ବେଜିଂ: ଆମେରିକାର 6ଟି ଗଣମାଧ୍ୟମ ସଂସ୍ଥା ବିଷୟରେ ବିସ୍ତୃତ ସୂଚନା ଦାଖଲ କରିବାକୁ ଚୀନ ବୈଦେଶିକ ମନ୍ତ୍ରଣାଳୟର ନିର୍ଦ୍ଦେଶ। ଚୀନରେ କାର୍ଯ୍ୟ କରୁଥିବା ଏହି ଆମେରିକୀୟ ଗଣମାଧ୍ୟମ ସଂସ୍ଥା କେଉଁ ଖବର ପ୍ରସାରଣ କରୁଛନ୍ତି ଏବଂ ଏହି ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ବିଷୟ ମଧ୍ୟ ସମସ୍ତ ବିବରଣୀ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଗତ କିଛି ମାସ ମଧ୍ୟରେ ଚୀନ ଓ ଆମେରିକାର ମଧ୍ୟରେ ତିକ୍ତତା ଲାଗି ରହିଛି। ବିଭିନ୍ନ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଭାଷଣରେ ଚୀନକୁ ଟାର୍ଗେଟ କରି ଆସିଛନ୍ତି। ଏହାର ଫଳ ସ୍ବରୁପ ଆମେରିକାର ଗଣମାଧ୍ୟମରେ ଚୀନ ଦାଉ ସାଧୁଥିବା ଚର୍ଚ୍ଚା ହେଉଛି।
ସୋମବାର ବିଳମ୍ବିତ ରାତିରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଜାରି କରାଯାଇଥିବା ଏକ ବିବୃତ୍ତିରେ ଆମେରିକାର ଗଣମାଧ୍ୟମ ସଂସ୍ଥା ଏବିସି ନ୍ୟୁଜ, ଦି ଲସ୍ ଆଞ୍ଜେଲସ ଟାଇମ୍ସ, ମିନେସୋଟ୍ଟା ପବ୍ଲିକ ରେଡିଓ, ବ୍ୟୁରୋ ଅଫ ନ୍ୟାସନାଲ ଆଫେୟାର୍ସ, ନ୍ୟୁଜ୍ ୱିକ୍ ଏବଂ ଫିଚର୍ ଷ୍ଟୋରୀ ନ୍ୟୁଜକୁ ସେମାନଙ୍କ କର୍ମଚାରୀ, କାର୍ଯ୍ୟ ପ୍ରଣାଳୀ, ଅର୍ଥ କାରବାର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ ଗଣମାଧ୍ୟମ ସଂସ୍ଥାକୁ 7 ଦିନ ସମୟ ଦିଆଯାଇଛି।
ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଆମେରିକାରେ ଚୀନ ଗଣମାଧ୍ୟମରେ ଅତ୍ୟାଚାର ଯୋଗୁଁ ଚୀନ ଆମେରିକା ଗଣମାଧ୍ୟମ ପ୍ରତି ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ତେବେ ପ୍ରତ୍ୟେକ ବର୍ଷ ଚୀନ ସରକାରଙ୍କ ପକ୍ଷରୁ ଆମେରିକାର ବିଭିନ୍ନ ସଂସ୍ଥାର ଅର୍ଥ କାରବାର ଓ ଅନ୍ୟାନ୍ୟ ବିବରଣୀ ସୂଚନା ଦାଖଲ କରିବାକୁ ବାଧ୍ୟ କରାଯାଉଛି।
ଏହାକୁ ଆମେରିକାର ପ୍ରତିରକ୍ଷା ସଚିବ କହିଛନ୍ତି ଯେ, "ଆମେରିକା କାର୍ଯ୍ୟରତ ଚୀନ ଗଣମାଧ୍ୟମ ଗୁଡ଼ିକ ମୁ୍କ୍ତ ପ୍ରେସ ଭାବେ କାମ କରୁଛି ନା ଚୀନର କମ୍ୟୁନିଷ୍ଟ ପାର୍ଟି ଦ୍ବାରା ପରିଚାଳିତ ସେନେଇ ଆମେରିକା ସରକାର ନିଶ୍ଚିତ ହେବାକୁ ଚାହୁଁଛନ୍ତି। ଏଥିପାଇଁ ଚୀନ ଗଣମାଧ୍ୟମକୁ କେତେକ ତଥ୍ୟ ଦାଖଲ କରିବାକୁ କୁହାଯାଇଥିଲା।"
ଚୀନର ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ମାନବିକ ଅଧିକାର କ୍ଷେତ୍ରକୁ ନେଇ ଆମେରିକା ସରକାର ଚାପ ପକାଉଛନ୍ତି। ଏହା ଦୁଇ ଦେଶର ତିକ୍ତତାର ମୂଳ କାରଣ ବୋଲି ଚର୍ଚ୍ଚ ହୋଇଛି। ଏହାର ଫଳ ଦୁଇ ଦେଶର ଗଣମାଧ୍ୟମକୁ ଭୋଗିବାକୁ ପଡ଼ିଛି। ଚଳିତ ବର୍ଷ ଆରମ୍ଭରୁ ହ୍ୟୁଷ୍ଟନରେ ଚୀନ କନସୁଲେଟ୍ ବନ୍ଦ କରିବାକୁ ଆମେରିକା ନିର୍ଦ୍ଦେଶ ଦେଇଥିଲା। ଏହାର ଜବାବରେ ଦକ୍ଷିଣ-ପଶ୍ଚିମ ସହର ଚେଙ୍ଗଡୁରେ ଥିବା ଆମେରିକାର କନସୁଲେଟକୁ ବନ୍ଦ କରିଥିଲା ଚୀନ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ