ବିଭିନ୍ନ କ୍ଷେତ୍ରରେ ଏହାର ନୀତି ଯୋଗୁଁ ଚୀନ ଗଣରାଜ୍ୟ ଏବେ ଅଭୂତପୂର୍ବ ସମାଲୋଚନାର ସମ୍ମୁଖୀନ ହୋଇଛି । ହଂକଂରେ ଖୋଲାଖୋଲି ମାନବାଧିକାର ଉଲ୍ଲଂଘନ, ତିବ୍ବତ ଏବଂ ଶିନଜିଆଙ୍ଗ, ଦକ୍ଷିଣ ଚୀନ ସାଗରରେ ବିସ୍ତାରବାଦୀ ସଂରଚନା, ବାଣିଜ୍ୟିକ କାରବାର କ୍ଷେତ୍ରରେ ବଡ଼ ବଡ଼ ଦେଶ ସହିତ ବିବାଦ, କୋରୋନା ଭାଇରସ ସଂକ୍ରମଣ ବ୍ୟାପ୍ତି ସଂପର୍କିତ ତଥ୍ୟର ଅପବ୍ୟବହାର, ବହୁଚର୍ଚ୍ଚିତ BRI (ବର୍ଡର ରୋଡ୍ ଇନିସିଏଟିଭ୍), ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ଏବଂ ବିଳମ୍ବରେ ହେଲେ ବି, ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଅନଧିକାର ହସ୍ତକ୍ଷେପ, ଏବଂ ଶେଷୋକ୍ତ ହେଲେ ବି ଗୁରୁତ୍ବପୂର୍ଣ୍ଣ ଋଣଯନ୍ତା କୂଟନୀତି ଯୋଗୁଁ ଚୀନ ପ୍ରତି ବିଶ୍ବର ଅଧିକାଂଶ ଦେଶ ବିମୁଖ ହୋଇଛନ୍ତି ।
2010 ଦଶକର ପ୍ରାରମ୍ଭିକ ବର୍ଷଗୁଡ଼ିକରେ, ଆଫ୍ରିକୀୟ ଦେଶ ସମୂହରେ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ, ଚୀନର ଋଣ ପ୍ରଦାନ ନୀତିକୁ ବର୍ଣ୍ଣନା କରିବା ନିମନ୍ତେ, ବିଶିଷ୍ଟ ରଣନୀତିଜ୍ଞ ଏବଂ ଲେଖକ ବ୍ରହ୍ମା ଚେଲାନି “ଋଣଯନ୍ତା କୂଟନୀତି” ପଦ ବ୍ୟବହାର କରିଥିଲେ । କିନ୍ତୁ ଏବେ ଏହା ସାରା ବିଶ୍ବରେ ଚୀନର ଋଣ ନୀତି କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାର ଅର୍ଥ, ଚୀନର ଋଣ ପ୍ରଦାନ କରିବା ଶୈଳୀ ଏବଂ ସେଥିରେ ନିହିତ ସର୍ତ୍ତାବଳୀ, ଯାହା ବଳରେ କି ଚୀନ ଋଣଗ୍ରହୀତା ଦେଶ ସମୂହରେ ମୂଲ୍ୟବାନ ଅଂଶଧନ ଅକ୍ତିଆର କରେ ଏବଂ ଧୀରେ ଧୀରେ ନିଜର ସ୍ବାର୍ଥସାଧନ ସକାଶେ ସେହି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଆରମ୍ଭ କରେ ।
କେମିତି ଏହା କାମ କରେ ? ସାଧାରଣତଃ ଚୀନ LIDC ବା ନିମ୍ନ ଆୟକାରୀ ବିକାଶଶୀଳ ଦେଶ ସମୂହକୁ ତୁରନ୍ତ ଉପଲବ୍ଧ ଋଣ ପ୍ରଦାନ ଲାଗି ପ୍ରସ୍ତାବ ଦିଏ । ଏହି ଦେଶଗୁଡ଼ିକ ସେମାନଙ୍କର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବ୍ୟାକୁଳ ଭାବେ ପାଣ୍ଠି ସନ୍ଧାନରେ ଥାଆନ୍ତି ଏବଂ ପ୍ରକଳ୍ପ ରୂପାୟନ, ପରିଶୋଧ ଏବଂ ସ୍ବଚ୍ଛ କାର୍ଯ୍ୟଧାରା ସଂପର୍କିତ କଠୋର ନିୟମାବଳୀ ଯୋଗୁଁ ବିଭିନ୍ନ ଅନ୍ତର୍ଜାତୀୟ ଅର୍ଥଲଗାଣକାରୀ ସଂସ୍ଥାଗୁଡ଼ିକରୁ ତୁରନ୍ତ ଋଣ ପାଇପାରି ନଥାଆନ୍ତି । ତେଣୁ ଅଧିକାଂଶ ନିମ୍ନ ଆୟକାରୀ ବିକାଶଶୀଳ ଦେଶ ବିଦେଶୀ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶକୁ ପ୍ରାଥମିକତା ଦିଅନ୍ତି । ଠିକ ଏମିତି ସମୟରେ, ଚୀନର କମ୍ପାନିଗୁଡ଼ିକ ଦୃଶ୍ୟପଟ୍ଟକୁ ଆସନ୍ତି ।
ସାମଗ୍ରୀ ନିର୍ମାଣ ଓ ରପ୍ତାନୀ ଭିତ୍ତିକ ଅର୍ଥନୀତି ବଳରେ ସଂଗୃହୀତ ପ୍ରଚୁର ପାଣ୍ଠିରେ ସମୃଦ୍ଧ ଚୀନର ସରକାର, ବିଭିନ୍ନ ବ୍ୟାଙ୍କ ଓ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଆଗେଇ ଆସନ୍ତି ଏବଂ ପ୍ରକଳ୍ପ କାର୍ଯ୍ୟ ପାଇଁ ନିଲାମ ଡାକୁଥିବା କମ୍ପାନିଗୁଡ଼ିକୁ ଚଢ଼ା ସୁଧହାରରେ ପାଣ୍ଠି ଯୋଗାଇ ଦିଅନ୍ତି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ବ ବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥା 3-4% ସୁଧ ନେଉଥିବା ବେଳେ ଚୀନର କମ୍ପାନି, ବେଳେବେଳେ 6% ସୁଧହାରରେ ଋଣ ପ୍ରଦାନ କରେ । ଏବଂ ଏହିଠାରୁ ହିଁ ହୀନତାର ପ୍ରକୃତ ଖେଳ ଆରମ୍ଭ ହୁଏ ।
ସ୍ଥଳବିଶେଷରେ, ଋଣପ୍ରଦାନକାରୀ ଚୀନା କମ୍ପାନୀ, ବ୍ୟାଙ୍କ କିମ୍ବା ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଜମି, ଖଣିଜ ଦ୍ରବ୍ୟରେ ରିହାତି, ହାଇଡ୍ରୋକାର୍ବନ୍ କିମ୍ବା ବାଣିଜ୍ୟ କ୍ଷେତ୍ରରେ ପ୍ରାଥମିକତା ଭଳି ପାରିପାର୍ଶ୍ବିକ ବନ୍ଧକ ଦେବାକୁ କୁହାଯାଏ ଏବଂ ଏହି ବନ୍ଧକର ରୂପରେଖ ଦେଶ ଅନୁସାରେ ପରିବର୍ତ୍ତିତ ହୋଇଥାଏ । ପାଣ୍ଠି ଲଗାଣକାରୀ ଚୀନ କମ୍ପାନୀ ପ୍ରକଳ୍ପ ନିମନ୍ତେ ଅସ୍ବାଭାବିକ ଭାବେ ଉଚ୍ଚ ମୂଲ୍ୟର ନିଲାମ ପରିମାଣ ଉଲ୍ଲେଖ କରେ । କିନ୍ତୁ ପାଣ୍ଠି ଯୋଗାଣର ନିହାତି ଆବଶ୍ୟକତା ରହିଥିବାରୁ ଏବଂ ସ୍ଥାନୀୟ ନେତାମାନଙ୍କୁ ଉତ୍କୋଚ ଦେଉଥିବାରୁ, ଅବାଧ ଓ ସ୍ବଚ୍ଛ ନିଲାମ ଡାକିବା ପ୍ରକ୍ରିୟା ଭଳି ବ୍ୟାବସାୟିର ରୀତିନୀତିକୁ ଜଳାଞ୍ଜଳି ଦେଇ, ପ୍ରକଳ୍ପ ଲାଗି କାର୍ଯ୍ୟାଦେଶ ହାସଲ କରିବାରେ ଚୀନର କମ୍ପାନୀ ସଫଳ ହୁଏ ।
ପ୍ରକଳ୍ପକୁ ପାଣ୍ଠି ଯୋଗାଣ ସକାଶେ ରହିଥିବା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସର୍ତ୍ତାବଳୀ ବ୍ୟତୀତ, ଚୀନ କମ୍ପାନୀକୁ ଠିକା ଦେବା, ଚୀନ ତିଆରି ଉପକରଣ କିଣିବା, ଚୀନ ଦ୍ବାରା ପ୍ରକଳ୍ପ ପରିଚାଳନା ଏବଂ ଅନେକ କ୍ଷେତ୍ରରେ, ଚୀନର ଶ୍ରମିକ କାମ କରିବା ଭଳି ସର୍ତ୍ତ ମଧ୍ୟ ରହିଥାଏ । ଏହିଭଳି ଭାବରେ, ମୂଳରୁ ବୃଦ୍ଧି ପାଇଥିବା ପ୍ରକଳ୍ପ ବାବଦ ଖର୍ଚ୍ଚର ଏକ ବଡ଼ ଭାଗ ଚୀନର ଠିକା ସଂସ୍ଥାକୁ ହିଁ ଯାଇଥାଏ । ଯଦି ଋଣ କରିଥିବା ଦେଶ ଠିକ୍ ସମୟରେ ଋଣ କିମ୍ବା କିସ୍ତି ପରିଶୋଧ କରି ନପାରେ ତେବେ ବନ୍ଧକ ସଂପତ୍ତି ଜବତ କରାଯାଏ । ସାମଗ୍ରିକ ଭାବେ, ଏହି ପ୍ରକ୍ରିୟା ସାଧାରଣତଃ ଭାରତର ଗାଁଗହଳିରେ ପ୍ରଚଳିତ ସାହୁକାର ବା ମହାଜନି ଋଣ କାରବାରର ଧାରଣା ପ୍ରଦାନ କରେ । କେତେକ ବିଶେଷଜ୍ଞଙ୍କ ମତରେ ସାଧାରଣତଃ, ଚୀନ ଏଭଳି ସନ୍ଦିଗ୍ଧ କାରବାରରେ ସଂପୃକ୍ତ ହୁଏ ନାହିଁ । ସେ ଯାହାହେଉ, ଚୁକ୍ତିନାମାରେ ସମ୍ମିଳିତ ଅସ୍ପଷ୍ଟ ସର୍ତ୍ତ, ବାରମ୍ବାର ବ୍ୟୟ ବୃଦ୍ଧି, କାମ ଅଧା ହୋଇଥିବା ବେଳେ ଠିକା ସଂସ୍ଥା ପ୍ରକଳ୍ପରୁ ଓହରି ଯିବା ଏବଂ ବନ୍ଧକ ରୂପେ ରଖାଯାଇଥିବା ସଂପତ୍ତି ବାଜ୍ୟାପ୍ତି କରିବା ଭଳି କାର୍ଯ୍ୟକଳାପ ଚୀନର ଗୁପ୍ତ ଉଦ୍ଦେଶ୍ୟକୁ ସୂଚିତ କରେ ।
ହାୱାର୍ଡ ବିଶ୍ବବିଦ୍ୟାଳୟର ଏକ ଅନୁଧ୍ୟାନ ଅନୁସାରେ, ଏ ପର୍ଯ୍ୟନ୍ତ ଚୀନ ବିଶ୍ବର 152ଟି ଦେଶକୁ 1.5 ଟ୍ରିଲିଅନ୍ (ଲକ୍ଷ କୋଚି) ଡଲାର (ଭାରତର ମୋଟ ଘରୋଇ ଉତ୍ପାଦ ବା GDPର ପ୍ରାୟ ଅଧା) ଋଣ ପ୍ରଦାନ କରିସାରିଛି । କିନ୍ତୁ, କୀଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାର୍ଲଡ ଇକୋନମି ଅନୁସାରେ, ଚୀନ ବିଭିନ୍ନ ବିକଶିତ ଦେଶରୁ କିଣିଥିବା ପୋର୍ଟଫୋଲିଓ ଡେବ୍ଟ ବା ଗୋଷ୍ଠୀବଦ୍ଧ ପୁଞ୍ଜି ବିନିଯୋଗରେ ଋଣ ଏବଂ ବାଣିଜ୍ୟ କ୍ଷେତ୍ରରେ ବିଭିନ୍ନ ଅଂଶୀଦାରଙ୍କୁ ପ୍ରଦାନ କରିଥିବା ଜମାରାଶିକୁ ଯଦି ଆମେ ହିସାବକୁ ନେବା ତେବେ କ୍ରମାନୁପାତିକ ବୃଦ୍ଧି ହିସାବରେ ଏହା 5 ଟ୍ରିଲିଅନ୍ ଡଲାର (ବିଶ୍ବ ଅର୍ଥବ୍ୟବସ୍ଥାର 6%) ହେବ ! ଏହି ଋଣ ସବୁ ଚୀନର ବହୁଚର୍ଚ୍ଚିତ BRI (ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍) ପ୍ରକଳ୍ପର ଅଂଶବିଶେଷ ଭାବରେ କିମ୍ବା ପୃଥକ୍ ଭିତ୍ତିରେ ପ୍ରଦାନ କରାଯାଇଛି ।
ଚୀନ ଋଣଯନ୍ତାର ପ୍ରଭାବ ଏହି ତଥ୍ୟରୁ ହିଁ ଅନୁମେୟ ଯେ, ବାରଟି ଦେଶକୁ ଚୀନ ଦେଇଥିବା ଋଣର ପରିମାଣ, ସେହି ସବୁ ଦେଶର ମୋଟ ଘରୋଇ ଉତ୍ପାଦର 20%ରୁ ଅଧିକ । ଏହି ଦେଶଗୁଡ଼ିକ ହେଲେ ଜିବୁତି, ଟୋଙ୍ଗା, କଙ୍ଗୋ ଗଣରାଜ୍ୟ, କିର୍ଗିଜ୍ସ୍ତାନ, ମାଲଡିଭ୍ସ, କାମ୍ବୋଡିଆ, ନାଇଡର, ଲାଓସ, ଜାମ୍ବିଆ, ସାମୋଆ, ମଙ୍ଗୋଲିଆ ଏବଂ ଭାନୁଆଟୁ । ଚାପଗ୍ରସ୍ତ ହୋଇ ଜିବୁତି ସେଠାରେ ଚୀନର ପ୍ରଥମ ବିଦେଶୀ ସାମରିକ ଘାଟି ସ୍ଥାପନ ଲାଗି ଅନୁମତି ପ୍ରଦାନ କଲା ଏବଂ ଚୀନଠାରୁ ଆନୁମାନିକ 1 ବିଲିଅନ୍ (ଶହ କୋଟି) ଡଲାର ଋଣ ନେଇ ହମ୍ବନଟୋଟା ବନ୍ଦର ନିର୍ମାଣ କରିଥିବା ଶ୍ରୀଲଙ୍କା, ଋଣ କିସ୍ତି ଦେଇ ନପାରି, ଚୀନକୁ ଏହି ବନ୍ଦର 99 ବର୍ଷ ପାଇଁ ଲିଜ୍ରେ ଦେଲା ।
ତୈଳସମୃଦ୍ଧ ଆଙ୍ଗୋଲା, ତୈଳ ଜରିଆରେ ଚୀନ ପାଖରୁ ନେଇଥିବା 43 ବିଲିଅନ୍ ଡଲାର ଋଣ ପରିଶୋଧ କରୁଛି ଏବଂ ଆଙ୍ଗୋଲାର ରାଜଧାନୀ ଲୁଆଣ୍ଡା ପାଖରେ ଚୀନ ଏକ ପୂର୍ଣ୍ଣାଙ୍ଗ ସହର ନିର୍ମାଣ କରିଛି, କିନ୍ତୁ ସେଠାରେ ଜଣେ କେହି ରହୁନାହାନ୍ତି ! ଚୀନର ଋଣ ପରିଶୋଧ ନକରି ପାରିବା ଆଶଙ୍କାରେ ତାଞ୍ଜାନିଆ, ମାଲେସିଆ ଏବଂ ଏମିତି କି ପାକିସ୍ତାନ ବି କେତେକ ପ୍ରକଳ୍ପକୁ ଅଧାରେ ବନ୍ଦ କରିଦେଲେ । ମାଲେସିଆର ଗୋଟିଏ ପ୍ରକଳ୍ପ ବାବଦ ଖର୍ଚ୍ଚର 90% ଋଣ ଅର୍ଥରୁ ପ୍ରଦାନ କରାଯାଇଛି, କିନ୍ତୁ ପ୍ରକଳ୍ପର 15% କାମ ହୋଇ ନପାରିବାରୁ ମହାତିର ମହମ୍ମଦଙ୍କ ସରକାର ଏହି ପ୍ରକଳ୍ପକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି ।
ପାକିସ୍ତାନରେ ପ୍ରସ୍ତାବିତ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ବା CPEC ପ୍ରକଳ୍ପ ସମୂହ ଆରମ୍ଭ ସମୟରେ ଏଥିରେ 36 ବିଲିଅନ୍ ଆମେରିକୀୟ ଡଲାର ବ୍ୟୟବରାଦ କରାଯାଇଥିଲା । ଏହା ଏବେ 64 ବିଲିଅନ୍ରେ ପହଞ୍ଚିଛି ଏବଂ ଆଗକୁ 80 ବିଲିଅନ୍ରେ ପହଞ୍ଚିବା ସମ୍ଭାବନା ରହିଛି । ଏହି ପ୍ରକଳ୍ପ ସମୂହ ହାସଲ କରିବା ଲାଗି ଚୀନର କେତେକ କମ୍ପାନୀ 2.5 ବିଲିଅନ୍ ଡଲାର ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଆମ ପଡ଼ୋଶୀ ନେପାଳ ଯଦି ଋଣ ପାଇବା ପାଇଁ ଚୀନ ସହ ମଧୁଚନ୍ଦ୍ରିକା ବନ୍ଦ ନକରେ, ତେବେ ଖୁବ ଶୀଘ୍ର ଏହାର ଋଣ ପରିମାଣ ପ୍ରାୟ 8 ବିଲିଅନ ଡଲାର ହୋଇଯିବ ଏବଂ ଏହା ଏକ ନିଶ୍ଚିତ ଋଣଯନ୍ତାରେ ପଡ଼ିବ, ଯାହାର କି ପ୍ରାରମ୍ଭିକ ସଂକେତ ପ୍ରକାଶ ପାଇଲାଣି ।
ଅନେକ ଋଣଗ୍ରହୀତା ଦେଶ ଏହି ଯନ୍ତାର ବ୍ୟଥା ଅନୁଭବ କଲେଣି ଏବଂ ଭବିଷ୍ୟତ ଋଣ ପାଇଁ ଅନ୍ୟ ଦେଶ ଆଡ଼କୁ ମୁହାଁଇଲେଣି ।ଚୀନର ଏହି କୁଟୀଳ ଯୋଜନା ପରିପ୍ରେକ୍ଷୀରେ ଭାରତର ସ୍ଥିତି କେଉଁଠି ? ଆମର ଅନୁଦାନ, ଋଣପ୍ରଦାନର ଧାରା ଏବଂ ସହାୟତା ବଳରେ ଅନେକ ବିକାଶଶୀଳ ଦେଶରେ ଆମେ ଆମର ଉପସ୍ଥିତି ଜାହିର କରିଛୁ । ଯଦିଓ ଆମେ ଚୀନ ସହ ସମାନ ହାରରେ ଏବଂ ସମାନ ବେଗରେ ଋଣ ପ୍ରଦାନ କରିପାରିବୁ ନାହିଁ, ତଥାପି ଚୀନ ତୁଳନାରେ ଆମର ଶୁଭେଚ୍ଛୁଙ୍କ ସଂଖ୍ୟା ବହୁ ଅଧିକ । ଚୀନ ଭଳି ଭାରତୀୟ ଅର୍ଥବ୍ୟବସ୍ଥା ମଧ୍ୟ ବିଶ୍ବ ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଚୀନ ବିରୋଧରେ ଦାନା ବାନ୍ଧୁଥିବା ଅସନ୍ତୋଷର ସୁଯୋଗ ନେଇ ଆମେ ଯଦି କୌଣସିମତେ ଆଗେଇ ପାରିବା ଏବଂ କେତେକ ଦେଶକୁ ସୁଲଭ ଋଣ ପ୍ରଦାନ କରିପାରିବା, ତେବେ ଏହି ବିପତ୍ତିକୁ ଆମେ ସୁଯୋଗରେ ପରିବର୍ତ୍ତନ କରିପାରିବା । ସୁଦୂର ଭବିଷ୍ୟତରେ ସୁଫଳ ହାସଲ କରିବାରେ ଏହା ଆମକୁ ସକ୍ଷମ କରିବ ।