ବିଳାସପୁର: ଦେବୀ ମା’ଙ୍କ ଉପାସନା ପାଇଁ ଛତିଶଗଡରେ ରହିଛି ଅନେକ ଦେବୀ ପୀଠ । ସେ ମଧ୍ୟରୁ ଅନ୍ୟତମ ହେଉଛି ବାଗବହରା ତହସିଲ ମୁଖ୍ୟାଳୟଠାରୁ ମାତ୍ର 5 କିଲୋମିଟର ଦୂରରେ ସ୍ଥିତ ଚଣ୍ଡୀ ମନ୍ଦିର । ଘୁଚାପାଲି ଜଙ୍ଗଲ ମଝିରେ ଅବସ୍ଥିତ ଏହି ପୀଠରେ ଚଣ୍ଡୀ ମା’ଙ୍କ ରହିଛି ଅଦ୍ଭୁତ ମୂର୍ତ୍ତୀ ।
ଦକ୍ଷିଣ ମୁଖା ଏହି ସ୍ବୟଂଭୂ ମୂର୍ତ୍ତୀ ଦୁର୍ଲଭ ଓ ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧି ଲାଭ କରିଛି । ତେବେ ଏହି ପୀଠରେ ଭକ୍ତଙ୍କ ଭିଡ ସାଙ୍ଗକୁ ଦେଖିବାକୁ ମିଳେ କିଛି ଅଦ୍ଭୁତ ଦୃଶ୍ୟ । ଏଠାରେ ଦୀର୍ଘ 8 ବର୍ଷ ହେବ ଦର୍ଶନ କରିବାକୁ ଆସୁଛନ୍ତି ଭାଲୁ ପରିବାର । ହଁ, ଆଜ୍ଞା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ସତ । ଦୀର୍ଘ 8 ବର୍ଷ ହେବ ନିଜ ପରିବାର ସହ ଏଠାରେ ମା’ଙ୍କୁ ଦର୍ଶନ କରିବାକୁ ଆସନ୍ତି ଭାଲୁ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏହି ଭାଲୁ ପରିବାର କୌଣସି ଭକ୍ତଙ୍କ କ୍ଷତି ନପହଞ୍ଚାଇ ଅତି ଶାନ୍ତିର ସହ ମା’ଙ୍କ ଦର୍ଶନ କରିଥାନ୍ତି । କେବେ ଏମାନଙ୍କ ସଂଖ୍ୟା 5 ତ କେବେ ପୁଣି 3 ରୁହେ । ମନ୍ଦିରରେ ଥିବା ଅନ୍ୟ ଭକ୍ତ ଏହି ଭାଲୁ ପରିବାରକୁ ଦେଖି ଭୟଭୀତ ହୋଇଯାଆନ୍ତି ସତ ହେଲେ ଟିକେ ବି ଅସ୍ବାଭାବିକ ବ୍ୟବହାର କରିନଥାନ୍ତି ଏହି ଭାଲୁ ପରିବାର ।
ମା’ଙ୍କ ଦର୍ଶନ କରିବା ସହ ଏହି ଭାଲୁ ପରିବାର ମା’ଙ୍କ ମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା କରିଥାନ୍ତି । ସନ୍ଧ୍ୟା ପ୍ରାୟ 5ରୁ 8 ଭିତରେ ଏହି ପରିବାର ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚନ୍ତି । ସେଠାରେ ପହଞ୍ଚିବା ପରେ ମନ୍ଦିର ପରିକ୍ରମା କରିସାରି ନଡିଆ ଭାଙ୍ଗିଥାନ୍ତି । ଏହାପରେ ଏହି ନଡିଆ ପାଣିକୁ ପିଅନ୍ତି ଓ ନଡିଆ ଖାଇସାରି ଜଙ୍ଗଲରେ ଥିବା ଗୁମ୍ଫାକୁ ଫେରି ଯାଆନ୍ତି ।
ପୂର୍ବରୁ ଏହି ପରିବାରକୁ ଦେଖି ଶ୍ରଦ୍ଧାଳୁମାନେ ଭୟ କରୁଥିଲେ । ହେଲେ ସମୟକ୍ରମେ ଏହି ପରିବାର ସହ ସମସ୍ତେ ମିଳିମିଶି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । ଏଥିସହ ଶ୍ରଦ୍ଧାଳୁମାନେ ନିଜ ହାତରେ ଏହି ପରିବାରକୁ ପ୍ରସାଦ ମଧ୍ୟ ଖାଇବାକୁ ଦିଅନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ