ନୂଆଦିଲ୍ଲୀ: ଚୀନ ସୀମାରେ ନିଖୋଜ ହୋଇଥିବା 5 ଭାରତୀୟ ସ୍ବଦେଶ ଫେରିଛନ୍ତି । ଆଜି ସକାଳେ ଚୀନ ସେନା ପକ୍ଷରୁ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି । ଟାଗିନ୍ ସମ୍ପ୍ରଦାୟର ଏହି ପାଞ୍ଚ ଜଣ ଯୁବକଙ୍କୁ ଭାରତ-ଚୀନ୍ ସୀମାରେ କିବିଥୁ ନିକଟ ଦାମାଇ ନାମକ ଏକ ସ୍ଥାନରେ ଭାରତୀୟ ପକ୍ଷକୁ ହସ୍ତାନ୍ତର କରାଯାଇଛି ।

ସୂଚନାନୁଯାୟୀ, ସେପ୍ଟେମ୍ବର ପହିଲାରେ ଅରୁଣାଚଳପ୍ରଦେଶର 5 ଜଣ ଶିକାର କରିବାକୁ ଯାଇ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଖବର ପ୍ରକାଶ ପାଇବା ପରେ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ତତ୍ପରତା ଦେଖାଇଥିଲେ ।

ନିଖୋଜ ଭାରତୀୟଙ୍କୁ ଫେରାଇ ଦେବାକୁ ହଟ ଲାଇନରେ ଯୋଗାଯୋଗ କରାଯାଇଥିଲା । ଏହାପରେ ଚୀନ ସୀମାରେ 5 ଜଣ ଭାରତୀୟ ଥିବା ପିଏଲଏ ପକ୍ଷରୁ ସ୍ପଷ୍ଟ ହୋଇଥିଲା ।

ଶୁକ୍ରବାର ଚୀନ ସୀମାରେ ନିଖୋଜ ଅରୁଣାଚଳପ୍ରଦେଶ ନାଗରିକମାନଙ୍କ ସନ୍ଧାନ ମିଳିଥିବା ପିପୁଲ୍ସ ଫର ଲିବରେସନ ଆର୍ମି ସ୍ବୀକାର କରିଥିଲା ବୋଲି ଟ୍ବିଟ କରି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଏହି ନିିଖୋଜ ଯୁବକମାନଙ୍କୁ ଭାରତ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଜାରି କରିଥିବା ମନ୍ତ୍ରୀ ପୂର୍ବରୁ କହିଥିଲେ ।

