ଶ୍ରୀନଗର: ପାକିସ୍ତାନ ଟାର୍ଗେଟରେ ଅମରନାଥ ଯାତ୍ରୀ । ବଡ ଧରଣର ଆକ୍ରମଣ କରିବା ପାଇଁ ଜାଲ ବିଛାଇଥିବା ପାକିସ୍ତାନ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ଏନେଇ ଶୁକ୍ରବାର ସେନା ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ବିଭାଗରୁ ସୂଚନା ପାଇ ସେନା ପକ୍ଷରୁ ଅମରନାଥ ଯାତ୍ରା ମାର୍ଗରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଏହି ସମୟରେ ଆମେରିକୀୟ ସ୍ନାଇପର ରାଇଫଲ ଏମ-24 ଜବତ କରିଛି ସେନା । ଏଥିରେ ଏକ ଟେଲିସ୍ପୋପ ମଧ୍ୟ ସଂଯୁକ୍ତ ରହିଛି। ଏହା ବ୍ୟତିତ ପାକିସ୍ତାନ ନିର୍ମିତ କେତେକ ଆଣ୍ଟି ପରସୋନାଲ ମାଇନ୍ସ ମଧ୍ୟ ଜବତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।
ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଥିବା ବେଳେ ଆହୁରି ମଧ୍ୟ ଆଣ୍ଟି ପରସୋନାଲ ମାଇନ୍ସ ମିଳିବାର ଆଶଙ୍କା ପ୍ରକାଶ ପାଇଛି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍ ଧିଲୋନ କହିଛନ୍ତି, ସର୍ଚ୍ଚ ଅପରେଶନ ସମୟରେ ପାକିସ୍ତାନୀ ଆଣ୍ଟି ପରସୋନାଲ ମାଇନ୍ସ ଜବତ ହୋଇଛି । ଏହା ଦ୍ବାରା ସ୍ପଷ୍ଟ ହେଉଛି ଯେ, ପାକ୍ ସେନା ଏବେ ମଧ୍ୟ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି । ଆମେ ଏହାକୁ ସହ୍ୟ କରିବୁ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି, ପାକିସ୍ତାନୀ ସେନା ଘାଟିରେ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀଙ୍କୁ ସହାୟତା ଦେଉଛନ୍ତି । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଧିଲୋନଙ୍କ ସହ ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ଓ ସିଆରପିଏଫ୍ ଆଇଜି ଜୁଲଫିକର ରେହମାନ ମଧ୍ୟ ଉପସ୍ଥିତ ଥିଲେ।