ବେଜିଂ: ନିଜର ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି ଚୀନ । ଭାରତର ଶାନ୍ତି ବ୍ୟବସ୍ଥା ଭଙ୍ଗ କରିବା ପାଇଁ ଏବେ ଆତଙ୍କବାଦୀଙ୍କ ସାହାଯ୍ୟ ନେଇଛି ଡ୍ରାଗନ । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚୀନ ମିଆମାରର ଆତଙ୍କବାଦୀ ସଂଗଠନ ଆରକାନ ସେନାକୁ ଟଙ୍କା ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି । ଭାରତ ଏବଂ ମିଆମାର ବିରୋଧରେ ସେ ଏହି ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା ଜଣାପଡିଛି ।
ଦକ୍ଷିଣ-ପୂର୍ବ ଏସିଆର ଜଣେ ସୈନ୍ୟ ସୂତ୍ର ଏନେଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆରକାନ ସେନାର ଖର୍ଚ୍ଚର ପ୍ରାୟ 95 ପ୍ରତିଶତ ଅର୍ଥ ଚୀନ ଯୋଗାଉଛି । ଆରକାନ ସେନା ନିକଟରେ ପ୍ରାୟ 50 (ମେନ ପର୍ଟେବଲ ଏୟାର ଡିଫେନ୍ସ ସିଷ୍ଟମ) ଭୂପୃଷ୍ଠରୁ ଆକାଶକୁ ଭେଦ କରୁଥିବା ମିଶାଇଲ ରହିଛି । ତେବେ ସୂତ୍ର ଅନୁଯାୟୀ, ଚୀନ ନିଜ ସୀମାର ଦକ୍ଷୀଣରେ ପ୍ରଭାବ ବଢାଇବା ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛି । ଅରାକାନ ସେନାକୁ ସମର୍ଥନ କରିବାର ଏହି ରଣନୀତି ଚୀନକୁ ଭାରତ-ମିଆମାର ସୀମାରେ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି ।
ତେବେ ଏନେଇ ଅଷ୍ଟ୍ରେଲିଆର ଜଣେ ବିଦ୍ବାନ କହିଛନ୍ତି, ଚୀନ ଦକ୍ଷିଣ ଏସିଆରେ ଖେଳ ଖେଳୁଛି । ଚୀନ ଭାରତକୁ ଦୁର୍ବଳ କରିବାକୁ ଚାହୁଁଛି । ଭାରତ-ପାକିସ୍ତାନ ମଧ୍ୟରେ ପୂର୍ବରୁ ହିଁ ଶତୃତା ରହିଛି । ତେଣୁ ଭାରତ ମିଆମାରକୁ ନୂଆ ଶତୃ କରିବାକୁ ଚାହିଁବନାହିଁ । ଏହାର ସୁଯୋଗ ଚୀନ ଉଠାଇବାକୁ ଚାହୁଁଛି । ତେବେ ଚୀନ ମିଆମାରରେ ଭାରତର ପ୍ରଭାବ ପଡୁ ବୋଲି ଚାହୁଁନଥିବା ଜଣେ ଭାରତୀୟ ସୂତ୍ର କହିଛନ୍ତି । ମିଆମାରରେ ଭାରତର ନିର୍ମାଣ ବିରୋଧରେ ଚୀନ ଅରାକାନ ସେନାର ସମର୍ଥନ କରୁଛି ବୋଲି ସେ କହିଛନ୍ତି ।
ଜୁନ 2017ରେ ଭାରତର ସି ଆଣ୍ଡ ସି କନଷ୍ଟ୍ରକସନକୁ 220 ମିଲିୟନ ଡଲାରର ସଡକ ନିର୍ମାଣ ଠିକା ମିଳିଥିଲା । ତେବେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଅରାକାନ ସେନା ଭାରତୀୟ ନାଗରିକଙ୍କ ସମେତ ଚାଳକ ଦଳ ଏବଂ ମିଆମାର ସଂସଦର ସଦସ୍ୟଙ୍କୁ ଅପହରଣ କରିନେଇଥିଲେ ।
ଏକ ସୂଚନା ଅନୁଯାୟୀ, ଅରାକାନ ସେନା ନିକଟରେ ଚୀନଠାରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିଛନ୍ତି । ଏହି ପର୍ଯ୍ୟାୟରେ 500 ଆସଲ୍ଟ ରାଇଫଲ, 30 ୟୁନିଭର୍ସାଲ ମେସିନ ଗନ, 70,000 ଗୋଳାବାରୁଦ ଥିଲା । ଯାହାକୁ ସମୁଦ୍ର ପଥ ଦେଇ ସେମାନଙ୍କ ନିକଟରେ ପହଞ୍ଚା ଯାଇଥିଲା ।