ନୂଆଦିଲ୍ଲୀ: ଚୀନର ଉହାନ ସହରରୁ ସମଗ୍ର ବିଶ୍ବକୁ ବ୍ୟାପିଛି ମହାମାରୀ କୋରୋନା । ଏନେଇ ସମସ୍ତ ଦେଶ ଚୀନକୁ ଦାୟୀ କରିଛନ୍ତି । କିନ୍ତୁ ଚୀନ ଏବେ ଦାବି କରିଛି ଯେ, ଗତବର୍ଷରୁ ହିଁ ଦୁନିଆରେ ଭାଇରସ ବ୍ୟାପିବା ଆରମ୍ଭ ହୋଇଥିଲା। ପ୍ରଥମ ଦେଶ ଭାବେ ଚୀନ ଦୁନିଆକୁ ଭାଇରସ ବାବଦରେ ଜଣାଇଲା। ଯାହା ଦ୍ବାରା ସବୁ ଦେଶ ଏବେ ଏହାକୁ ରୋକିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କଲେ। କିନ୍ତୁ ଉହାନରୁ ପ୍ରଥମେ ଏହି ଭାଇରସ ଉତ୍ପନ୍ନ ହେଇଥିଲା ବୋଲି ଚୀନ ଏବେ ଅସ୍ବୀକାର କରିଛି ।
ଏହା ବ୍ୟତୀତ ଆମେରିକା ଏକ ଅଲଗା ଦାବି କରିଥିଲା ଯେ ଉହାନର ଲ୍ୟାବରେ ହିଁ ଭାଇରସକୁ ପ୍ରସ୍ତୁତ କରାଯାଇଥିଲା ଓ ସେଠାରୁ ପୂରା ଦୁନିଆକୁ ବ୍ୟାପିଥିଲା। କିନ୍ତୁ ଏହି ଅଭିଯୋଗକୁ ମଧ୍ୟ ଚୀନ ଖଣ୍ଡନ କରିଛି । ତେବେ ଏ ନେଇ ଚୀନ ବିଦେଶ ମନ୍ତ୍ରାଳୟ ସଫେଇ ରଖିଛନ୍ତି। କୋରୋନା ଭାଇରସ ଏକପ୍ରକାର ନୂଆ ଭାଇରସ ବୋଲି କହିଛନ୍ତି। ରିପୋର୍ଟ ସାମ୍ନାକୁ ଆସିବା ପରେ ଅଧିକରୁ ଅଧିକ ତଥ୍ୟ ସାମ୍ନାକୁ ଆସିଲା। ଗତବର୍ଷ ଶେଷ ସୁଦ୍ଧା ପୃଥିବୀର ଅନେକ ସ୍ଥାନରେ ଏହା ବ୍ୟାପିଥିଲା। ମାତ୍ର ଚୀନ ଏ ବାବଦରେ ପ୍ରଥମେ ରିପୋର୍ଟ କରିଥିଲା। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ହୁଆ ଚୁନୟିଙ୍ଗ କହିଛନ୍ତି ଭାଇରସ ସମ୍ବନ୍ଧିତ ଲକ୍ଷଣ ତଥା ପରୀକ୍ଷା ଆଦି ବାବଦରେ ପୃଥିବୀକୁ ଚୀନ ପ୍ରଥମେ ଜଣାଇଛି। ଏହା ସହ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ହୁଆ।
କୋରୋନା କାରଣରୁ ଆମେରିକା ବିଶ୍ବର ସବୁଠାରୁ ଅଧିକ ପ୍ରଭାବିତ ଦେଶ, ଯେଉଁଠାରେ 76 ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଛି ଏବଂ ସଂକ୍ରମଣ ହେତୁ 2,12,000 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଚୀନରେ କୋରୋନାର 90,736 ମାମଲା ରହିଛି ଏବଂ ଏହି ମହାମାରୀ ହେତୁ 4,739 ଜଣଙ୍କ ମୃତ୍ୟୁ ଘଟିଛି।