ଦନ୍ତେୱାଡା: ଛତିଶଗଡ ପୋଲିସକୁ ବଡ ସଫଳତା । ଆତ୍ମସମର୍ପଣ କଲେ 16 ନକ୍ସଲ । ଯେଉଁଥିରେ 4 କମାଣ୍ଡର-ସ୍ତରୀୟ କର୍ମଚାରୀ ମଧ୍ୟ ରହିଛି । ଗୁରୁବାର ଏମାନେ ଆତ୍ମସମର୍ପଣ କରିଛନ୍ତି ।
ଦନ୍ତେୱାଡା ଏସପି ଅଭିଶେଷ ପଲ୍ଲଭ କହିଛନ୍ତି, ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲ ବସ୍ତର ଜିଲ୍ଲାର । 16 ନକ୍ସଲଙ୍କ ମଧ୍ୟରୁ 3 ଜଣଙ୍କୁ ଧରିବା ପାଇଁ ପୁରସ୍କାର ରାଶି ରହିଥିଲା । ତିନି କମାଣ୍ଡର ସ୍ତରୀୟ ନକ୍ସଲଙ୍କ ମୁଣ୍ଡ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା । 2 ନକ୍ସଲଙ୍କ ବିରୋଧରେ 5ଟି ମାମଲା ରୁଜୁ ହୋଇଥିବାବେଳେ, ଜଣଙ୍କ ଉପରେ 4ଟି ମାମଲା ରହିଥିଲା ।
ଏସପି ପୁଣି କହିଛନ୍ତି, ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମୁଖ୍ୟତଃ ରେଳ ଟ୍ରାକକୁ ନଷ୍ଟ କରିବା, ପଞ୍ଚାୟତ ଅଧିକାରୀ ଓ ଗ୍ରାମାବାସୀଙ୍କୁ ହତ୍ୟା କରିବା ଭଳି କାର୍ଯ୍ୟରେ ଲିପ୍ତ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ତଳ ସ୍ତରୀୟ ମିଲିତିଆ।
ସୂଚନାଯୋଗ୍ୟ, ନିକଟରେ ’ଲୋନ ଭାରାତୁ’ ଅର୍ଥାତ ଘର ବାହୁଡା କାର୍ଯ୍ୟକ୍ରମ ମାଧ୍ୟମରେ 12 ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ ।