦୧୭ରେ ସିକିମ୍ର ଡୋକଲାମରେ ଦେଖାଦେଇଥିବା ସୀମା ବିବାଦ ୭୩ଦିନ ଲାଗି ରହିଥିଲା । ପରେ ଏହା ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା ।